ମୋବାଇଲ୍‌ ରିଚାର୍ଜ ଆହୁରି ମହଙ୍ଗା ହେବ, ଗତବର୍ଷ ନଭେମ୍ବରରେ ୨୦% ବଢ଼ିଥିଲା

ସବୁ କଂପାନି ଗ୍ରାହକ ହରାଇଥିଲେ, ୫ଜି ପାଇଁ ପାଣ୍ଠି ଯୋଗାଡ଼ କରିବା ଚାପ

ନୂଆଦିଲ୍ଲୀ: ସୁଲଭ ମୂଲ୍ୟର ମୋବାଇଲ୍ ସେବା ଯୁଗ ଏକପ୍ରକାର ଶେଷ ହେବାକୁ ଯାଉଛି। ଟେଲିକମ୍ କଂପାନିଗୁଡ଼ିକ ଚଳିତ ବର୍ଷ ଆଉ ଥରେ ରିଚାର୍ଜ ଦାମ୍ ବଢ଼ାଇବା ବିଷୟରେ ବିଚାର କରୁଛନ୍ତି। ଦେଶର ଅନ୍ୟତମ ଅଗ୍ରଣୀ ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍‌ର ସିଇଓ ଗୋପାଳ ଭିଟ୍ଟଲ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଟାରିଫ୍‌ ଦାମ୍ ବଢ଼ାଇବାକୁ ହେବ। ୨୦୨୨ରେ ପୁଣି ଥରେ ଦାମ୍ ବଢ଼ିବ। ଆସନ୍ତା ୩-୪ ମାସ ଭିତରେ ଦରବୃଦ୍ଧି ହେବ ବୋଲି ସେ ଆକଳନ କରିଛନ୍ତି। ଗ୍ରାହକ ସଂଖ୍ୟାରେ ବୃଦ୍ଧି ଓ ବଜାରରେ ରହିଥିବା ପ୍ରତିଦ୍ବନ୍ଦ୍ବିତାକୁ ବିଚାରକୁ ନେଇ କଂପାନିଗୁଡ଼ିକ ରିଚାର୍ଜ ମୂଲ୍ୟ ବଢ଼ାଇବେ। ଆଗୁଆ ଟାରିଫ୍ ବଢ଼ାଇବା ଲାଗି ଆମେ କୁଣ୍ଠା ପ୍ରକାଶ କରିବୁ ନାହିଁ ବୋଲି ଭିଟ୍ଟଲ କହିଛନ୍ତି।

ବର୍ତ୍ତମାନ ଗ୍ରାହକ ପିଛା ମାସିକ ରାଜସ୍ବ ୧୬୩ ଟଙ୍କା ସ୍ତରରେ ରହିଛି। ତାହାକୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ସେ ଚାହୁଛନ୍ତି। ଗତବର୍ଷ ନଭେମ୍ବରରେ ପ୍ରଥମ କଂପାନି ଭାବେ ଏୟାରଟେଲ୍ ଏହାର ରିଚାର୍ଜ ମୂଲ୍ୟ ବଢ଼ାଇଥିଲା। ଏହା ପରେ ଭୋଡାଫୋନ୍ ଆଇଡିଆ ଓ ରିଲାଏନ୍ସ ଜିଓ ସେଭଳି ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ମୋବାଇଲ୍‌ ରିଚାର୍ଜ ମୂଲ୍ୟରେ ୨୦-୨୫% ଭଳି ବୃଦ୍ଧି ଘଟିଥିଲା। ତିନି ମାସିଆ ସେବା ଲାଗି ଯେଉଁ ଗ୍ରାହକମାନେ ୬୦୦ ଟଙ୍କା ରିଚାର୍ଜ କରୁଥିଲେ ଏବେ ସେମାନଙ୍କୁ ସାଢ଼େ ୭୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଛି। ଗତ ମାସରେ ଭୋଡାଫୋନ୍ ଆଇଡିଆର ସିଇଓ ରବିନ୍ଦର ଟକ୍କର ମଧ୍ୟ ରିଚାର୍ଜ ମୂଲ୍ୟ ବୃଦ୍ଧିର ସମ୍ଭାବନା ଥିବା କହିଥିଲେ। ଗତବର୍ଷ ରିଚାର୍ଜ ମୂଲ୍ୟ ବଢ଼ାଇବା ପରେ ପ୍ରାୟ ସବୁ କଂପାନିଗୁଡ଼ିକର ଗ୍ରାହକ ପିଛା ମାସିକ ଆୟରେ ଉନ୍ନତି ହୋଇଥିଲା। କିନ୍ତୁ ତାହାର ଖରାପ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ଏୟାରଟେଲ୍‌ ୬ ଲକ୍ଷ ଓ ଜିଓ ୮୫ ଲକ୍ଷ ଗ୍ରାହକ ହରାଇଥିଲା।

ଏୟାରଟେଲ୍‌ର ସିଇଓ ଶ୍ରୀ ଭିଟ୍ଟଲ କହିଛନ୍ତି ଯେ ରିଚାର୍ଜ ମହଙ୍ଗା ହେବା ପରେ ଏକାଧିକ ସିମ୍‌ ରଖିଥିବା ଗ୍ରାହକମାନେ ନିଜ କ୍ଷମତା ଅନୁସାରେ ଯେତିକି ରିଚାର୍ଜ କରିପାରିବେ ସେତିକି ସିମ୍ ରଖୁଛନ୍ତି ଓ ଅନ୍ୟଗୁଡ଼ିକୁ ବାହାର କରିଦେଉଛନ୍ତି। ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ। ଏପ୍ରିଲ୍‌ ଠାରୁ ପୁଣି ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଦେଶରେ ୫ଜି ମୋବାଇଲ୍‌ ସେବା ଆରମ୍ଭ କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ଜୋରସୋର ଉଦ୍ୟମ କରୁଛନ୍ତି। ୪ଜି ସମୟରେ ଜିଓ ଯେଉଁଭଳି ବାଜିମାତ କରି ଟେଲିକମ୍ ଶିଳ୍ପକୁ ଓଲଟପାଲଟ କରିଦେଇଥିଲା ସେଭଳି ସ୍ଥିତି ଆଉ ଥରେ ସୃଷ୍ଟି ହେବ ବୋଲି କଂପାନିଗୁଡ଼ିକ ଚାହୁନାହାନ୍ତି। ତେଣୁ ଆସନ୍ତା ମେ’-ଜୁନ୍ ମଧ୍ୟରେ ହେବାକୁ ଥିବା ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି କଂପାନିଗୁଡ଼ିକ ପାଣ୍ଠି ଯୋଗାଡ଼ କରୁଛନ୍ତି। ଋଣ ଜରିଆରେ ପାଣ୍ଠି ହାସଲ କରିବାର ସୁଯୋଗ ସଙ୍କୁଚିତ ହୋଇଥିବାରୁ ଗ୍ରାହକମାନଙ୍କ ଉପରେ ରିଚାର୍ଜ ବୋଝ ଲଦି ପାଣ୍ଠି ଯୋଗାଡ଼ କରିବାକୁ କଂପାନିଗୁଡ଼ିକ ଉଦ୍ୟମ କରିବେ। ବର୍ତ୍ତମାନ ଦେଶରେ ଥିବା ମାତ୍ର ୩-୪ ପ୍ରତିଶତ ସ୍ମାର୍ଟଫୋନ୍‌ ୫ଜି ପାଇଁ ଉପଯୋଗୀ ରହିଛି। ମାର୍ଚ୍ଚ ସୁଦ୍ଧା ସେଭଳି ସ୍ମାର୍ଟଫୋନ୍‌ର ଭାଗ ୧୦-୧୨% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୦୨୩-୨୪ ସୁଦ୍ଧା ଗ୍ରାହକମାନେ ବ୍ୟାପକ ଭାବେ ୫ଜି ସେବା ବ୍ୟବହାର କରିବେ ବୋଲି ସେ କହିଛନ୍ତି। ଡିଜେଲ୍ ଦାମ୍‌ରେ ବୃଦ୍ଧି ଏବଂ ନେଟ୍‌ୱର୍କକୁ ବିସ୍ତାର କରିବାକୁ ପଡ଼ୁଥିବାରୁ ଟେଲିକମ୍ କଂପାନିଗୁଡ଼ିକର ଖର୍ଚ୍ଚ ବହୁତ ବଢ଼ିଯାଇଛି। ସେହି ଅନୁସାରେ ଗ୍ରାହକଙ୍କ ଠାରୁ ରିଟର୍ଣ୍ଣ ମିଳୁନାହିଁ।

ସମ୍ବନ୍ଧିତ ଖବର