ଭୁବନେଶ୍ବର: ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧,୪୬,୮୪୩ ବୃଦ୍ଧି ଘଟିଛି। ଫଳରେ ମୋଟ ଗ୍ରାହକ ସଂଖ୍ୟା ୩ କୋଟି ୩୪ ଲକ୍ଷ ୧୨ ହଜାର ୪୭୦କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଟ୍ରାଇ ପକ୍ଷରୁ ଚଳିତ ବର୍ଷ ଜାନୁଆରି ମାସର ତଥ୍ୟ ଜାରି କରାଯାଇଛି। ଏହି ମାସରେ ରାଜ୍ୟରେ ମୋବାଇଲ୍ ସେବା ପ୍ରଦାନ କରୁଥିବା ଚାରି କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌, ବିଏସ୍‌ଏନ୍‌ଏଲ୍‌ ଓ ଭୋଡାଫୋନ୍ ଆଇଡିଆ ମଧ୍ୟରୁ ଦୁଇଟି କମ୍ପାନି ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇଟି କମ୍ପାନି କିଛି ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ଜାନୁଆରି ମାସରେ ଓଡ଼ିଶାର ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୦.୪୪ ପ୍ରତିଶତ ବୃଦ୍ଧି ଘଟିଛି। ଅଧିକ ଗ୍ରାହକ ଯୋଡ଼ିବାରେ ଆସାମ, ବିହାର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ୧,୩୦,୭୩୫ ନୂଆ ଗ୍ରାହକ ଯୋଡ଼ିଛି। ଫଳରେ ରାଜ୍ୟରେ କମ୍ପାନିର ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧ କୋଟି ୪୯ ଲକ୍ଷ ୮୨ ହଜାର ୧୭୬କୁ ବୃଦ୍ଧି ପାଇଛି।

Advertisment

ସେହି ସମୟରେ ଭାରତୀ ଏୟାରଟେଲ୍‌ ୩୯,୧୬୫ ନୂଆ ଗ୍ରାହକ ଯୋଡ଼ିବାରୁ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧ ହଜାର ୯୪୦କୁ ବୃଦ୍ଧି ପାଇଛି। ବିଏସ୍‌ଏନ୍‌ଏଲ୍‌ ୯୩ ଗ୍ରାହକଙ୍କୁ ହରାଇବା ପରେ ଏହାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୫୪ ଲକ୍ଷ ୫୦ ହଜାର ୫୯ ରହିଛି। ଭୋଡାଫୋନ୍ ଆଇଡିଆ ୨୨ ହଜାର ୯୫୯ ଜଣ ଗ୍ରାହକଙ୍କୁ ହରାଇଛି। ଫଳରେ କମ୍ପାନିର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୧୪ ଲକ୍ଷ ୭୮ ହଜାର ୨୭୧କୁ ହ୍ରାସ ପାଇଛି। ଚଳିତ ବର୍ଷ ଜାନୁଆରି ସୁଦ୍ଧା ରାଜ୍ୟର ଟେଲି ସାନ୍ଦ୍ରତା ୭୬.୩୦କୁ ବୃଦ୍ଧି ପାଇଛି। ଅର୍ଥାତ ରାଜ୍ୟରେ ହାରାହାରି ଭାବେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ରହିଛି। ଏହା ସତ୍ତ୍ବେ ଜାତୀୟ ହାର ୮୫.୩୮ ପ୍ରତିଶତଠାରୁ ଓଡ଼ିଶା ପଛୁଆ ରହିଛି। କେବଳ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଆସାମଠାରୁ ଓଡ଼ିଶା ଭଲ ସ୍ଥିତିରେ ରହିଛି ବୋଲି ଟ୍ରାଇ ତଥ୍ୟରୁ ଜଣାପଡ଼ିଛି। ଦେଶରେ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ, ହିମାଚଳପ୍ରଦେଶ, କେରଳ ଓ ଦିଲ୍ଲୀରେ ଜନସଂଖ୍ୟାଠାରୁ ମୋବାଇଲ୍‌ ସଂଯୋଗ ସଂଖ୍ୟା ଅଧିକ ରହିଛି।