ଭୁବନେଶ୍ବର: ଜୁଲାଇ ମାସରେ ଓଡ଼ିଶାରେ ୬୬,୦୯୨ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ଟ୍ରାଇ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଜୁନ ମାସରେ ମୋଟ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ ରହିଥିଲା। ଜୁଲାଇରେ ଏହି ସଂଖ୍ୟା ୩ କୋଟି ୫୩ ଲକ୍ଷ ୮୭ ହଜାର ୩୨୮ରେ ପହଞ୍ଚିଛି। ଓଡ଼ିଶାରେ ମୋବାଇଲ ଫୋନ ସେବା ପ୍ରଦାନ କରୁଥିବା ୪ କମ୍ପାନିଙ୍କ ମଧ୍ୟରୁ ୨ଟି କମ୍ପାନି ନୂଆ ଗ୍ରାହକ ଯୋଡ଼ିଥିବାବେଳେ ଦୁଇଟି କମ୍ପାନି ଗ୍ରାହକ ହରାଇଛନ୍ତି।
ସୂଚନା ଅନୁଯାୟୀ, ଜୁଲାଇରେ ଜିଓ ସର୍ବାଧିକ ୫୯,୩୬୯ ଜଣ ଗ୍ରାହକଙ୍କୁ ନିଜ ନେଟ୍ୱର୍କରେ ଯୋଡ଼ିଛି। ଏହା ଦ୍ବାରା ରାଜ୍ୟରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୬୪ ଲକ୍ଷ ୨୦ ହଜାର ୫୩୧ରେ ପହଞ୍ଚିଛି। ଭୋଡାଫୋନ ଆଇଡିଆ ୨୬,୩୬୭ ନୂଆ ଗ୍ରାହକ ସାମିଲ କରିବା ଦ୍ବାରା ଏହାର ମୋଟ ଗ୍ରାହକଙ୍କ ସଂଖ୍ୟା ୧୪ ଲକ୍ଷ ୫୪ ହଜାର ୪୧୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଏୟାରଟେଲ୍ର ଗ୍ରାହକ ସଂଖ୍ୟା ଜୁଲାଇ ମାସରେ ୮,୯୯୯ ହ୍ରାସ ପାଇଛି। ଫଳରେ ଏହାର ଗ୍ରାହକ ସଂଖ୍ୟା ୧ କୋଟି ୧୯ ଲକ୍ଷ ୮୨ ହଜାର ୪୦୪କୁ ଖସିଆସିଛି। ସେହିଭଳି ବିଏସ୍ଏନ୍ଏଲ୍ ୧୦,୬୪୫ ଗ୍ରାହକ ହରାଇବା ଦ୍ବାରା ଏହାର ମୋଟ ଗ୍ରାହକ ସଂଖ୍ୟା ୫୫ ଲକ୍ଷ ୨୯ ହଜାର ୯୭୭କୁ କମିଛି। ଏହାବ୍ୟତୀତ ରାଜ୍ୟରେ ଜୁଲାଇ ମାସରେ ଲ୍ୟାଣ୍ଡଲାଇନ୍ ଉପଭୋକ୍ତାଙ୍କ ସଂଖ୍ୟା ୧୭,୩୦୯ ବୃଦ୍ଧି ପାଇ ୬ ଲକ୍ଷ ୬୭ ହଜାର ୯୮୮ରେ ପହଞ୍ଚିଛି। ସେହିଭଳି ଏୟାର ଫାଇବର ଗ୍ରାହକଙ୍କ ସଂଖ୍ୟା ଜୁଲାଇରେ ୨୧,୬୩୮ ବୃଦ୍ଧି ପାଇ ୨ ଲକ୍ଷ ୫୪ ହଜାର ୬୦୫ ଛୁଇଁଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/01/mobileddc-2025-09-01-02-44-42.jpg)