ତେଲ, ଟଙ୍କା:ମୋଦୀଙ୍କ ପାଇଁ କଣ୍ଟା

ଗଣେଶ ନାୟକ

ଚୀନ୍‌ ସହ ଆମେରିକାର ବାଣିଜ୍ୟ ଯୁଦ୍ଧ, ପରମାଣୁ ନୀତି ପାଇଁ ଇରାନ୍‌ ପ୍ରତି ଆର୍ଥିକ କଟକଣା ଏବଂ ତୁର୍କି-ଆମେରିକା ସମ୍ପର୍କରେ ଭଟ୍ଟା ଆଦି ଅନ୍ତର୍ଜାତୀୟ କାରଣରୁ ବେଶ କିଛି ମାସ ଧରି ଭାରତ ସମେତ ଅଧିକାଂଶ ଏସୀୟ ରାଷ୍ଟ୍ରର ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି। ଏହାର ପାର୍ଶ୍ୱ ପ୍ରଭାବ ସ୍ୱରୂପ ଆମେରିକୀୟ ମୁଦ୍ରା (ଡଲାର୍‌) ତୁଳନାରେ ଭାରତୀୟ ମୁଦ୍ରା (ଟଙ୍କା)ର ରେକର୍ଡ଼ ଅବମୂଲ୍ୟାୟନ ଜାରି ରହିଛି। ଚଳିତ ମାସ ୧୨ ତାରିଖରେ ଡଲାର ତୁଳନାରେ ଟଙ୍କାର ବିନିମୟ ହାର ୭୨.୯୨ରେ ପହଞ୍ଚିବା ସର୍ବକାଳୀନ ରେକର୍ଡ଼। ଟଙ୍କାର ଏଭଳି ଅଭୂତପୂର୍ବ ଅବମୂଲ୍ୟାୟନରେ ଶଙ୍କିତ ବିଦେଶୀ ନିବେଶକ (ଏଫ୍‌ପିଆଇ)ମାନେ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ସିକ୍ୟୁରିଟି ଓ ଋଣ ବଣ୍ଡ୍‌ ନିବେଶରୁ ୧୩୦ କୋଟି ଡଲାର୍‌ (୯୪୦୬ କୋଟି ଟଙ୍କା) ଉଠାଇ ନେଇଛନ୍ତି। ଟଙ୍କା ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏହି ଧାରା ଜାରି ରହିବା ଆଶଙ୍କା ଅଧିକ। ପରିଣାମସ୍ୱରୂପ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର (ଫୋରେକ୍ସ) ହ୍ରାସ ପାଇବାରେ ଲାଗିଛି। ରପ୍ତାନି ବଜାର ମୁକାବିଲା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କରେ ଫୋରେକ୍ସ ଜମା ନିହାତି ୪୦, ୦୦୦ କୋଟି ଡଲାର ଆବଶ୍ୟକ।

ତେବେ ଗତ ୧୪ ତାରିଖ ସୁଦ୍ଧା ତାହା ୩୯୯୦୦ ଡଲାରକୁ ଖସିଛି। ଟଙ୍କାର ଅବମୂଲ୍ୟାୟନ ସହ ତାଳ ଦେଇ ଦେଶର ଚଳନ୍ତି ନଗଦ ଜମା (ସିଏଡି)ରେ ମଧ୍ୟ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ବର୍ଷ ସେପ୍ଟେମ୍ବରରେ ସିଏଡି ନିଅଣ୍ଟ ମୋଟ ଆଭ୍ୟନ୍ତରୀଣ ଉତ୍ପାଦ (ଜିଡ଼ିପି)ର ୦.୬% ଥିଲା। ଏବେ ତାହା ୧.୯%କୁ ବଢ଼ିଛି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ସିଏଡି ନିଅଣ୍ଟ ଜିଡିପିର ୨.୮%କୁ ବୃଦ୍ଧି ପାଇବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଆର୍ଥିକ ନିଅଣ୍ଟ ୫ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି; ଯାହା ଏ ବର୍ଷର ମୋଟ ରାଜସ୍ୱ ଆୟ ଆକଳନ (୬ ଲକ୍ଷ ୨୪ ହଜାର କୋଟି)ର ୮୬.୫%। ସୁସ୍ଥ ଅର୍ଥନୀତି ଦୃଷ୍ଟିରୁ ଆର୍ଥିକ ନିଅଣ୍ଟ ମୋଟ ଆଭ୍ୟନ୍ତରୀଣ ଉତ୍ପାଦ (ଜିଡିପି)ର ୩.୩%ରେ ସୀମିତ ରହିବା ଜରୁରି। ମାତ୍ର ଚଳିତ ଆର୍ଥିକ ବର୍ଷରେ ଅଧିକାଂଶ ରାଜ୍ୟର ଆର୍ଥିକ ନିଅଣ୍ଟ ଅଣାୟତ୍ତ ହେବା ଆଶଙ୍କା ଥିବାରୁ ଜାତୀୟ ରାଜକୋଷରେ ନିଅଣ୍ଟ ମଧ୍ୟ ବଢ଼ିବ। ସମ୍ଭାବ୍ୟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୧୯ରେ ନିର୍ବାଚନୀ ବଜେଟ୍‌ ଆଣିବା ସମ୍ଭବ ହୋଇ ନପାରେ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହା ସତ୍ତ୍ୱେ ଆଭ୍ୟନ୍ତରୀଣ ବଜାର କୁପ୍ରଭାବିତ ହୋଇ ନାହିଁ, ତେଣୁ ଆତଙ୍କର କାରଣ ନାହିଁ ବୋଲି କେନ୍ଦ୍ର ସରକାର ତୁଚ୍ଛା ଫୁଟାଣି ମାରୁଛନ୍ତି।
ମାତ୍ର ବାସ୍ତବତା ହେଲା-ଟଙ୍କା ଅବମୂଲ୍ୟାୟନର ସିଧାସଳଖ କୁପ୍ରଭାବ ପଡ଼ିଛି ଦେଶର ସାଧାରଣ ଜନତାଙ୍କ ଉପରେ। ପେଟ୍ରୋଲ୍‌, ଡିଜେଲ୍‌ର ଆକାଶଛୁଆଁ ଦରବୃଦ୍ଧି ଓ ତତ୍‌ଜନିତ ପରିବହନ ଭଡ଼ା ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବଢ଼ିଚାଲିଛି। ଏଭଳି ପରିସ୍ଥିତିରେ ଦେଶର ସାଧାରଣ ଜନତା ଅତିଷ୍ଠ। ପୁଣି ନଭେମ୍ବର ୪ ସୁଦ୍ଧା ଇରାନ୍‌ରୁ ଅଶୋଧିତ ପେଟ୍ରୋଲିୟମ୍‌ ଆମଦାନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମେରିକା ସର୍ତ୍ତ ରଖିଥିବାରୁ ଭାରତରେ ପେଟ୍ରୋଲ୍‌, ଡିଜେଲ୍‌ ଆହୁରି ମହଙ୍ଗା ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ଚାହିଦା ପୂରଣ ପାଇଁ ଅଶୋଧିତ ପେଟ୍ରୋଲିୟମ ଆମଦାନି ଉପରେ ଭାରତ ନିର୍ଭରଶୀଳ। ଯେହେତୁ ଡଲାର, ୟେନ୍‌ ଓ ୟୁରୋରେ ଅଶୋଧିତ ପେଟ୍ରୋଲିୟମ୍‌ ବଜାର ପରିଚାଳିତ, ତେଣୁ ଟଙ୍କାର ଅବମୂଲ୍ୟାୟନ ହେବା ମାତ୍ରେ ତେଲ କିଣା ପାଇଁ ଦେଶକୁ ଯଥେଷ୍ଟ ଅଧିକ ଗଣିବାକୁ ପଡ଼ିଥାଏ। ପେଟ୍ରୋଲିୟମ ସାମଗ୍ରୀରେ କେନ୍ଦ୍ରର ଉତ୍ପାଦ ଶୁଳ୍କ ସ୍ଥିର, ତେଣୁ ଦର ବୃଦ୍ଧିରୁ କେନ୍ଦ୍ର ତହବିଲ୍‌କୁ ଅଧିକ ରାଜସ୍ୱ ଆସେ ନାହିଁ। ବରଂ ବର୍ଦ୍ଧିତ ଦର ଅନୁଯାୟୀ ରାଜ୍ୟମାନେ ଭାଟ୍‌ ଓ ସ୍ଥାନୀୟ ଟିକସରୁ ଅଧିକ ପାଆନ୍ତି। ଶେଷରେ ଅତିରିକ୍ତ ବୋଝ ପଡ଼େ ସାଧାରଣ ଖାଉଟି ମୁଣ୍ଡରେ। ତେଲ ଦର ବୃଦ୍ଧି ବିରୋଧରେ ସାରା ଦେଶରେ ପ୍ରତିବାଦ ସ୍ୱର ତୀବ୍ର ହୋଇଥିଲେ ମଧ୍ୟ ପୁନର୍ବାର କ୍ଷମତା ସ୍ୱପ୍ନ ଦେଖୁଥିବା ମୋଦୀ ସରକାର ରହସ୍ୟଜନକ ନିରବତା ଅବଲମ୍ବନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଟଙ୍କାର ଅବମୂଲ୍ୟାୟନ ରୋକିବା ନିମନ୍ତେ ଗୃହୀତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ, ମାତ୍ର ପେଟ୍ରୋଲ/ଡିଜେଲ୍‌ ଦର ନିୟନ୍ତ୍ରଣ ସମ୍ପର୍କରେ ପଦଟିଏ କହି ନଥିଲେ।
ବିଳମ୍ବରେ ହେଲେ ମଧ୍ୟ ଟଙ୍କାର ଅବମୂଲ୍ୟାୟନ ରୋକିବା ନିମନ୍ତେ ସରକାରଙ୍କ ନିଦ୍ରାଭଙ୍ଗ ହୋଇଛି। ମୁଖ୍ୟତଃ ୫ଟି ପଦକ୍ଷେପ ଜରିଆରେ ଟଙ୍କାର ଅବମୂଲ୍ୟାୟନ ରୋକାଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ତାଙ୍କ ସୂଚନା ଅନୁସାରେ ଏଣିକି ଅନାବଶ୍ୟକ ଆମଦାନିରେ କଟକଣା ରହିବ।

ତେବେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ସହ ଭାରତର ଚୁକ୍ତିକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ସତର୍କତାମୂଳକ ପଦକ୍ଷେପ ନେବାକୁ ବାଧ୍ୟ। କହିବା ବାହୁଲ୍ୟ ଯେ ଆଭ୍ୟନ୍ତରୀଣ ଉତ୍ପାଦନରେ ଆତ୍ମନିର୍ଭରଶୀଳ ନ ହୋଇ ଆମ ଦେଶ ବର୍ଷକୁ ୨୫୬ କୋଟି ୪୦ ଲକ୍ଷ ଡଲାର ମୂଲ୍ୟର କାଜୁ ଆମଦାନି କରୁଛି। ପେସ୍ତା ବାଦାମ ଆମଦାନି ମୂଲ୍ୟ ୮୮ କୋଟି ୪୦ ଡଲାର। ସେହିପରି ୨୫.୨୦ କୋଟି ଡଲାରର ସେଓ, ୩୨.୩୦ କୋଟି ଡଲାରର ହ୍ଵିସ୍କି, ୧୧.୫୦ କୋଟି ଡଲାରର ପାଣି, ୨୪.୯୦ କୋଟି ଡଲାରର ମାର୍ବଲ, ୪୮.୧୦ କୋଟି ଡଲାରର ଟାୟାର, ୪୪.୧୦ କୋଟି ଡଲାରର ଚମଡ଼ା, ୧୭୭.୭୦ କୋଟି ଡଲାରର ତୁଳା, ଉଲ୍‌ ଓ ସିଲ୍କ, ୧୫୮.୨୦ କୋଟି ଡଲାରର ହାତ ତିଆରି ତନ୍ତୁ, ୧୨୩.୪୦ କୋଟି ଡଲାରର ବୟନ ସାମଗ୍ରୀ, ୬୮.୭୦ କୋଟି ଡଲାରର ଜୋତା, ୧୨୪.୫୦ କୋଟି ଡଲାରର କାଚ, ୧୪୬୩.୮୦ କୋଟି ଡଲାରର ଲୌହ-ଇସ୍ପାତ, ୪୫୦.୭୦ କୋଟି ଡଲାରର ତମ୍ବା, ୪୫୨.୩୦ କୋଟି ଡଲାରର ଆଲୁମିନିୟମ, ୩୫୩.୭୦ କୋଟି ଡଲାରର ମୋବାଇଲ୍‌ ଫୋନ୍‌, ୧୩୯୨.୬୦ କୋଟି ଡଲାରର ପ୍ଲାଷ୍ଟିକ ପ୍ରତି ବର୍ଷ ଆମଦାନି କରୁଛି ଭାରତ। ଅନ୍ତତଃ ଏସବୁ ସାମଗ୍ରୀଗୁଡ଼ିକର ଆମଦାନିକୁ ଯଥେଷ୍ଟ ହ୍ରାସ କରିବା ଅପରିହାର୍ଯ୍ୟ।

ସମ୍ବନ୍ଧିତ ଖବର