୫ ଟ୍ରିଲିଅନ୍ ଲକ୍ଷ୍ୟ ଅକଳ୍ପନୀୟ: ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ୨୦୨୪ ସୁଦ୍ଧା ପାଞ୍ଚ ଟ୍ରିଲିଅନ ଡଲାର ବା ପାଞ୍ଚ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବାକୁ ହେଲେ ବାର୍ଷିକ ଅଭିବୃଦ୍ଧି ହାର ୯ ପ୍ରତିଶତରୁ ଅଧିକ ରହିବା ଦରକାର। ଏହା ଏକ ‘ଅକଳ୍ପନୀୟ ଅଭିଳାଷ’ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଆର୍‌ ନାଗରାଜ କହିଛନ୍ତି। ଦେଶର ଜିଡିପି ପରିମାଣ ଏବେ ୨.୮ ଟ୍ରିଲିଅନ୍ ଡଲାର ରହିଛି। ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଥର କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ମୋଦୀ ଘୋଷଣା କରିଥିଲେ ଯେ ଅର୍ଥନୀତିକୁ ପାଞ୍ଚ ଟ୍ରିଲିଅନ୍ ଡଲାରରେ ପରିଣତ କରିବାକୁ ଆମ ସରକାର ଲକ୍ଷ୍ୟ ରଖିଛି। ସେହିଦିନ ଠାରୁ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ସମସ୍ୟା ଲାଗି ରହିଛି। ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଦେଶର ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରକୁ ଖସିଆସିଛି।

ନାଗରାଜ କହିଛନ୍ତି ଯେ, ପାଞ୍ଚ ଟ୍ରିଲିଅନ୍ ଡଲାର ଲକ୍ଷ୍ୟ ଅସମ୍ଭବ ନୁହେଁ। ୨୦୨୦-୨୦୨୪ ଭିତରେ ଭାରତ ଯଦି ୯%ରୁ ଅଧିକ ଅଭିବୃଦ୍ଧି ହାସଲ କରିପାରିବ ତେବେ ଏହି ଲକ୍ଷ୍ୟ ହାସଲ ହୋଇଯିବ। ମାତ୍ର ଅଭିବୃଦ୍ଧି କମୁଥିବାରୁ ଏହି ଲକ୍ଷ୍ୟ ଏବେ ଅକଳ୍ପନୀୟ ମନେ ହେଉଛି ବୋଲି ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭେଲପ୍‌ମେଣ୍ଟ୍‌ ରିସର୍ଚ୍ଚର ଅର୍ଥନୀତି ପ୍ରଫେସର ଶ୍ରୀ ନାଗରାଜ କହିଛନ୍ତି। ଦେଶର ରପ୍ତାନି ପ୍ରଦର୍ଶନ‌ରେ ବିଶେଷ ଉନ୍ନତି ହେବାର ନାହିଁ ବୋଲି ସେ ଆକଳନ କରିଛନ୍ତି। ନାଗରାଜ କହିଛନ୍ତି, ୨୦୧୦ ପରଠାରୁ ଜିଡିପି ପ୍ରତି ରପ୍ତାନିର ଅବଦାନ କମିବାରେ ଲାଗିଛି। ଅର୍ଥନୀତିର ଗତି ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିବା ଭଳି ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ତାହା ବିଶେଷ ସହାୟକ ହୋଇନାହିଁ। ଏବେ ଆର୍ଥିକ ପ୍ୟାକେଜ୍ ଉପରେ ବିଚାର କରିବାକୁ ହେବ ବୋଲି ସେ କହିଛନ୍ତି। ମାନୁଫାକ୍‌ଚରିଂ ଓ କନଷ୍ଟ୍ରକ୍ସନ କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଦେଶର ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥିକ ବର୍ଷରେ ୧୧ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଯିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଆକଳନ କରିଛି।

ସମ୍ବନ୍ଧିତ ଖବର