ଡାଭୋସ୍‌ରେ ମୋଦି:୫ ଟ୍ରିଲିଅନ୍‌ ଅର୍ଥନୀତିର ସ୍ୱପ୍ନ

‘ନାଲି ଫିତା ବଦଳରେ ଲାଲ୍‌ ଗାଲିଚା’

ଡାଭୋସ: ବିର୍ଶ୍ୱ ଅର୍ଥନୈତିକ ଫୋରମ୍‌ର ବାର୍ଷିକ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ବିଶ୍ୱର ନେତୃବୃନ୍ଦ, କମ୍ପାନି ଅଧିକାରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଭାରତୀୟ ଅର୍ଥନୀତିର ସାମର୍ଥ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆସନ୍ତା ୨୦୨୫ ମସିହା ସୁଦ୍ଧା ଭାରତ ୫ ଲକ୍ଷ କୋଟି ଡଲାର ମୂଲ୍ୟର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଫଳରେ ଭାରତରେ ନିବେଶ କରିବାକୁ ଆସିବା ପାଇଁ ମୋଦି ନିବେଶକମାନଙ୍କୁ ଆହ୍ଵାନ କରିଛନ୍ତି। ଭାରତରେ ନିବେଶ କରିବ, ଭାରତକୁ ଭ୍ରମଣ କିରବା ଏବଂ ଭାରତରେ ନିର୍ମାଣ କରିବା ଅତ୍ୟନ୍ତ ସହଜ ହୋଇଯାଇଛି। ଭାରତ ସରକାରଙ୍କ ନୀତି ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଭାରତରେ ଲାଇସେନ୍ସରାଜ୍‌ ଉଚ୍ଛେଦ କରିବା ଲାଗି ଆମେ ପ୍ରତିଶ୍ରୁତି ଦେଇଥିଲୁ। ଫଳରେ ଆମେ ନାଲି ଫିତାକୁ ପ୍ରତ୍ୟାହାର କରି ଲାଲ୍‌ ଗାଲିଚା ବିଛାଉଛୁ। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ପାଇଁ ନୂଆ ଦ୍ୱାର ଉନ୍ମୁକ୍ତ କରାଯାଉଛି। ନିବେଶର ଅଗ୍ରଗତିରେ ପ୍ରତିବନ୍ଧକ ସାଜିଥିବା ୧୪୦୦ ଆଇନକୁ ସରଳ କରାଯାଇଛି। ଜିଏସ୍‌ଟି(ସାମଗ୍ରୀ ଓ ସେବା ଟିକସ) କାର୍ଯ୍ୟକାରୀ କରାଯାଇଛି। ସ୍ୱଚ୍ଛତା ବଢ଼ାଇବା ପାଇଁ ପ୍ରଯୁକ୍ତିର ଉପଯୋଗ କରାଯାଉଛି ବୋଲି ମୋଦି ଏଠାରେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଡାଭୋସଠାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ସମ୍ପର୍କରେ ସଦ୍ୟତମ ତଥ୍ୟ ପ୍ରକାଶ କରାଯାଇଛି। ଏଥିରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୨୦୧୮ରେ ୭.୪ ପ୍ରତିଶତ ରହିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏହି ସମୟରେ ଚୀନ୍‌ର ଅଭିବୃଦ୍ଧି ୬.୮ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ୨୦୧୯ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି।
୧୯୯୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ. ଡି. ଦେବେଗୌଡ଼ା ଡାଭୋସ ଅର୍ଥନୈତିକ ଫୋରମ୍‌ରେ ଯୋଗ ଦେଇଥିବାବେଳେ ଭାରତର ଜିଡିପି ୪୦୦ ବିଲିଅନ ଡଲାରରୁ ସାମାନ୍ୟ ଅଧିକ ରହିଥିଲା। ୧୯୯୭ ମସିହାରୁ ଇତି ମଧ୍ୟରେ ଭାରତର ଜିଡିପିରେ ୬ ଗୁଣ ବୃଦ୍ଧି ଘଟିଛି ବୋଲି ମୋଦି କହିଛନ୍ତି।
ମୋଦି ଏହି ଅବସରରେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସୁରକ୍ଷାବାଦ ମୁଣ୍ଡଟେକୁଛି। ଏଥିଯୋଗୁଁ ଜଗତୀକରଣର ଆକର୍ଷଣ ହ୍ରାସ ପାଉଛି। କିନ୍ତୁ ବ୍ୟବସାୟ କ୍ଷେତ୍ରରେ ଭାରତ ଏହାର ନୀତିକୁ ଉନ୍ମୁକ୍ତ ରଖିଛି ବୋଲି ମୋଦି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର