ସିଙ୍ଗାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରର ବିଭିନ୍ନ କମ୍ପାନିର ସିଇଓମାନଙ୍କ ସହିତ ଆଜି ଏକ ବୈଠକ କରିଛନ୍ତି। ଆଲୋଚନା ସମୟରେ ସିଙ୍ଗାପୁରର କମ୍ପାନିଗୁଡ଼ିକ ଭାରତରେ ଆଗାମୀ ୫ ବର୍ଷ ମଧ୍ୟରେ ୫ ଲକ୍ଷ କୋଟିରୁ ଅଧିକ (ପ୍ରାୟ ୬୦ ବିଲିଅନ ଡଲାର) ନିବେଶ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ‌ମୋଦୀ ପୁଞ୍ଜିନିବେଶ, ଭିତ୍ତିଭୂମି, ଉତ୍ପାଦନ, ଶକ୍ତି, ଲଜିଷ୍ଟିକ୍ସ ସମେତ ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ସିଇଓମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ୍‌ କିମ୍‌ ୟୋଙ୍ଗ୍‌, ସିଙ୍ଗାପୁରର ଗୃହ ଓ ଆଇନ ମନ୍ତ୍ରୀ କେ ସନମୁଗମ୍‌ ଅଂଶଗ୍ରହଣ କରିଥିଲେ। ଭାରତରେ ସିଙ୍ଗାପୁର କମ୍ପାନିଗୁଡ଼ିକର ନିବେଶକୁ ମୋଦୀ ପ୍ରଶଂସା କରିଥିଲେ। ଭାରତ ସହିତ ସେମାନଙ୍କ ସହଯୋଗକୁ ଆହୁରି ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ଏକ ଇନଭେଷ୍ଟ୍‌ ଇଣ୍ଡିଆ କାର୍ଯ୍ୟାଳୟ ପ୍ରତି‌ଷ୍ଠା କରିବାକୁ ଘୋଷଣା କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।

Advertisment

ଆଗାମୀ କିଛିବର୍ଷରେ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ବିଶ୍ବ ଅଭିବୃଦ୍ଧିରେ ଭାରତର ଯୋଗଦାନ ୧୭ ପ୍ରତିଶତ ରହିଛି। ଦକ୍ଷତା ବିକାଶ କ୍ଷେତ୍ରରେ ଭାରତରେ ଥିବା ସୁଯୋଗ ଉପରେ ଦୃଷ୍ଟି ଦେବାକୁ ସେ ବ୍ୟବସାୟ କ୍ଷେତ୍ରର ନେତୃତ୍ବମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟରେ ଆମେ ଅତ୍ୟନ୍ତ ଉତ୍ସାହିତ ବୋଲି ସିଙ୍ଗାପୁର ବିଜନେସ୍‌ ଫେଡେରେସନର ସିଇଓ କୋକ୍‌ ପିଙ୍ଗ୍‌ ସୁନ୍‌ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏସ୍‌ଟି ଟେଲିମିଡିଆ ଗ୍ଲୋବାଲ ଡାଟାର ସିଇଓ ବ୍ରୁନୋ ଲୋପେଜ୍‌ କହିଛନ୍ତି ଯେ ଆସନ୍ତା ୫ ବର୍ଷରେ ଆମେ ଭାରତରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବୁ।