ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପିବା ପରଠାରୁ ସାରା ବିଶ୍ବରେ ୱାର୍କ ଫ୍ରମ୍ ହୋମ୍ ଓ ଅନଲାଇନ୍ରେ ପାଠପଢ଼ାର ଚାହିଦା ଦୃତ ଗତିରେ ବୃଦ୍ଧି ପାଇଛି। କିଛି ଦିନ ତଳେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ସ୍କୁଲ୍ ଓ କାର୍ଯ୍ୟାଳୟଗୁଡ଼ିକ ଖୋଲିବା ଆରମ୍ଭ କରିଥିଲା। ମାତ୍ର ଏବେ ପୁଣି ସଂକ୍ରମଣ ବୃଦ୍ଧି ପାଇଥିବାରୁ ପୁଣି ଅନ୍ଲାଇନ୍ ଉପରେ ସମଗ୍ର ବିଶ୍ବର ନିର୍ଭରଶୀଳତା ବଢ଼ିବାରେ ଲାଗିଛି। ଏଥିରେ ସବୁଠୁ ବଡ଼ ସମସ୍ୟା ହେଉଛି ଇଣ୍ଟରନେଟ୍ର ସ୍ପିଡ୍। ଅନଲାଇନ୍ରେ ପାଠ ପଢ଼ିବା କିମ୍ବା କାମ କରିବାକୁ ହେଲେ ଇଣ୍ଟରନେଟ୍ର ସ୍ପିଡ୍ ଏକ ନିର୍ଦିଷ୍ଟ ମାତ୍ରାର ହେବା ଦରକାର।ଭାରତରେ ଅଧିକାଂଶ ଲୋକ ଡାଟା ସ୍ପିଡ୍ ସଦସ୍ୟା ଭୋଗୁଛନ୍ତି। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଂଚଳରେ ଏହି ସମସ୍ୟା ଅସମ୍ଭାଳ ସ୍ଥିତିରେ ରହିଛି। ଭାରତରେ ମାତ୍ର ୧୨.୪୦ ଏମ୍ବିପିଏସ୍ ଡାଉନ୍ଲୋଡିଂ ସ୍ପିଡ୍ର ମୋବାଇଲ୍ ଡାଟା ମିଳୁଛି।
ଏହା ତୁଳନାରେ ପଡ଼ୋଶୀ ଦେଶ ପାକିସ୍ତାନ ବହୁତ ଭଲ ସ୍ଥିତିରେ ରହିଛି। ଯଦିଓ ସେଠାକାର ସ୍ଥିତି ଏତେ ଭଲ ନୁହେଁ, କିନ୍ତୁ ଭାରତ ଠାରୁ ବେଶ ଉନ୍ନତ ରହିଛି। ପାକିସ୍ତାନରେ ଡାଉନ୍ଲୋଡ୍ ସ୍ପିଡ୍ ଭାରତ ଠାରୁ ଅଧିକ ୧୭.୭୩ ଏମ୍ବିପିଏସ୍ ରହିଛି। ମାତ୍ର ଫିକ୍ସଡ୍ ଲାଇନ୍ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରରେ ପାକସ୍ତାନ ଠାରୁ ଭାରତ ଭଲ ସ୍ଥିତିରେ ରହିଛି। ସାରା ଦୁନିଆର ସ୍ଥିତିକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ୨୦୨୦ ଫେବ୍ରୁଆରିରୁ ୨୦୨୧ ଫେବ୍ରୁଆରି ବର୍ଷକ ମଧ୍ୟରେ ଚୀନ୍, ଅଷ୍ଟ୍ରେଲିଆ ଓ ୟୁଏଇରେ ମୋବାଇଲ୍ ଡାଟା ସ୍ପିଡ୍ ୧୦୦ ଏମ୍ବିପିଏସ୍ରୁ ଅଧିକ ଥିଲା। ଏହା ଭାରତର ଡାଉନ୍ଲୋଡ୍ ସ୍ପିଡ୍ର ୧୦ ଗୁଣା ପାଖାପାଖି ଅଧିକ। ଆଶ୍ଚର୍ଯ୍ୟର ବିଷୟ ହେଉଛି ପ୍ରଯୁକ୍ତି ଦୃଷ୍ଟିରୁ ଉନ୍ନତ କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଡାଟା ସ୍ପିଡ୍ ଏତେ ଉନ୍ନତ ସ୍ଥିତିରେ ନାହିଁ। ଫିକ୍ସଡ୍ ଲାଇନ୍ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରରେ ସିଙ୍ଗାପୁର ଓ ଥାଇଲ୍ୟାଣ୍ଡ୍ ଭଳି ୪ଟି ଦେଶରେ ୨୦୦ ଏମ୍ବିପିଏସ୍ରୁ ଅଧିକ ସ୍ପିଡ୍ରେ ଡାଟା ମିଳୁଛି। ୟୁଏଇରେ ଡାଟା ସ୍ପିଡ୍ ୧୧୭.୧୬ ଏମ୍ବିପିଏସ୍ ହୋଇଥିବା ବେଳେ କତ୍ତାରରେ ୧୭୧.୧୫ ଏମ୍ବିପିଏସ୍, ଦକ୍ଷିଣ କୋରିଆରେ ୧୬୬.୪୧ ଏମ୍ବିପିଏସ୍, ଚୀନ୍ରେ ୧୪୮.୬୨ ଏମ୍ବିପିଏସ୍, ସାଉଦି ଆରବରେ ୧୧୯.୦୬ ଏମ୍ବିପିଏସ୍, ନରୱେରେ ୧୧୭.୦୧ ଏମ୍ବିପିଏସ୍, ଅଷ୍ଟ୍ରେଲିଆ ୧୧୦. ୩୪ ଏମ୍ବିପିଏସ୍, ନେଦରଲ୍ୟାଣ୍ଡ୍ରେ ୧୦୬.୩୪ ଏମ୍ବିପିଏସ୍, କୁଏତ୍ରେ ୧୦୪.୦୮ ଏମ୍ବିପିଏସ୍ ଡାଟା ସ୍ପିଡ୍ ରହିଛି। ଏହି ସମୟରେ ଭାରତରେ ଡାଟା ସ୍ପିଡ୍ ଅତି ନଗଣ୍ୟ ୧୨.୪୦ ଏମ୍ବିପିଏସ୍ ରହିଥିବା ବେଳେ ପାକିସ୍ତାନରେ ୧୭.୭୩ ଏମ୍ବିପିଏସ୍ ରହିଛି। ଆମେରିକାରେ ମୋବାଇଲ୍ ଡାଟା ସ୍ପିଡ୍ ୭୦.୨୫ ଏମ୍ବିପିଏସ୍ ରହିଛି।
ୟୁଏଇରେ ୧ ଜିବି ଫାଇଲ୍ ଡାଉନ୍ଲୋଡ୍ କରିବା ଲାଗି ଏକ ମିନିଟ୍ ୧୩ ସେକେଣ୍ଡ୍ ସମୟ ଲାଗୁଛି। ଭାରତରେ ସେହି ସମାନ ଆକାର ଫାଇଲ୍ ଡାଉନ୍ଲୋଡ୍ କରିବା ଲାଗି ୧୧ ମିନିଟ୍ ୩୨ ସେକେଣ୍ଡ୍ ସମୟ ଲାଗୁଛି। ପାକିସ୍ତାନରେ ସେହି ସମାନ ଫାଇଲ୍ ଡାଉନ୍ଲୋଡ୍ କରିବା ଲାଗି ୮ ମିନିଟ୍ ୪ ସେକେଣ୍ଡ୍ ସମୟ ଲାଗୁଛି। ଆମେରିକାରେ ଏଥିପାଇଁ ଦୁଇ ମିନିଟ୍ ଦୁଇ ସେକେଣ୍ଡ୍ ସମୟ ଲାଗୁଛି। ଚୀନ୍ରେ ସେଥିପାଇଁ ୫୭ ସେକେଣ୍ଡ ସମୟ ଲାଗୁଛି। ଭାରତରେ ଫିକ୍ସଡ୍ ବ୍ରଡ୍ବ୍ୟାଣ୍ଡ୍ ସ୍ପିଡ୍ ୫୫.୬୪ ଏମ୍ବିପିଏସ୍ ରହିଛି। ଦୁନିଆର ୨୯ଟି ଦେଶରେ ଭାରତ ଠାରୁ ଅଧିକ ସ୍ପିଡ୍ର ଡାଟା ମିଳୁଛି। ଚାରିଟି ଦେଶରେ ୨୦୦ ଏମ୍ବିପିଏସ୍ରୁ ଅଧିକ ସ୍ପିଡ୍ର ଫିକ୍ସଡ୍ ବ୍ରଡ୍ବ୍ୟାଣ୍ଡ୍ ଡାଟା ମିଳୁଥିବା ବେଳେ ୩୮ଟି ଦେଶରେ ଏହି ସ୍ପିଡ୍ ୧୦୦ ଏମ୍ବିପିଏସ୍ରୁ ଅଧିକ ରହିଛି। ଦୁନିଆର ସବୁଠୁ ଅଧିକ ସ୍ପିଡ୍ ଫିକ୍ସଡ ବ୍ରଡ୍ବ୍ୟାଣ୍ଡ୍ ସିଙ୍ଗାପୁରରେ ୨୩୮.୫୯ ଏମ୍ବିପିଏସ୍ ରହିଛି। ହଂକଂରେ ଏହି ସ୍ପିଡ୍ ୨୩୧.୭୦ ଏମ୍ବିପିଏସ୍, ଥାଇଲ୍ୟାଣ୍ଡ୍ରେ ୨୧୭.୭୦ ଏମ୍ବିପିଏସ୍ ଓ ରୋମାନିଆରେ ୨୦୫.୮୯ ଏମ୍ବିପିଏସ୍ ରହିଛି। ଆମେରିକାରେ ଏହି ସ୍ପିଡ୍ ୧୮୦.୮୪ ଏମ୍ବିପିଏସ୍ ରହିଛି।