ଗୁଗୁଲ୍‌ ପ୍ରି-ଇନଷ୍ଟଲ ଆପ୍‌ର ବିକଳ୍ପ: ମୋବାଇଲ ଫୋନ୍ ବିକ୍ରି ପ୍ରଭାବିତ ହୋଇପାରେ

ନୂଆଦିଲ୍ଲୀ : ଗୁଗୁଲ୍‌ ବିରୋଧରେ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)ର ଜରିମାନା ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ସ୍ମାର୍ଟଫୋନ୍‌ ନିର୍ମାତା ଏବେ ଚିନ୍ତାରେ ପଡ଼ିଛନ୍ତି। ଗୁଗୁଲ୍‌ ଭଳି ପ୍ରି-ଇନଷ୍ଟଲ ଆପ୍‌ରେ ସ୍ମାର୍ଟଫୋନ ବ୍ୟବହାରକାରୀ ଯେଉଁ ଅନୁଭୂତି ଏବେ ପାଉଛନ୍ତି ଅନ୍ୟ ବିକଳ୍ପ ଆପ୍‌ରେ ଯଦି ସେହି ଅନୁଭୂତି ନମିଳେ ତାହେଲେ ମୋବାଇଲ ଫୋନ୍‌ଗୁଡ଼ିକର ବିକ୍ରି ପ୍ରଭାବିତ ହେବା ଆଶଙ୍କା ରହିଛି। ଦେଶରେ ମୋବାଇଲ ଫୋନ୍‌ ଚାହିଦା ‌ଏବେ ଭଲ ନଥିବାବେଳେ ଆଗକୁ ଯଦି ଏଭଳି ସମସ୍ୟା ଦେଖାଦେବ ତାହେଲେ ବିକ୍ରି ଆହୁରି ବାଧାପ୍ରାପ୍ତ ହେବ। ମୋବାଇଲ ଫୋନ ଶିଳ୍ପ କ୍ଷେତ୍ରର କିଛି ଅଧିକାରୀଙ୍କ କହିବାନୁଯାୟୀ, ସିସିଆଇଙ୍କ ରାୟ ଫଳରେ ସ୍ମାର୍ଟ‌ଫୋନ ଏବଂ ଫିଚର ଫୋନ ମଧ୍ୟରେ ମୂଲ୍ୟରେ ଥିବା ପାର୍ଥକ୍ୟ ହ୍ରାସ ପାଇପାରେ।

ସିସିଆଇ ନିର୍ଦ୍ଦେଶ ଆସିବା ପରେ ଗୁଗୁଲ୍‌ ଏହାର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମରେ ପରିବର୍ତ୍ତନ ଆଣିଛି। ଏହାଫଳରେ କମ୍ପାନିଗୁଡ଼ିକ ନିର୍ମାଣ କରୁଥିବା ମୋବାଇଲ ଫୋନ୍‌ରେ ଗୁଗୁଲ୍‌ର କେଉଁସବୁ ଆପ୍‌କୁ ଆଗୁଆ ଇନଷ୍ଟଲ କରିବେ ତାହାକୁ ସେମାନେ ଚୟନ କରିପାରିବେ। ନୂଆ ଆଣ୍ଡ୍ରଏଡ ଡିଭାଇସ ସେଟିଂ କରିବା ସମୟରେ ୟୁଜରମାନେ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନକୁ ଚୟନ ସୁବିଧା ଗୁଗୁଲ୍ ପ୍ରଦାନ କରିଛି। ଏଥିସହିତ ଆପ୍ ଷ୍ଟୋର ବ୍ୟବହାର ବିନା ଆପ୍‌ର ସାଇଡ୍ ଲୋଡିଂ ସୁବିଧା ପ୍ରଦାନ କରିଛି। ସିସିଆଇ ନିର୍ଦ୍ଦେଶ ଉପରେ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ମୋବାଇଲ ଫୋନ ନିର୍ମାତମାନେ ଗୁଗୁଲ୍‌ ସହିତ ହ୍ୟାଣ୍ଡସେଟ୍ ନିର୍ମାଣ ନେଇ ହୋଇଥିବା ରାଜିନାମାରେ କ’ଣ ପରିବର୍ତ୍ତନ ଆବଶ୍ୟକ ତାହାର ଅନୁଧ୍ୟାନ କରୁଛନ୍ତି।

ସ୍ମାର୍ଟଫୋନ ନିର୍ମାତାଙ୍କୁ ଗୁଗୁଲ୍‌ ଏହାର ଆପ୍‌ ଚୟନ କରିବା ସୁଯୋଗ ଦେଇଥିବାରୁ ଫୋନ ବିକ୍ରି ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଗବେଷଣା ବିଭାଗ ନିର୍ଦ୍ଦେଶକ ତରୁଣ ପାଠକ କହିଛନ୍ତି। ଶ୍ରୀ ପାଠକଙ୍କ କହିବାନୁଯାୟୀ, ଗ୍ରାହକମାନେ ଗୁଗୁଲ୍‌ ଆପ୍‌ ଉପରେ ବହୁମାତ୍ରାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। କୌଣସି ତୃତୀୟ ପକ୍ଷ ଆପ୍‌ ବିକାଶକାରୀ ପାଇଁ ଏଭଳି ଆପ୍‌ ବିକାଶ କଷ୍ଟକର ହୋଇପଡ଼ିବ। ଗୁଗୁଲ୍‌ର ଆପ୍‌ ସଂପର୍କରେ ଭାରତୀୟ ମୋବାଇଲ ଫୋନ ଗ୍ରାହକମାନେ ଅଧିକ ପରିଚିତ। ତେଣୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ସେମାନଙ୍କ ପାଇଁ ଗ୍ରହଣୀୟ ହେବା ଆବଶ୍ୟକ।
ଦେଶର ଅନ୍ୟଜଣେ ବରିଷ୍ଠ ଅଧିକାରୀ ମଧ୍ୟ ପାଠକଙ୍କ ମତ ସହ ଏକମତ ହୋଇଛନ୍ତି। ଏ ନେଇ ସେ ହୁୱେଇ ଫୋନ୍‌ର ଉଦାହରଣ ଦେଇଛନ୍ତି। ୨୦୧୯ରେ ଯୁକ୍ତରାଷ୍ଟ୍ର ଆମେରିକା ହୁୱେଇ କମ୍ପାନି ବିରୋଧରେ କଟକଣା ଲଗାଇଥିଲା। ଏହି କଟକଣା ପରେ ହ‌ୁୱେଇ ‌ସ୍ମାର୍ଟଫୋନରେ ଗୁଗୁଲ୍‌ ଆପ୍‌ ଉପଲବ୍ଧ ହେଲାନାହିଁ। ତେଣୁ ଗୁଗୁଲ୍‌ ଆପ୍‌ ନରହିବା କାରଣରୁ ହୁୱେଇ ସ୍ମାର୍ଟଫୋନର ବିକ୍ରି ବହୁମାତ୍ରାରେ ହ୍ରାସ ପାଇଲା। ତେଣୁ ଆଣ୍ଡ୍ରଏଡ ୟୁଜରଙ୍କ ମଧ୍ୟରେ ଗୁଗୁଲ୍‌ ଆପ୍‌ର ପ୍ରଭାବ ଏଥିରୁ ସହଜରେ ଅନୁମେୟ ବୋଲି ସେ କହିଛନ୍ତି।

ଫୋନ୍‌ରେ ସୁବିଧା ‌ସୁଯୋଗ ଉପଲବ୍ଧ କରାଇବା ନେଇ ନିର୍ମାତାଙ୍କୁ ସ୍ବାଧୀନତା ମିଳିଛି। କିନ୍ତୁ ପରିବର୍ତ୍ତନକୁ ଗ୍ରାହକମାନେ କିଭଳି ଗ୍ରହଣ କରୁଛନ୍ତି ତାହା ହିଁ ଏଠାରେ ଦେଖିବାର ଆବଶ୍ୟକତା ରହିଛି। ଗୁଗୁଲ୍‌ ଆପ୍‌ରେ ଯେଉଁଭଳି ଅନୁଭୂତି ଫୋନ ବ୍ୟବହାରକାରୀଙ୍କୁ ମିଳୁଛି ତାହାଠାରୁ ଉନ୍ନତ ଅନୁଭୂତି ଅନ୍ୟ ଆପ୍‌ରୁ ହିଁ ମିଳିଲେ କମ୍ପାନିଗୁଡ଼ିକ ଏଥିରୁ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ। ଟେକ୍‌ଆର୍କର ମୁଖ୍ୟ ବିଶ୍ଳେଷକ ‌ଫୈସଲ କାଉସାଙ୍କ କହିବାନୁଯାୟୀ, ସିସିଆଇର ନିର୍ଦ୍ଦେଶ ଏବଂ ଗୁଗୁଲର ପଦକ୍ଷେପ ଫଳରେ ମୋବାଇଲ ଫୋନ, ବିଶେଷକରି ଏଣ୍ଟ୍ରି ଲେଭେଲ ‌ସ୍ମାର୍ଟଫୋନର ମୂଲ୍ୟ ହ୍ରାସ ପାଇପାରେ। ଫଳରେ ଦେଶରେ ୨୦ କୋଟି ଫିଚର ଫୋନ ବ୍ୟବହାରୀଙ୍କୁ ସ୍ମାର୍ଟଫୋନ ବ୍ୟବହାରକାରୀରେ ପରିଣତ କରିବା ଲାଗି କମ୍ପାନିଗୁଡ଼ିକ ଲକ୍ଷ୍ୟ ରଖିପାରନ୍ତି।

ସମ୍ବନ୍ଧିତ ଖବର