ନରେନ୍ଦ୍ର ମୋଦୀଙ୍କ ଭରସାର ପାତ୍ର ଓଡ଼ିଆ ପୁଅ ଶକ୍ତିକାନ୍ତ : ଗାଁ ଅାଠଗଡ, ସ୍କୁଲ୍ ଜୀବନ ଭୁବନେଶ୍ବର ଓ ଉଚ୍ଚଶିକ୍ଷା ଦିଲ୍ଲୀରେ

ଭୁବନେଶ୍ବର: ଯେଉଁଭଳି ଭାବେ ଗତକାଲି ଉର୍ଜିତ ପଟେଲ୍‌ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ତାହା ସରକାରଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ରହିଥିବା ବେଳେ ସେହି ସବୁ ବିବାଦର ସମାଧାନ କିଭଳି ହେବ ତାହା ଚିନ୍ତାର କାରଣ ପାଲଟିଥିଲା। ଏନ୍‌ପିଏ ସଙ୍କଟ, ନଗଦ ଟଙ୍କା ସଙ୍କଟ, ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ଟଙ୍କାର ଭାଗ, କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପ୍ରଦାନ ଆଦି ଅନେକ ପ୍ରସଙ୍ଗରେ ସରକାର ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ହାତ ଛାଡ଼ି ଦେଇଥିଲେ ଉର୍ଜିତ।

ଏଭଳି ଏକ ମୁହୂର୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭରସାର ପାତ୍ର ହୋଇଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ବିମୁଦ୍ରୀକରଣ ଓ ଜିଏସ୍‌ଟି ଲାଗୁ କରିବା ବେଳେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିବା ଶକ୍ତିକାନ୍ତଙ୍କ ଉପରେ ମୋଦୀ ପୁଣି ଭରସା ପ୍ରକଟ କରିଛନ୍ତି। ତାଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଅବସ୍ଥାପିତ କରିଛନ୍ତି।

ଶକ୍ତିକାନ୍ତ ୧୯୫୭ ଫେବ୍ରୁଆରି ୨୬ରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ। କଟକ ଜିଲ୍ଲାର ଆଠଗଡ଼ନିବାସୀ କେଶବାନନ୍ଦ ଦାସ ଓ ଶୋଭାମଞ୍ଜରୀ ଦାସଙ୍କ ପାଞ୍ଚ ପୁଅଙ୍କ ମଧ୍ୟରୁ ଶକ୍ତିକାନ୍ତ ହେଲେ ଦ୍ବିତୀୟ। ଭୁବନେଶ୍ବରର ବୁଦ୍ଧେଶ୍ବରୀ କଲୋନିରେ ରହି ସ୍ଥାନୀୟ ଡିଏମ୍ ସ୍କୁଲ୍‌ରେ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇତିହାସରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ପାଠପଢ଼ା ଶେଷ ହେବା ପରେ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୧୯୮୦ ବ୍ୟାଚ୍‌ରେ ତାମିଲନାଡ଼ୁ କ୍ୟାଡର୍ ଆଇଏଏସ୍ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ନିଜ ଚାକିରି କାଳରେ ତାମିଲନାଡ଼ୁର ବିଭିନ୍ନ ବିଭାଗର ସଚିବ, ଭାରତ ସରକାରଙ୍କ ରାଜସ୍ବ ସଚିବ, ଅର୍ଥନୈତିକ ବ୍ୟାପାର ସଚିବ ଓ ସାର ବିଭାଗର ସଚିବ ଭାବେ କାମ କରିଛନ୍ତି।

www.financialexpress.com

ଇତିହାସରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଶକ୍ତିକାନ୍ତ କିଛି ଦିନ ପାଇଁ ମହିନ୍ଦ୍ରା ଇଣ୍ଡଷ୍ଟ୍ରିଆଲ୍ ପାର୍କ ଲିମିଟେଡ୍‌ ଭଳି ଘରୋଇ କଂପାନିରେ କାମ କରିଥିଲେ। ୨୦୧୪ ଜୁନ୍‌ରେ ତାଙ୍କୁ ରାଜସ୍ବ ସଚିବ ଭାବେ କେନ୍ଦ୍ର ସରକାର ନିଯୁକ୍ତି ପ୍ରଦାନ କରିଥିଲେ। ୨୦୧୬ ଅଗଷ୍ଟରେ ତାଙ୍କୁ ଅର୍ଥନୈତିକ ବ୍ୟାପାର ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୧୭ ମେ’ ୨୮ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା, କିନ୍ତୁ ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ତିନି ମାସ ବଢ଼ାଇଥିଲେ। ଅବସର ଗ୍ରହଣ କରିବା ପରେ ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜି-୨୦ ସମ୍ମିଳନୀରେ ସେ ଭାରତର ସେର୍‌ପା ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଶକ୍ତିକାନ୍ତଙ୍କ ବାପାଙ୍କ ନାମରେ ଏକ ଚେସ୍ ଟୁର୍ଣ୍ଣାମେଂଟ୍‌ ଆୟୋଜନ କରାଯାଉଛି।

କେନ୍ଦ୍ର ସରକାରଙ୍କ ପାଇଁ କାମ କରିବା ବେଳେ ସେ ବିମୁଦ୍ରୀକରଣ ଅଭିଯାନ ଓ ଜିଏସ୍‌ଟି ଲାଗୁ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜିଏସ୍‌ଟି ଲାଗୁ କରିବାରେ ଯେଉଁ ଟିମ୍ କାମ କରିଥିଲା ତାହାର ଏକ ପ୍ରମୁଖ ସଦସ୍ୟ ଥିଲେ ଶକ୍ତିକାନ୍ତ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ପସନ୍ଦ କରୁଥିବା ଶକ୍ତିକାନ୍ତ ଅର୍ଥନୀତିର ଅନେକ ଜଟିଳ ନୀତି ନିର୍ଧାରଣ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ତାଙ୍କ ମାତୃଭାଷା ଓଡ଼ିଆ ହୋଇଥିବା ବେଳେ ସେ ଇଂରାଜି, ହିନ୍ଦୀ ଓ ତାମିଲ ଭାଷା ଉପରେ ମଧ୍ୟ ଦଖଲ ହାସଲ କରିଛନ୍ତି।

ଶକ୍ତିକାନ୍ତ କେନ୍ଦ୍ରରେ ଦୁଇ ଜଣ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଓ ଅରୁଣ ଜେଟ୍‌ଲିଙ୍କ ସହିତ କାମ କରିଛନ୍ତି। ସେ ସହଜରେ ବିରକ୍ତ ହୁଅନ୍ତି ନାହିଁ। ସମସ୍ୟାର ସମାଧାନ କିଭଳି ସହମତି ଭିତ୍ତିରେ ବାହାରିପାରିବ ସେଥିପାଇଁ ସେ ସର୍ବଦା ପ୍ରୟାସ କରନ୍ତି। ତାଙ୍କର ଏହି ଗୁଣ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ରହିଥିବା ବିବାଦଗୁଡ଼ିକୁ ସମାଧାନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଶକ୍ତିକାନ୍ତଙ୍କ ନର୍ଥ ବ୍ଲକ୍‌ରୁ ମିଣ୍ଟ୍‌ ଷ୍ଟ୍ରିଟ୍‌ ପର୍ଯ୍ୟନ୍ତ ଯାତ୍ରା ସରକାରଙ୍କୁ ସୁହାଇବ। କାରଣ ତାଙ୍କ ପାଖରେ ସରକାରଙ୍କ ସହିତ କାମ କରିବାର ବିଶେଷ ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର