କେଶ ବିନ୍ୟାସର ଆଧୁନିକ ସରଞ୍ଜାମ: ହେୟାର କର୍ଲର, ହେୟାର ଡ୍ରାୟର, ହେୟାର କ୍ରିମ୍ପର୍‌

ଷ୍ଟ୍ରେଟ୍‌ନିଂ ବ୍ରସ୍‌, ହେୟାର ଭଲ୍ୟୁମାଇଜର୍‌

କେଶବିନ୍ୟାସ କରିବା କିମ୍ବା କେଶକୁ ନୂଆ ‌ରୂପରେ ସଜେଇବା ଆଜିକାଲି ଏକ ଫ୍ୟାସନ୍ ହୋଇଗଲାଣି। କିଛି ବ୍ୟକ୍ତି ନୂଆ ଶୈଳୀରେ କେଶ କାଟି ନିଜର ସ୍ବତନ୍ତ୍ରତା ଜାହିର କରୁଥିବାବେଳେ ଆଉ କିଛି ବ୍ୟକ୍ତି ବିଭିନ୍ନ ପ୍ରକାର ଆଧୁନିକ ସରଞ୍ଜାମ ସହଯୋଗରେ ନିଜର କେଶକୁ ଭିନ୍ନ ଭିନ୍ନ ଶୈଳୀରେ ସଜାଉଛନ୍ତି। ବିଶେଷକରି ମହିଳାମାନେ ହିଁ କେଶବିନ୍ୟାସ ଉପରେ ଅଧିକ ଧ୍ୟାନ ଦେଉଥିବା ଦେଖାଯାଉଛି। ଷ୍ଟ୍ରେଟ୍‌ନିଂ ଠାରୁ ଆରମ୍ଭ କରି ସ୍ମୁଦିଂ ଏବଂ କର୍ଲି ଆଦି ରୂପ ଦେଉଛନ୍ତି। ବଜାରରେ ଏଥିପାଇଁ ଆଧୁନିକ କେଶବିନ୍ୟାସ ସାମଗ୍ରୀ ମଧ୍ୟ ମିଳିଯାଉଛି। ଉଭୟ ଅଫଲାଇନ ଏବଂ ଅନଲାଇନରେ ଏସବୁ ସାମଗ୍ରୀକୁ ଗ୍ରାହକ କିଣୁଛନ୍ତି। ସାଲୁନ୍ ଯିବା ପରିବର୍ତ୍ତେ ଆଜିକାଲି ଘରେ ମହିଳାମାନେ ଏସବୁ ଆଧୁନିକ ସରଞ୍ଜାମ ରଖି କେଶକୁ ନୂଆ ରୂପ ଦେଉଛନ୍ତି। ଏଠାରେ କେତୋଟି କେଶ ବିନ୍ୟାସ ସରଞ୍ଜାମ ସଂପର୍କରେ ସୂଚନା ଦିଆଯାଇଛି।

ହେୟାର କର୍ଲର
କେଶକୁ କର୍ଲି ରୂପ ଦେବା ପାଇଁ ଅନେକ ମହିଳା ଆଗ୍ରହ ପ୍ରକାଶ କରିଥାନ୍ତି। ଡିଜିଟାଲ ରୂପରେ ତାପମାତ୍ରା ନିୟନ୍ତ୍ରିତ ହେୟାର କର୍ଲର ନାମକ ସରଞ୍ଜାମ ଏଥିପାଇଁ ବ୍ୟବହାର କରାଯାଉଛି। କମ୍ ସମୟରେ ଏହି ଉପକରଣ ମାଧ୍ୟମରେ କେଶକୁ କର୍ଲି ରୂପ ଦିଆଯାଉଛି। ବଜାରରେ ବିଭିନ୍ନ କମ୍ପାନିର ହେୟାର କର୍ଲର ଉପଲବ୍ଧ ହେଉଛି। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ ଏହାକୁ କିଣିପାରିବେ।

ହେୟାର ଡ୍ରାୟର
ହେୟାର ଡ୍ରାୟର ମାଧ୍ୟମରେ କେବଳ କେଶକୁ ଶୁଖାଯାଇ ନଥାଏ, ଅସଜଡ଼ା ହୋଇଥିବା କେଶକୁ କମ୍ ସମୟ ମଧ୍ୟରେ ସଜଡ଼ା ଯାଇପାରିଥାଏ। ବଜାରରେ ବିଭିନ୍ନ କମ୍ପାନି ଓ ୱାଟ୍‌ ବିଶିଷ୍ଟ ହେୟାର ଡ୍ରାୟର ଉପଲବ୍ଧ ହେଉଛି। ବ୍ରାଣ୍ଡ୍‌ ଏବଂ ସୁବିଧା ସୁଯୋଗ ଅନୁସାରେ ଏଗୁଡ଼ିକର ମୂଲ୍ୟ ଭିନ୍ନ ଭିନ୍ନ ରହିଥାଏ।

ଷ୍ଟ୍ରେଟ୍‌ନିଂ ବ୍ରସ୍‌
କେଶକୁ ସିଧା କରିବା ବା ଷ୍ଟ୍ରେଟନିଂ କରିବା ଏକ ପ୍ରମୁଖ ଷ୍ଟାଇଲ୍‌ରେ ପରିଣତ ହୋଇଯାଇଛି। ଏଥିପାଇଁ ମହିଳାମାନେ ବିଶେଷକରି ଆଗ୍ରହ ପ୍ରକାଶ କରୁଛନ୍ତି। କେଶକୁ ଷ୍ଟ୍ରେଟେନ୍‌ କରିବା ପାଇଁ ଷ୍ଟ୍ରେଟେନିଂ ବ୍ରସ୍‌ ଉପଲବ୍ଧ ହେଉଛି। ସାଲୁନ୍, ସ୍ପା ଆଦିରେ ମହିଳାଙ୍କୁ ଏହି ସରଞ୍ଜାମ ସାହାଯ୍ୟରେ କେଶକୁ ଷ୍ଟ୍ରେଟେନ୍ କରାଯାଇଥାଏ। ଫିଲିପ୍ସ ଠାରୁ ଆରମ୍ଭ କରି ଅନ୍ୟ କମ୍ପାନି ଗୁଡ଼ିକ ମଧ୍ୟ ଏହି ସରଞ୍ଜାମ ବଜାରରେ ଉପଲବ୍ଧ କରାଇଛନ୍ତି। ମୁଣ୍ଡ କୁଣ୍ଡାଇବା ଭଳି ଏହି ସରଞ୍ଜାମକୁ ବ୍ୟବହାର କରି କେଶକୁ ଷ୍ଟ୍ରେଟେନ୍ କରାଯାଇଥାଏ। ହିଟ୍ ଦ୍ବାରା କେଶକୁ ଯେଭଳି କ୍ଷତି ନପହଞ୍ଚେ ସେଥିପାଇଁ ଏହି ଉପକରଣରେ ଦୃଷ୍ଟି ଦିଆଯାଇଥାଏ।

ହେୟାର କ୍ରିମ୍ପର୍‌
କେଶକୁ ନୂଆ ରୂପରେ ସଜାଇବା ପାଇଁ ବ୍ୟବହୃତ ହେଉଥିବା ଆଧୁନିକ ସରଞ୍ଜାମ ମଧ୍ୟରେ ହେୟାର କ୍ରିମ୍ପର୍‌ ଅନ୍ୟତମ। ଏଥିରେ ‌କେଶକୁ ସ୍ବତନ୍ତ୍ର ରୂପରେ ସଜାଇ ହୋଇଥାଏ। ବିଭିନ୍ନ ଆକୃତିର କ୍ରିମ୍ପର୍‌ ବଜାରରେ ଉପଲବ୍ଧ ହେଉଛି। ସେରାମିକ୍ ଏବଂ ମେଟାଲ୍‌ରେ ଏହା ନିର୍ମିତ ହୋଇଥାଏ। ତାପମାତ୍ରା ସେଟ୍‌ କରି ଏହାକୁ କେଶରେ ପ୍ରୟୋଗ କରାଯାଇଥାଏ। ବାହାରକୁ ଯାତ୍ରା କରିବା ସମୟରେ ନିଜ ସହିତ ଯେଭଳି କ୍ରିମ୍ପର୍‌ ନିଆଯାଇ ପାରିବ ସେଥିପାଇଁ ମିନି କ୍ରିମ୍ପର୍‌ ମଧ୍ୟ ମିଳୁଛି।
ହେୟାର ଭଲ୍ୟୁମାଇଜର୍‌
ହେୟାର ଡ୍ରାୟର ସହିତ ଭଲ୍ୟୁମାଇଜର୍‌ ନାମକ ସରଞ୍ଜାମକୁ ମଧ୍ୟ କେଶ ବିନ୍ୟାସ ପାଇଁ ବ୍ୟବହାର କରାଯାଇଥାଏ। କେଶକୁ ଷ୍ଟାଇଲିସ୍ କରିବା ପାଇଁ ଏହି ବ୍ରଶ୍‌ ଆକୃତିର ଡ୍ରାୟର ଓ ଭଲ୍ୟୁମାଇଜରକୁ ବ୍ୟବହାର କରାଯାଇଥାଏ।

ସମ୍ବନ୍ଧିତ ଖବର