ମୋବାଇଲ୍‌ ଇଣ୍ଟରନେଟ୍‌ ବେଗରେ ବହୁତ ପଛୁଆ

ନୂଆଦିଲ୍ଲୀ: ମୋବାଇଲ ଇଣ୍ଟରନେଟ୍‌ ସ୍ପିଡ୍‌ କ୍ଷେତ୍ରରେ ଭାରତ ବହୁପଛରେ ରହିଛି। ଭାରତ ୧୦୯ତମ ସ୍ଥାନରେ ରହିଛି। ସେହିଭଳି ଫିକ୍ସ ବ୍ରଡବ୍ୟାଣ୍ଡ୍‌ କ୍ଷେତ୍ରରେ ଭାରତ ୭୬ତମ ସ୍ଥାନରେ ରହିଛି। ଉକଲା ପକ୍ଷରୁ ନଭେମ୍ବର ମାସ ପାଇଁ ପ୍ରସ୍ତୁତ ସ୍ପିଡ୍‌ଟେଷ୍ଟ ବିଶ୍ୱ ସୂଚୀରେ ଭାରତକୁ ଏହି ସ୍ଥାନ ମିଳିଛି।
ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ୨୦୧୭ ପ୍ରାରମ୍ଭରେ ଭାରତରେ ମୋବାଇଲ ଡାଉନଲୋଡ ସ୍ପିଡ୍‌ ୭.୬୫ ଏମ୍‌ବିପିଏସ୍‌ ରହିଥିଲା। କିନ୍ତୁ ବର୍ଷର ଶେଷ ସୁଦ୍ଧା ଏହାର ବେଗ ବୃଦ୍ଧି ଘଟି ୮.୮୦ ଏମ୍‌ବିପିଏସ୍‌ରେ ରହିଛି। ଫଳରେ ବର୍ଷକ ମଧ୍ୟରେ ମୋବାଇଲ ଇଣ୍ଟରନେଟ୍‌ ସ୍ପିଡ ଭାରତରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ମୋବାଇଲ ଇଣ୍ଟରନେଟ୍‌ ସ୍ପିଡ୍‌ରେ ଏହି ବୃଦ୍ଧିକୁ ଉକଲା ପକ୍ଷରୁ ସାମାନ୍ୟ ବୋଲି ଦର୍ଶାଯାଇଛି। ତେବେ ଫିକ୍ସଡ ବ୍ରଡବ୍ୟାଣ୍ଡ୍‌ କ୍ଷେତ୍ରରେ ସ୍ପିଡ୍‌ ବା ବେଗରେ ବଡ଼ଧରଣର ବୃଦ୍ଧି ଘଟିଛି। ଚଳିତବର୍ଷ ଆରମ୍ଭରେ ଭାରତରେ ଫିକ୍ସଡ ବ୍ରଡବ୍ୟାଣ୍ଡ୍‌ର ବେଗ ୧୨.୧୨ ଏମ୍‌ବିପିଏସ୍‌ ରହିଥିଲା। ବର୍ଷ ଶେଷବେଳକୁ ଏହା ୧୮.୮୨ ପ୍ରତିଶତରେ ପହଞ୍ଚି ଯାଇଛି। ଅର୍ଥାତ୍‌ ଫିକ୍ସଡ ବ୍ରଡବ୍ୟାଣ୍ଡ୍‌ ବେଗ ୫୫ ପ୍ରତିଶତ ବୃଦ୍ଧି ଘଟିଛି।
ନଭେମ୍ବର ମାସରେ ସବୁଠୁ ଅଧିକ ବେଗରେ ମୋବାଇଲ ଇଣ୍ଟରନେଟ୍‌ ସେବା ଯୋଗାଉଥିବା ଦେଶମାନଙ୍କ ଶୀର୍ଷରେ ନରେଓ୍ଵ ରହିଛି। ଏଠାରେ ମୋବାଇଲ ଇଣ୍ଟରନେଟ୍‌ର ବେଗ ୬୨.୬୬ ଏମ୍‌ବିପିଏସ୍‌ ରହିଛି। ତେବେ ଫିକ୍ସଡ ବ୍ରଡବ୍ୟାଣ୍ଡ୍‌ କ୍ଷେତ୍ରରେ ସିଙ୍ଗାପୁର ସବୁଠୁ ଆଗରେ ରହିଛି। ଏଠାରେ ଡାଉନଲୋଡର ହାରାହାରି ବେଗ ୧୫୩.୮୫ ଏମ୍‌ବିପିଏସ୍‌ ରହିଛି।

ସମ୍ବନ୍ଧିତ ଖବର