ଭୁବନେଶ୍ବର: ବାତ୍ୟା ‘ଦାନା’କୁ ନେଇ ଟେଲିକମ୍ କମ୍ପାନିଗୁଡ଼ିକ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସୁବିଧା ଲାଗି ଟେଲିକମ୍ କମ୍ପାନିଗୁଡ଼ିକ ଇଣ୍ଟରକନେକ୍ଟ ରୋମିଂ ବା ଇଣ୍ଟ୍ରା ସର୍କଲ୍ ରୋମିଂ କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟବସ୍ଥାରେ ପ୍ରଭାବିତ ଅଞ୍ଚଳରେ ଯେଉଁ କମ୍ପାନିର ନେଟ୍ୱର୍କ ଥିବ ସେଥିରେ ସବୁ କମ୍ପାନିର ମୋବାଇଲ୍ କାମ କରିବ। ଫଳରେ ଲୋକମାନେ ନିଜ ସମ୍ପର୍କୀୟଙ୍କ ସହ ସୁବିଧାରେ ଯୋଗଯୋଗରେ ରହିପାରିବେ। ସେମାନଙ୍କୁ ନିଜ କମ୍ପାନିର ନେଟ୍ୱର୍କ ଥିବା କିମ୍ବା ନଥିବାକୁ ନେଇ ଚିନ୍ତା କରିବାକୁ ପଡ଼ିବନି। ଏଥି ସହିତ ଯେକୌଣସି ପ୍ରକାର ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିବା ଲାଗି ଟେଲିକମ୍ କମ୍ପାନିଗୁଡ଼ିକ ପ୍ରସ୍ତୁତ ରହିଛନ୍ତି। ସ୍ବତନ୍ତ୍ର ୱାର୍ ରୁମ୍ ସ୍ଥାପନ କରିଥିବା ବେଳେ ଅଧିକ କର୍ମଚାରୀ ମୂତୟନ କରିଛନ୍ତି। ନେଟ୍ୱର୍କ ଉପରେ ସେମାନେ ଚବିଶ ଘଣ୍ଟା ନଜର ରଖିଛନ୍ତି। ବିଦ୍ୟୁତ ବିଭ୍ରାଟର ମୁକାବିଲା କରିବା ଲାଗି ସେମାନେ ଆଗୁଆ ଅଧିକ ଇନ୍ଧନ ମହଜୁଦ ରଖିଛନ୍ତି। ନେଟ୍ୱର୍କକୁ ଶୀଘ୍ର ପୁନରୁଦ୍ଧାର କରିବା ଲାଗି କମ୍ପାନିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ସ୍ପେୟାର ପାର୍ଟସ୍ ଓ ଉପକରଣ ମହଜୁଦ ରଖିଥିବା ଜଣାପଡ଼ିଛି।
ବ୍ୟାହତ ହେବନି ଟେଲିକମ୍ ସେବା: ମନ୍ତ୍ରୀ
ଇଣ୍ଟ୍ରାସର୍କଲ୍ ରୋମିଂ କାର୍ଯ୍ୟକ୍ଷମ
ଏ ସମ୍ପର୍କରେ ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ରେଡ୍ ଜୋନ୍ର ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, ଯାଜପୁର ଓ କଟକରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ମାର୍ଗଦର୍ଶନ ଏବଂ ବିଭିନ୍ନ ଟେଲେକମ ପ୍ରଦାନକାରୀ ସଂସ୍ଥା ଯଥା ବିଏସଏନଲ, ଜିଓ, ଏୟାରଟେଲ ଓ ଭୋଡାଫୋନର ସହଯୋଗରେ ଆଜି ସକାଳ ୮ଟାରୁ ଇଣ୍ଟ୍ରା ସର୍କଲ୍ ରୋମିଂ କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ୱାରା ଗୋଟିଏ ଟେଲିକମ କମ୍ପାନିର ଗ୍ରାହକ ଅନ୍ୟ ଟେଲିକମ କମ୍ପାନିର ନେଟୱାର୍କ ବ୍ୟବହାର କରିପାରୁଛନ୍ତି। ଗୋଟିଏ କମ୍ପାନିର ନେଟୱାର୍କ ଡାଉନ୍ ହୋଇଗଲେ ଅନ୍ୟ କମ୍ପାନିର ନେଟୱାର୍କକୁ ଜନସାଧାରଣ ବ୍ୟବହାର କରିପାରୁଛନ୍ତି।
ରେଡ୍ ଜୋନ୍ର ୭ଟି ଜିଲ୍ଲାର ଜନସାଧାରଣ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇପାରୁଛନ୍ତି। ସବୁ ଟାୱାରରେ ମୁଖ୍ୟତଃ ରେଡ୍ ଜୋନ୍ରେ ଥିବା ଜ଼ିଲ୍ଲାଗୁଡିକରେ ଡିଜି ସେଟ ପ୍ରସ୍ତୁତ ରଖାଯାଇଛି। ଟେଲିକମ ପ୍ରଦାନକାରୀ ସଂସ୍ଥା ମଧ୍ୟ ସେଲ୍ ଅନ୍ ହୁଇଲ୍ର ବ୍ୟବସ୍ଥା କରିଛନ୍ତି। କୌଣସି ସ୍ଥାନରେ ଟାୱାର ଖରାପ ହେଲେ ଟେଲିକମ କମ୍ପାନିଗୁଡିକର ବୈଷୟିକ ଦଳ ତାହାର ତୁରନ୍ତ ମରାମତି କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ କମ୍ପାନିଗୁଡିକର କର୍ମକର୍ତ୍ତାଙ୍କ ସହ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଷଦ ଆଲୋଚନା ପରେ ଏହା କହିଛନ୍ତି।