ଭୁବନେଶ୍ବର: ଭାରତ ଡିଜିଟାଲ ହେଉଥିବା ବେଳେ ଅନେକ ସେବା ମୋବାଇଲ୍ ଜରିଆରେ ଉପଲବ୍ଧ ହେଉଛି। କିନ୍ତୁ ଓଡ଼ିଶାରେ ଆଜି ବି ଏଭଳି କିଛି ଗାଁ ରହିଛି, ଯେଉଁଠାରେ ମୋବାଇଲ୍ ସେବା ପହଞ୍ଚିପାରିନାହିଁ। ଫଳରେ ସେହି ଅଞ୍ଚଳର ବାସିନ୍ଦାମାନେ ଡିଜିଟାଲ୍ ବିପ୍ଳବରେ ଯୋଡ଼ିହୋଇପାରିନାହାନ୍ତି। ବିଧାନସଭାରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୫୧,୧୭୬ ଗାଁ ରହିଛି।
ସେଥିରୁ ୨୬୦୩ଟି ଗାଁରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ। ତେବେ ଏହି ଗାଁଗୁଡ଼ିକରେ ମୋବାଇଲ୍ ସେବା ପହଞ୍ଚାଇବା ଲାଗି ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ସେବା ପହଞ୍ଚାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଡିଜିଟାଲ୍ ଭାରତ ନିଧି ଅଭିଯାନ ଅଧୀନରେ ୪୨୧୦ଟି ଟାୱାର ସ୍ଥାପନ କରିବା ଯୋଜନା ରହିଛି। ସେଥିରୁ ୨୫୭୨ଟି ଟାୱାର କାର୍ଯ୍ୟକ୍ଷମ ହୋଇଗଲାଣି। ଚଳିତ ବର୍ଷ ଜୁନ୍ ସୁଦ୍ଧା ଅବଶିଷ୍ଟ ଟାୱାର କାର୍ଯ୍ୟକ୍ଷମ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଆଶା ପ୍ରକଟ କରିଛନ୍ତି।