ନୂଆଦିଲ୍ଲୀ: ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ଲାଗି ପକେଟ୍‌ରୁ ଆହୁରି ଅଧିକ ଟଙ୍କା ବାହାର କରିବାକୁ ପଡ଼ିପାରେ। କାରଣ ପୁଣି ଥରେ ରିଚାର୍ଜ ଦାମ୍ ବଢ଼ାଇବା ଉପରେ ଟେଲିକମ୍ କମ୍ପାନିଗୁଡ଼ିକ ବିଚାର କରୁଛନ୍ତି। ଦେଶର ଅନ୍ୟତମ ପ୍ରମୁଖ ‌କମ୍ପାନି ଏୟାରଟେଲ୍‌ ଏନେଇ ଏକ ସଙ୍କେତ ଦେଇଛି। ଶିଳ୍ପରେ ନିବେଶ ଓ ଦୀର୍ଘକାଳୀନ ଭାବେ ମୂଲ୍ୟ ସୃ‌ଷ୍ଟି ଜାରି ରଖିବାକୁ ହେଲେ ଶୁଳ୍କରେ ପରିବର୍ତ୍ତନ ଆବଶ୍ୟକ ଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏୟାରଟେଲ୍‌ର ପରିଚାଳନା ନିର୍ଦ୍ଦେଶକ ଗୋପାଳ ଭିଟଲ କହିଛନ୍ତି ଯେ ନିବେଶ ଜାରି ରଖିବା ଲାଗି ଟାରିଫ୍‌ରେ ଆହୁରି ପରିବର୍ତ୍ତନ ଆବଶ୍ୟକ। ୨୦୨୪ ଜୁଲାଇରେ ଟେଲିକମ୍ କମ୍ପାନିଗୁଡ଼ିକ ଶୁଳ୍କ ବୃଦ୍ଧି କରିଥିଲେ। ଫଳରେ ରିଚାର୍ଜ ଯଥେଷ୍ଟ ମହଙ୍ଗା ହୋଇଛି। 

Advertisment

ତାହା ଗ୍ରାହକମାନଙ୍କ ପକେଟ୍‌ ଫାଙ୍କା କରୁଥିବା ବେଳେ କମ୍ପାନି ଖାତାରେ କିନ୍ତୁ ଅଧିକ ରାଜସ୍ବ ଯୋଡ଼ିଛି। କମ୍ପାନିଗୁଡ଼ିକର ଗ୍ରାହକ ପିଛା ରାଜସ୍ବରେ ଯଥେଷ୍ଟ ଉନ୍ନତି ହୋଇଛି। ତେବେ ଶୁଳ୍କ ସମ୍ପର୍କରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ୨୦୧୪ ପରଠାରୁ ମୋବାଇଲ୍‌ ଫୋନ୍ ଟାରିଫ୍‌ ୯୪ ପ୍ରତିଶତ ହ୍ରାସ ପାଇଛି। ସେତେବେଳେ ଦେଶରେ ୯୦ କୋଟି ମୋବାଇଲ୍‌ ଗ୍ରାହକ ଥିଲେ। ଏବେ ସେମାନଙ୍କ ସଂଖ୍ୟା ୧୧୬ କୋଟିରୁ ଅଧିକ ହୋଇଛି। ୨୦୧୪‌ରେ ୨୫ କୋଟି ଇଣ୍ଟରନେଟ୍ ଗ୍ରାହକ ଥିଲେ, ଏବେ ସେହି ସଂଖ୍ୟା ୯୭.୪୪ କୋଟିରେ ପହଞ୍ଚିଥିବା ସେ କହିଛନ୍ତି। ୨୦୧୪ରେ ଗୋଟିଏ ମିନିଟ୍‌ର କଲ୍‌ କରିବା ଲାଗି ୫୦ ପଇସା କଟୁଥିଲା। ଏବେ ସେଥିପାଇଁ ମାତ୍ର ୩ ପଇସା ଗଣିବାକୁ ପଡ଼ୁଛି। ଅଧିକାଂଶ ରିଚାର୍ଜରେ ଟକ୍‌ଟାଇମ୍‌ ମାଗଣା ହୋଇଥିବା ବେଳେ କେବଳ ଡାଟା ପାଇଁ ପଇସା ଗଣିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।