୧୦୦ରୁ ୮୦ ଜଣଙ୍କ ପାଖରେ ମୋବାଇଲ୍‌: ଓଡ଼ିଶାରେ ୩ କୋଟି ୫୦ ଲକ୍ଷରୁ ଅଧିକ ଗ୍ରାହକ

ଜୁଲାଇରେ ଯୋଡ଼ିହେଲେ ୨ ଲକ୍ଷ ୭୯ ହଜାର

ଭୁବନେଶ୍ବର: ଗତବର୍ଷ ଲକ୍‌ଡାଉନ୍ ସମୟରେ ରାଜ୍ୟର ଟେଲିକମ୍ ଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଥିଲା। ଅନେକ ଗ୍ରାହକ ମୋବାଇଲ୍ ନେଟ୍‌ୱର୍କରୁ ବାହାରି ଯାଇଥିଲେ। ଏବେ କିନ୍ତୁ ସେଥିରେ ସୁଧାର ହୋଇଛି। ପ୍ରତି ମାସରେ ଲକ୍ଷାଧିକ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରେ ଯୋଡ଼ି ହେବା ଅର୍ଥନୀତିରେ ହେଉଥିବା ସୁଧାରର ସଙ୍କେତ ବୋଲି ବିଚାର କରାଯାଉଛି। ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ଟେଲି ସାନ୍ଧ୍ରତା ୮୦.୧୩ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୮୦ରୁ ଅଧିକ ଲୋକଙ୍କ ପାଖ‌ରେ ମୋବାଇଲ୍‌ ସଂ‌ଯୋଗ ରହିଛି। ଯେହେତୁ ଅଧିକାଂଶ ଗ୍ରାହକ ଡୁଆଲ୍ ସିମ୍ ବ୍ୟବହାର କରୁଛନ୍ତି ତେଣୁ ଏହା ଟେଲିକମ୍ ସଂଯୋଗର ପ୍ରକୃତ ଚିତ୍ର ନୁହେଁ ବୋଲି କୁହାଯାଇପାରିବ। ଏବେବି ‌ଅନେକ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସଂଯୋଗ ଉପଲବ୍ଧ ହେଉନାହିଁ। ଅନ୍ୟ କେତେକ ସ୍ଥାନରେ ମୋବାଇଲ୍ ନେଟ୍‌ୱର୍କ ଅତ୍ୟନ୍ତ ଦୁର୍ବଳ ରହିଛି ଯେଉଁଥିପାଇଁ ସେଠାକାର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନ୍‌ଲାଇନ୍‌ ପାଠପଢ଼ାରେ ସାମିଲ ହୋଇପାରୁନାହାନ୍ତି।

ଚଳିତ ବର୍ଷ ଜୁଲାଇରେ ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୨ ଲକ୍ଷ ୨୯ ହଜାର ୩୦୯ ବୃଦ୍ଧି ହୋଇଛି। ଜୁନ୍‌ରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଥିଲା ୩ କୋଟି ୪୭ ଲକ୍ଷ ୬୦ ହଜାର ୯୫୦। ଜୁଲାଇ ଶେଷ ସୁଦ୍ଧା ତାହା ୩ କୋଟି ୫୦ ଲକ୍ଷ ୪୬, ୨୫୬କୁ ବୃଦ୍ଧି ପାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଜୁଲାଇରେ ଜିଓ ୩,୧୯,୯୮୦ ନୂଆ ଗ୍ରାହକ ହାସଲ କରିଥିବା ବେଳେ ଏୟାରଟେଲ୍‌ ୧୫,୫୭୮ ଓ ବିଏସ୍‌ଏନ୍‌ଏଲ୍‌ ୮୧୦୯ ଜଣ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଭୋଡାଫୋନ୍ ଆଇଡିଆ ୬୪,୩୩୩ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛି।

୨୦୨୧ ଜୁଲାଇ ୩୧ ସୁଦ୍ଧା ଓଡ଼ିଶାରେ ଜିଓର ମୋବାଇଲ୍ ଗ୍ରାହକ ସଂଖ୍ୟା ୧ କୋଟି ୫୩ ଲକ୍ଷରୁ ଅଧିକ ଥିବା ବେଳେ ଏୟାରଟେଲ୍‌ର ୧ କୋଟି ୧୧ ଲକ୍ଷରୁ ଅଧିକ ରହିଛି। ବିଏସଏନ୍‌ଏଲ୍‌ ପାଖରେ ୬୪ ଲକ୍ଷ ୨୯ ହଜାର ଓ ଭୋଡାଫୋନ୍‌ ଆଇଡିଆ ପାଖରେ ୨୧ ଲକ୍ଷ ୨୫ ହଜାରରୁ ଅଧିକ ମୋବାଇଲ୍‌ ଗ୍ରାହକ ରହିଛନ୍ତି। ଓଡ଼ିଶାର ୪୩.୭୦% ଗ୍ରାହକ ଜିଓ ପାଖରେ ଥିବା ବେଳେ ଏୟାରଟେଲ୍‌ରେ ୩୧.୮୯%, ବିଏସ୍‌ଏନ୍‌ଏଲ୍‌ରେ ୧୮.୩୫ ପ୍ରତିଶତ ଓ ଭୋଡାଫୋନ୍ ଆଇଡିଆ ପାଖରେ ୬.୦୬ ପ୍ରତିଶତ ଗ୍ରାହକ ରହିଛନ୍ତି ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର