ନୂଆଦିଲ୍ଲୀ: କରେନା ପ୍ରଭାବକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ମୋବାଇଲ୍ ହ୍ୟାଣ୍ଡସେଟ୍ ନିର୍ମାଣ କରୁଥିବା କଂପାନିଗୁଡ଼ିକ ଉତ୍ପାଦର ୱାରେଣ୍ଟି ଅବଧିକୁ ବଢ଼ାଇଛନ୍ତି। ସାମସଙ୍ଗ୍, ୱାନ୍ ପ୍ଲସ୍, ଓପୋ ଏବଂ ଆଉ କିଛି କଂପାନି ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରିଛନ୍ତି। ସାମସଙ୍ଗ୍ ପକ୍ଷରୁ ଯେଉଁ ସବୁ ଉତ୍ପାଦର ୱାରେଣ୍ଟି ଅବଧି ମାର୍ଚ୍ଚ ୨୦ରୁ ଏପ୍ରିଲ୍ ୩୦ ଭିତରେ ଶେଷ ହେଉଥିଲା ସେହି ମହଲତକୁ ଆସନ୍ତା ମେ' ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମୋବାଇଲ୍ ହ୍ୟାଣ୍ଡ୍ସେଟ୍ ନିର୍ମାତା ୱାନ୍ପ୍ଲସ୍ ପକ୍ଷରୁ ଏହାର ସମସ୍ତ ଉତ୍ପାଦ ପାଇଁ ୱାରେଣ୍ଟି ସୀମାକୁ ମେ' ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓପୋ ପକ୍ଷରୁ ମଧ୍ୟ ୱାରେଣ୍ଟି ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଗ୍ରାହକମାନଙ୍କୁ ଅନଲାଇନ୍ରେ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ଲାଗି ପରାମର୍ଶ ପ୍ରଦାନ କରାଯାଉଛି। ରିଅଲମି ମଧ୍ୟ ଏହାର ଉତ୍ପାଦଗୁଡ଼ିକର ୱାରେଣ୍ଟି ଅବଧିକୁ ମେ' ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେହିପରି ଉତ୍ପାଦ ଫେରସ୍ତ କରିବାର ସମୟ ସୀମାକୁ ମଧ୍ୟ ଆଉ ୩୦ ଦିନ ପାଇଁ ବଢ଼ାଇ ଦେଇଛି। ଟିଭି, ଫିଚର୍ ଫୋନ୍ ଓ ଆକ୍ସେସୋରିଜ୍ ଉତ୍ପାଦନ କରୁଥିବା କଂପାନି ଡେଟେଲ୍ ପକ୍ଷରୁ ୱାରେଣ୍ଟିକୁ ଆଉ ୬୦ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଲକ୍ ଡାଉନ୍ ଅବଧିରେ ଯେଭଳି ଗ୍ରାହକମାନେ ଶାନ୍ତିରେ ରହିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ୱାରେଣ୍ଟି ଅବଧି ବୃଦ୍ଧି କରାଯାଇଛି। ଗ୍ରାହକମାନଙ୍କ ପ୍ରଶ୍ନର ଉତ୍ତର ଦେବା ଲାଗି କଂପାନି ପକ୍ଷରୁ ସହାୟକ ଷ୍ଟାଫ୍ ମୂତୟନ କରାଯାଇଛି।
ସ୍ବଦେଶୀ ମୋବାଇଲ୍ କଂପାନି ଲାଭା ପକ୍ଷରୁ ସ୍ମାର୍ଟଫୋନ୍ ଓ ଫିଚର୍ ଫୋନ୍ଗୁଡ଼ିକର ୱାରେଣ୍ଟି ଅବଧିକୁ ଆଉ ୬୦ ଦିନ ବଢ଼ାଇ ଦିଆଯାଇଛି। ଯେଉଁ ଗ୍ରାହକମାନଙ୍କ ୱାରେଣ୍ଟି ଅବଧି ମାର୍ଚ୍ଚ ୧୫ ଭିତରେ ଶେଷ ହେଉଥିଲା ସେମାନଙ୍କ ପାଇଁ ଏହି ସୁବିଧାକୁ ମେ' ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ଗ୍ରାହକମାନେ ମରାମତି ପାଇଁ ହାଣ୍ଡ୍ସେଟ୍ ଦେଇଥିଲେ ସେମାନଙ୍କ ସମସ୍ୟା ସମାଧାନ କରିବା ଲାଗି କଂପାନି ପକ୍ଷରୁ ସର୍ଭିସ୍ ମ୍ୟାନେଜର୍ମାନଙ୍କର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଟେକ୍ନୋ ଇଣ୍ଡିଆ ପକ୍ଷରୁ ଦୁଇ ମାସିଆ ୱାରେଣ୍ଟି ବୃଦ୍ଧି ନୀତି ଲାଗୁ କରାଯାଇଛି। ଟେକ୍ନୋ ସ୍ମାର୍ଟଫୋନ୍ ଗ୍ରାହକମାନେ ମେ' ୩୧ ପର୍ଯ୍ୟନ୍ତ ୱାରେଣ୍ଟି ସୁବିଧା ପାଇପାରିବେ। ଇନଫିନିକ୍ସ ଇଣ୍ଡିଆ ମଧ୍ୟ ଏହାର ୱାରେଣ୍ଟି ଅବଧିକୁ ଆଉ ଦୁଇ ମାସ ବଢ଼ାଇ ଦେଇଛି।
କିଏ କେତେ ବଢ଼ାଇଲେ
କଂପାନି ଦିନ ପର୍ଯ୍ୟନ୍ତ
ସାମସଙ୍ଗ୍ ମେ' ୩୧
ୱାନ୍ପ୍ଲସ୍ ମେ' ୩୧
ଓପୋ ମେ' ୩୧
ଡେଟେଲ୍ ୬୦ ଦିନ
ଲାଭା ୬୦ ଦିନ
ଟେକ୍ନୋ ଇଣ୍ଡିଆ ମେ' ୩୧
ଇନ୍ଫିକ୍ସ ଇଣ୍ଡିଆ ୬୦ ଦିନ