ଠପ୍‌ ହୋଇଯିବ ମୋବାଇଲ ନମ୍ବର ପୋର୍ଟେବିଲିଟି !ଟ୍ରାଇ କମାଇ ଦେଇଛି ଶୁଳ୍କ

ଲାଇସେନ୍ସ ନବୀକରଣ କରି ନପାରନ୍ତି କମ୍ପାନି

ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚ ମାସ ପରେ ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି ବା ଏମ୍‌ଏନ୍‌ପି ସେବା ଠପ୍‌ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ଫଳରେ କମ୍ପାନି ବଦଳାଇଲେ ମଧ୍ୟ ମୋବାଇଲ ନମ୍ବର ଅପରିବର୍ତ୍ତିତ ରହୁଥିବା ସେବା ଆଉ ଟେଲିଫୋନ୍‌ ଗ୍ରାହକଙ୍କୁ ମିଳି ନପାରେ। ଦେଶରେ ଏମ୍‌ଏନ୍‌ପି ଇଣ୍ଟରକନେକ୍ସନ ଟେଲିକମ୍‌ ସଲ୍ୟୁସନ୍ସ ଏବଂ ସିନିଭର୍ସ ଟେକ୍ନୋଲୋଜିଜ୍‌ ନାମକ ଦୁଇଟି କମ୍ପାନି ଦେଶରେ ଏମ୍‌ଏନ୍‌ପି ସେବା ଯୋଗାଉଛନ୍ତି। ଏମ୍‌ଏନ୍‌ପି ଇଣ୍ଟରକନେକ୍ସନ ଦକ୍ଷିଣ ଓ ପୂର୍ବ ଭାରତରେ ଏହି ସେବା ଯୋଗାଉଥିବାବେଳେ ସିନିଭର୍ସ ଟେକ୍ନୋଲୋଜିଜ୍‌ ଉତ୍ତର ଏବଂ ପଶ୍ଚିମ ଭାରତରେ ଏହି ସେବା ଯୋଗାଇ ଦେଉଛନ୍ତି।
ପୂର୍ବରୁ ଏମ୍‌ଏନ୍‌ପି ସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ଗ୍ରାହକଙ୍କଠାରୁ ଏଥିପାଇଁ ୧୯ ଟଙ୍କା ଲେଖାଏଁ ନେଉଥିଲେ। କିନ୍ତୁ ଗତ ଜାନୁଆରିରୁ ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏହି ଶୁଳ୍କକୁ ୪ ଟଙ୍କାକୁ କମାଇ ଦେଇଛି। ଫଳରେ କମ୍ପାନି ଗୁଡ଼ିକ ଏବାବଦରେ ବହୁତ କ୍ଷତି ସହୁଛନ୍ତି। ଏପରିକି କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ସମ୍ଭବପର ହେଉନାହିଁ ବୋଲି କହିଛନ୍ତି। ଟ୍ରାଇ ପକ୍ଷରୁ ଏମ୍‌ଏନ୍‌ପି ଶୁଳ୍କରେ ପ୍ରାୟ ୮୦ ପ୍ରତିଶତ ହ୍ରାସ କରାଯାଇ ଥିବାରୁ ସେମାନେ ଆସନ୍ତାବର୍ଷ ମାର୍ଚ୍ଚ ପରେ ଏହି ସେବା ବନ୍ଦ କରିବାକୁ ବାଧ୍ୟହେବେ ବୋଲି କହିଛନ୍ତି। ଏ ବିଷୟରେ କମ୍ପାନି ଦ୍ୱୟ ଟେଲିକମ୍‌ ବିଭାଗକୁ ମଧ୍ୟ ଜଣାଇ ଦେଇଛନ୍ତି। ମାର୍ଚ୍ଚ ପରେ ଯଦି ଉପରୋକ୍ତ କମ୍ପାନି ଦ୍ୱୟ ସେମାନଙ୍କ ଲାଇସେନ୍ସ ନବୀକରଣ ନକରନ୍ତି ତାହେଲେ ଗ୍ରାହକମାନେ ଏମ୍‌ଏନ୍‌ପି ସେବା ପାଇପାରିବେ ନାହିଁ। ଫଳରେ ଗ୍ରାହକମାନେ ଗୋଟିଏ ଟେଲିଫୋନ ସେବା ପ୍ରଦାନକାରୀ କମ୍ପାନିର ସେବାର ମାନରେ ଅସନ୍ତୁଷ୍ଟ ରହିଲେ ସେହି କମ୍ପାନିରେ ରହିବାକୁ ବାଧ୍ୟହେବେ। ରିଲାଏନ୍ସ ଜିଓ ଆସିବା ପରେ ଦେଶରେ ଏମ୍‌ଏନ୍‌ପି ସଂଖ୍ୟା ବହୁମାତ୍ରାରେ ବଢ଼ି ଯାଇଛି। ଉପରୋକ୍ତ ଏମ୍‌ଏନ୍‌ପି ସେବା ପ୍ରଦାନକାରୀ କମ୍ପାନି ଦ୍ୱୟ ଆରମ୍ଭରୁ ଗତବର୍ଷ ମାର୍ଚ୍ଚ ସୁଦ୍ଧା ୩୭ କୋଟିରୁ ଅଧିକ ପୋର୍ଟିଂ କରିଛନ୍ତି। କେବଳ ମାର୍ଚ୍ଚ ମାସରେ ୨ କୋଟି ପୋର୍ଟିଂ ଅନୁରୋଧ ପାଇଛନ୍ତି। ଟ୍ରାଇର ଏ ପ୍ରକାର ଶୁଳ୍ପ ହ୍ରାସ ନିଷ୍ପତ୍ତି ବିରୋଧରେ କମ୍ପାନି ଦ୍ୱୟ ଅଦାଲତକୁ ଯାଇଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ଜୁଲାଇ ୪ ତାରିଖରେ ହେବ।
ସିନିଭର୍ସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏନ୍‌ଏନ୍‌ପି ଶୁଳ୍କ ପୂର୍ବରୁ ଯେଉଁ ହିସାବରେ ଆଦାୟ କରାଯାଉଥିଲା ଟ୍ରାଇ ସେଥିରେ ପରିବର୍ତ୍ତନ ଆଣିଛି। କେବଳ ସଫଳ ହେଉଥିବା ଏମ୍‌ଏନ୍‌ପି ପାଇଁ କମ୍ପାନିକୁ ଶୁଳ୍କ ପ୍ରଦାନ କରାଯିବ। କୌଣସି ଅସଫଳ ପୋର୍ଟିଂ ପାଇଁ କମ୍ପାନିକୁ ଅର୍ଥ ଦିଆଯିବ ନାହିଁ ବୋଲି ଟ୍ରାଇ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା କମ୍ପାନିଙ୍କ ପ୍ରଭାବୀ ଶୁଳ୍କ ଏମ୍‌ଏନ୍‌ପି ପିଛା ୪ ଟଙ୍କାକୁ ଖସିଆସିଛି।

ସମ୍ବନ୍ଧିତ ଖବର