ଜାମନଗର: ଗୁଜରାଟର ଜାମନଗରରେ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଓ ଥଇଥାନ ପ୍ରକଳ୍ପ ‘ବନତାରା’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ସେ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ତାଙ୍କ ସହଯୋଗୀମାନଙ୍କ ସହାନୁଭୂତିଶୀଳ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବନତାରା ଭଳି ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ। ଏହା ଆମ ପୃଥିବୀରେ ବସବାସ କରୁଥିବା ଜୀବମାନଙ୍କୁ ସୁରକ୍ଷା ଦେବା ପାଇଁ ଆମ ଶହ ଶହ ବର୍ଷ ପୁରୁଣା ନୈତିକତାର ଏକ ଜୀବନ୍ତ ଉଦାହରଣ ବୋଲି ସେ କହିଛନ୍ତି। 

Advertisment

ବନତାରାରେ ସେ ଏକ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ହାତୀର ଚିକିତ୍ସା ଦେଖିଥିଲେ। ମଣିଷ କିପରି ଏତେ ଦାୟିତ୍ବହୀନ ଓ ନିଷ୍ଠୁର ହୋଇପାରିବ? ଆସନ୍ତୁ ଏପରି ଦାୟିତ୍ବହୀନତାର ଅନ୍ତ କରିବା ଓ ପ୍ରାଣୀମାନଙ୍କ ପ୍ରତି ଦୟା ଉପରେ ଧ୍ୟାନ ଦେବା ବୋଲି ସେ କହିଛନ୍ତି। ସେ ସିଂହ ଛୁଆ, ଚିତାବାଘ ଛୁଆଙ୍କ ସହ ଖେଳିଥିଲେ ଓ ସେମାନଙ୍କୁ ଖୁଆଇଥିଲେ। ସିମ୍ପାଜି, ଓରାଙ୍ଗୁଟାନ ସହ ସମୟ ବିତାଇଥିଲେ। ଜେବ୍ରା ଓ ଜିରାଫ ଥିବା ଅଞ୍ଚଳରେ ଚାଲିଥିଲେ।  ଅନନ୍ତ ଅମ୍ବାନିଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ବନତାରାରେ ୨୦୦୦ରୁ ଅଧିକ ପ୍ରଜାତିର ଓ ୧.୫ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ପ୍ରାଣୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବନତାରାରେ ଥିବା ବନ୍ୟଜନ୍ତୁ ହସ୍ପିଟାଲ୍ ବୁଲିଥିଲେ, ଯେଉଁଥିରେ ଏମ୍‌ଆର୍‌ଆଇ, ସିଟି ସ୍କାନ୍ ଓ ଆଇସିୟୁ ଭଳି ସୁବିଧା ରହିଛି। ସେ ଡାକ୍ତର ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ।