ଉତ୍ସବ ଋତୁରେ କମ୍‌ ଦାମ୍‌ରେ ମିଳିବ ମୋବାଇଲ୍‌: ମୋଟା ଅଙ୍କର ରିହାତି, ଅଫର ଘୋଷଣା ହେବ

ନୂଆଦିଲ୍ଲୀ: ଦରଦାମ୍ ବଢ଼ିବାରୁ ସ୍ମାର୍ଟଫୋନ୍ କଂପାନିଗୁଡ଼ିକ ପାଖରେ ବିପୁଳ ଷ୍ଟକ ରହିଯାଇଛି। ସେଗୁଡ଼ିକୁ ବିକ୍ରି କରିବା ଲାଗି ଉତ୍ସବ ଋତୁରେ ସେମାନେ ବଡ଼ ଧରଣର ରିହାତି ଘୋଷଣା କରିବେ ବୋଲି ଆଶା କରାଯାଉଛି। କେବଳ ଅନଲାଇନ୍ ନୁହେଁ ଷ୍ଟୋର୍‌ରେ ବିକ୍ରି ହେଉଥିବା ଫୋନ୍‌ ଉପରେ ମଧ୍ୟ ରିହାତି ଓ ଅନ୍ୟାନ୍ୟ ଅଫର ମିଳିବାର ସମ୍ଭାବନା ରହିଛି। ଗୋଟିଏ ପଟେ ଦେଶରେ ବିଭିନ୍ନ ସାମଗ୍ରୀର ଦାମ୍ ବଢ଼ିବା ଯୋଗୁଁ ଲୋକମାନଙ୍କ ପାଖରେ ସଞ୍ଚୟ ରାଶି ହ୍ରାସ ପାଇଥିବା ବେଳେ ଅନ୍ୟ ପଟେ ସ୍ମାର୍ଟଫୋନ୍‌ର ହାରାହାରି ବିକ୍ରି ମୂଲ୍ୟରେ ବୃଦ୍ଧି ଯୋଗୁଁ ସେମାନେ ଫୋନ୍ କିଣିବା ଲାଗି ଆବଶ୍ୟକ ଅର୍ଥ ଯୋଗାଡ଼ କରିପାରିନାହାନ୍ତି। ଫଳରେ ବିକ୍ରି ଗୁରୁତର ପ୍ରଭାବିତ ହୋଇଛି। ସେଥିପାଇଁ କଂପାନିଗୁଡ଼ିକ ପାଖରେ ବିପୁଳ ପରିମାଣର ଷ୍ଟକ ରହିଯାଇଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ବିକ୍ରି ଦୁର୍ବଳ ରହିବା କାରଣରୁ ରାଜସ୍ବ ଉପରେ ତାହାର ପ୍ରଭାବ ପଡ଼ିଛି। ବର୍ଷର ଦ୍ବିତୀୟ ଭାଗରେ ବିକ୍ରି ବଢ଼ାଇ ସେହି ଅଭାବ ପୂରଣ କରିବାକୁ କଂପାନିଗୁଡ଼ିକ ଧ୍ୟାନ ଦେଉଥିବା ଜଣାପଡ଼ିଛି। ଦାମୀ ଫୋନ୍ କିଣିବାରେ ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଲାଗି କଂପାନିଗୁଡ଼ିକ ଲୋଭନୀୟ ଇଏମ୍‌ଆଇ ସ୍କିମ୍‌ ମଧ୍ୟ ଘୋଷଣା କରିବେ ବୋଲି ଆଶା କରାଯାଉଛି। କଂପାନି ପାଖରେ ରହିଯାଇଥିବା ଷ୍ଟକ ଖାଲି କରିବା ଲାଗି ରିଟେଲ୍‌ମାନଙ୍କ ମାର୍ଜିନକୁ ମଧ୍ୟ ବୃଦ୍ଧି କରାଯିବ। ଫଳରେ ସେମାନେ ଗ୍ରାହକଙ୍କୁ ରିହାତି ଦେଇପାରିବେ।

ସର୍ବଭାରତୀୟ ମୋବାଇଲ୍ ରିଟେଲର ସଂଘର ସଭାପତି ଅରବିନ୍ଦର ଖୁରାନା କହିଛନ୍ତି ଯେ କଂପାନିଗୁଡ଼ିକ ପାଖରେ ବିପୁଳ ପରିମାଣର ଷ୍ଟକ ରହିଛି। କିନ୍ତୁ ଅନଲାଇନ୍ ସଂସ୍ଥାଗୁଡ଼ିକ ଅଧିକ ଉତ୍ପାଦ ନେବାକୁ ରାଜି ହେଉନାହାନ୍ତି। ସେଥିପାଇଁ ଷ୍ଟୋର୍‌ରେ ମୋବାଇଲ୍‌ ବିକ୍ରି କରୁଥିବା ରିଟେଲର୍‌ମାନଙ୍କ ପାଇଁ ମାର୍ଜିନ ବୃଦ୍ଧି କରାଯାଇଛି। ଷ୍ଟ୍ରାଟେଜି ଆନାଲିଟିକ୍ସର ନିର୍ଦେଶକ ଶ୍ରବଣ କୁଣ୍ଡୋଜାଲା କହିଛନ୍ତି ଯେ ୫-୮ କୋଟି ମୋବାଇଲ୍‌ର ଷ୍ଟକ ଥିବା ଅନୁମାନ କରାଯାଉଛି। କିନ୍ତୁ ଏତେ ପରିମାଣର ମୋବାଇଲ୍‌କୁ ଭାରତୀୟ ବଜାରରେ ବିକ୍ରି କରିବା ସମ୍ଭବ ନୁହେଁ। ସେଥିପାଇଁ ଅନ୍ୟ ଯୋଜନା ଉପରେ ମଧ୍ୟ କଂପାନିଗୁଡ଼ିକ କାମ କରୁଛନ୍ତି। ସାରା ବିଶ୍ବରେ ସାମସଙ୍ଗ୍‌ର ପ୍ରାୟ ୫ କୋଟି ଫୋନ୍ ବିତରକଙ୍କ ପାଖରେ ପଡ଼ିରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର