ନୂଆଦିଲ୍ଲୀ: ଦେଶରେ ମୋବାଇଲ୍ ସେବାର ଦର ବହୁତ କମ୍ ରହିଛି। ଫଳରେ ଟେଲିକମ୍ କଂପାନିଗୁଡ଼ିକୁ ଆଶାନୁରୂପ ବ୍ୟବସାୟିକ ଲାଭ ମିଳୁନାହିଁ। ଆଗାମୀ ୧୨ରୁ ୧୮ ମାସ ଭିତରେ ଅତିକମ୍ରେ ଦୁଇ ଥର ଟେଲିକମ୍ ଶୁଳ୍କ ବା ଟାରିଫ୍ ଦର ବଢ଼ିବାର ଆଶଙ୍କା ରହିଛି। କରୋନା ସଙ୍କଟର ପ୍ରଭାବ ରହିଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଟେଲିକମ୍ ସେବା ମହଙ୍ଗା ହେବ ନାହିଁ। କିନ୍ତୁ ସ୍ଥିତିରେ ସୁଧାର ହେବା ପରେ ନିଶ୍ଚିତ ରୂପେ ଟାରିଫ୍ ବଢ଼ିବ ବୋଲି ‘ଇୱାଇ’ ନାମକ ସଂସ୍ଥା ଆକଳନ କରିଛି।
ଇୱାଇର ଅଧିକାରୀ ପ୍ରଶାନ୍ତ ସିଂଘଲ କହିଛନ୍ତି, ଟେଲିକମ୍ ଟାରିଫ୍ରେ ଦୁଇ ଥର ବୃଦ୍ଧି ହୋଇପାରେ। ପ୍ରଥମ ଦରବୃଦ୍ଧି ବିଷୟରେ ଆସନ୍ତା ୬ ମାସ ଭିତରେ ଘୋଷଣା କରାଯାଇପାରେ। ଟାରିଫ୍ ଦର ବଢ଼ାଇବା ଜରୁରୀ। ଦେଶରେ ଟେଲିକମ୍ ସେବାରେ ଲୋକମାନେ କରୁଥିବା ଖର୍ଚ୍ଚ ବହୁତ କମ୍ ରହିଛି। ଟେଲିକମ୍ ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ଦର ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି। ନିୟାମକ ବ୍ୟବସ୍ଥା ଟ୍ରାଇର ହସ୍ତକ୍ଷେପ ଜରିଆରେ ହେଉ ଅଥବା ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ଆଡ଼ୁ ଦରବୃଦ୍ଧି କରନ୍ତୁ, ଯେକୌଣସି ପ୍ରକାରରେ ଦର ବଢ଼ିବ। ଟେଲିକମ୍ କଂପାନିଗୁଡ଼ିକର ଆର୍ଥିକ ସ୍ଥିତି ବହୁତ ଖରାପ ରହିଛି। ସେଥିରେ ସୁଧାର ଆଣିବା ପାଇଁ ଦରବୃଦ୍ଧି ଅପରିହାର୍ଯ୍ୟ ବୋଲି କୁହାଯାଇଛି।
ଅନ୍ୟ ଉଦୀୟମାନ ଦେଶଗୁଡ଼ିକ ତୁଳନାରେ ଭାରତରେ ଟେଲିକମ୍ ସେବା ବହୁତ ଶସ୍ତାରେ ଉପଲବ୍ଧ ହେଉଛି। ଯଦିଓ ଗ୍ରାହକମାନେ ଏହା ଦ୍ବାରା ଉପକୃତ ହେଉଛନ୍ତି, କିନ୍ତୁ କଂପାନିଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି। ଗ୍ରାହକ ପିଛା ହେଉଥିବା ଆୟକୁ ବଢ଼ାଇବା ଉପରେ ଟେଲିକମ୍ କଂପାନିଗୁଡ଼ିକ ଗୁରୁତ୍ବ ଦେଉଛନ୍ତି। ଆସନ୍ତା ଦୁଇ ତିନି ବର୍ଷ ଭିତରେ ସେମାନେ ସେଥିରେ ୬୦-୮୦ ପ୍ରତିଶତ ପର୍ଯ୍ୟନ୍ତ ସୁଧାର ଆଣିବା ଉପରେ ଧ୍ୟାନ ଦେଉଛନ୍ତି। ଏଥିପାଇଁ ଟେଲିକମ୍ ଶୁଳ୍କରେ ବୃଦ୍ଧି ଆଣିବାକୁ ପଡ଼ିବ। ନିର୍ଦିଷ୍ଟ ପ୍ୟାକ୍ ବଦଳରେ କଂପାନିଗୁଡ଼ିକ ଡାଟାର ବ୍ୟବହାର ବିଚାରକୁ ନେଇ ନୂଆ ପ୍ଲାନ୍ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି। କରୋନା ସଙ୍କଟ ଦେଖାଦେଇନଥିଲେ ଜୁନ୍ ସୁଦ୍ଧା ଟେଲିକମ୍ ସେବା ମହଙ୍ଗା ହୋଇଥାନ୍ତା। କରୋନା ସଙ୍କଟ ଅକସ୍ମାତ ଓ ଅଭାବନୀୟ ହୋଇଥିବାରୁ କଂପାନିଗୁଡ଼ିକ ଟାରିଫ୍ରେ ବୃଦ୍ଧି କରିବେ ନାହିଁ। କିନ୍ତୁ ଆସନ୍ତା ୬ ମାସ ଭିତରେ ସେମାନେ ନିଶ୍ଚିତ ରୂପେ ଦାମ୍ ବଢ଼ାଇବେ। ବ୍ୟବସାୟରେ ତିଷ୍ଠି ରହିବା ଏବଂ ସେମାନେ ବ୍ୟବସ୍ଥା ବିକଶିତ କରିବାରେ ଯେଉଁ ପାଣ୍ଠି ବିନିଯୋଗ କରିଛନ୍ତି ତାହାର ରିଟର୍ଣ୍ଣ ପାଇବା ଲାଗି ଦାମ୍ ବଢ଼ାଇବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।
କିଛି ମାସ ତଳେ ଦେଶର ପ୍ରମୁଖ ଟେଲିକମ୍ କଂପାନି ଯଥା ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍ ମୂଲ୍ୟ ବଢ଼ାଇଥିଲେ। ତେଣୁ ଦୈନିକ ଦେଢ଼ ଜିବି ଡାଟା ଓ ଅସୀମିତ କଲ୍ ସୁବିଧା ସହିତ ମାଗଣା ଏସ୍ଏମ୍ଏସ୍ ଆଦି ସୁବିଧା ଥିବା ୪ଜି ପ୍ୟାକ୍ର ମୂଲ୍ୟ ୪୦୦ ଟଙ୍କାରୁ ବୃଦ୍ଧି ପାଇ ୬୦୦ ଟଙ୍କା ହୋଇଯାଇଛି। ଏହି ତିନି କଂପାନି ଦର ବଢ଼ାଇବା ପରେ ପ୍ରାୟ ସବୁ କଂପାନିର ଟାରିଫ୍ ଦର ଗୋଟିଏ ସ୍ତରରେ ପହଞ୍ଚିଛି। ୨୦୧୬-୧୭ ବେଳକୁ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ଥିଲା। ଜିଓ ପକ୍ଷରୁ କଲ୍ ସେବା ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଥିବା ବେଳେ ଡାଟା ଟାରିଫ୍ ମଧ୍ୟ ନିମ୍ନ ସ୍ତରରେ ରହିଥିଲା। ଜିଓ ବଜାରରେ ପ୍ରବେଶ କରିବା ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା ତାହା ଅନେକ ମୋବାଇଲ୍ କଂପାନି ବନ୍ଦ ହେବାର କାରଣ ସାଜିଥିଲା। ଅନିଲ ଅମ୍ବାନିଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ୍ରେ ତାଲା ପଡ଼ିଥିଲା। ଭୋଡାଫୋନ୍ ସହିତ ଆଇଡିଆ ମିଶିଯାଇଥିଲା। ଏୟାରଟେଲ୍ ସହିତ ଟାଟା ଟେଲିର ମିଶ୍ରଣ ଘଟିଥିଲା। ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯାଇଥିଲା।