ଶାଗମାଛ ଦରରେ ଏଲ୍‌ଆଇସିକୁ ବିକୁଛନ୍ତି ମୋଦୀ ସରକାର: ରାହୁଲ୍‌

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ପବ୍ଳିକ ଅଫର ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଉକ୍ତ କମ୍ପାନିର ସେୟାର କିଣିବା ପାଇଁ ନିବେଶକଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ଦେଖାଦେଇଛି। ଏଭଳି ସମୟରେ ବିରୋଧୀ କଂଗ୍ରେସ ନେତା ରାହୁଲ ଗାନ୍ଧି ‌ଆଜି ଏକ ଅଭିଯୋଗ ମୋଦୀ ସରକାରଙ୍କ ବିରୋଧରେ ଆଣିଛନ୍ତି। ସେ କହିଛନ୍ତି ଏଲ୍‌ଆଇସିର ସେୟାରକୁ ସରକାର କମ୍ ଦାମ୍‌ରେ ବିକ୍ରି କରୁଛନ୍ତି। ଏଲ୍‌ଆଇସି ନିକଟରେ ଥିବା ମୂଲ୍ୟବାନ ସଂପତ୍ତି ସଂପର୍କରେ ରାହୁଲ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ସଂସ୍ଥାରେ ୧୩.୯୪ ଲକ୍ଷ କର୍ମଚାରୀ କାମ କରୁଛନ୍ତି। ୩୦ କୋଟିରୁ ଅଧିକ ପଲିସିଧାରୀ ରହିଛନ୍ତି। ୩୯ ଲକ୍ଷ କୋଟିର ସଂପତ୍ତି ଏହା ନିକଟରେ ରହିଛି। ଅଂଶଧନଧାରୀଙ୍କୁ ରିଟର୍ଣ୍ଣ ପ୍ରଦାନ କରିବାରେ ଏଲ୍‌ଆଇସି ବିଶ୍ବରେ ଏକ ନମ୍ବର ହେବ।

ଏସବୁ ସତ୍ତ୍ବେ ମୋଦୀ ସରକାର ଏଲ୍‌ଆଇସିର ମୂଲ୍ୟକୁ କମ୍ କରି ଦର୍ଶାଇଛନ୍ତି। ଦେଶର ସବୁଠୁ ମୂଲ୍ୟବାନ କମ୍ପାନିକୁ କାହିଁକି ଶାଗମାଛ ମୂଲ୍ୟରେ ବିକ୍ରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ରାହୁଲ ପ୍ରଥମ ଥର ପାଇଁ ଏଲ୍‌ଆଇସି ସଂପର୍କରେ ପ୍ରଶ୍ନ ଉଠାଇ ନାହାନ୍ତି। ଏହାପୂର୍ବରୁ ୨୦୨୦ ସେପ୍ଟେମ୍ବରରେ ଏଲ୍‌ଆଇସିର ଆଇପିଓ ସଂପର୍କରେ ଖବର ଆସିବା ପରେ ସେ କେନ୍ଦ୍ର ସରକାର ସରକାରୀ ସଂପତ୍ତି ବିକ୍ରି ଅଭିଯାନ ଅଭିଯାନ ଚଳାଇଛନ୍ତି ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ଏଲ୍‌ଆଇସିର ଉକ୍ତ ଆଇପିଓ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଆବେଦନ ପାଇଁ ଖୋଲା ରହିବ। ଏପରିକି ଆସନ୍ତା ଶନିବାର ଏବଂ ରବିବାର ମଧ୍ୟ ଏଥିପାଇଁ ଆବେଦନ କରାଯାଇ ପାରିବ।

ସମ୍ବନ୍ଧିତ ଖବର