କ୍ଷୋଭ ଜଣାଇଲେ ଟ୍ରମ୍ପ, ‘‌େମାଦୀ ମୋର ବଡ଼ ବନ୍ଧୁ, ଲଗାଉଛନ୍ତି ୧୦୦% ଟିକସ’

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଭାରତ ଉପରେ ତାଙ୍କର କ୍ରୋଧ ବ୍ୟକ୍ତ କରିଛନ୍ତି। ଆମେରିକା କରୁଥିବା ରପ୍ତାନି ଉପରେ ଭାରତ ମାତ୍ରାଧିକ ଟିକସ ଆଦାୟ କରୁଛି ବୋଲି ବାରମ୍ବାର କହି ଆସୁଥିବା ଟ୍ରମ୍ପ ଏଥର ଆହୁରି କଡ଼ା ଭାଷା ପ୍ରୟୋଗ କରିଛନ୍ତି। ଭାରତ ସହିତ ଆମେରିକାର ବାଣିଜ୍ୟ କାରବାର କରିବା ମୂର୍ଖାମି ବୋଲି ସେ ମତ ଦେଇଛନ୍ତି। ଏଥିପାଇଁ ସେ ‘ଷ୍ଟୁପିଡ୍ ଟ୍ରେଡ୍’ ଶବ୍ଦର ବ୍ୟବହାର ମଧ୍ୟ କରିଛନ୍ତି। ଆମେରିକାର କେତେକ ସାମଗ୍ରୀ ଉପରେ ଭାରତ ୧୦୦ ପ୍ରତିଶତରୁ ଅଧିକ ଆମଦାନି ଶୁଳ୍କ ଆଦାୟ କରୁଛି। ତେବେ ଭାରତ ବିରୋଧରେ ଅଧିକ ଶୁଳ୍କ ଲଗାଇବାକୁ ଗଲେ ଆମେରିକାର ସିନେଟ ସଦସ୍ୟମାନେ ଏହାକୁ ବିରୋଧ କରୁଛନ୍ତି ବୋଲି କହି ସେମାନଙ୍କୁ ସମାଲୋଚନା କରିବାକୁ ଭୁଲିନାହାନ୍ତି। ଟ୍ରମ୍ପ ଏହା ପୂର୍ବରୁ ଭାରତକୁ ଟାରିଫ୍ କିଙ୍ଗ୍ ବା ଟିକସ ରାଜା ବୋଲି କହିଥିଲେ। ସବୁଠାରୁ ଅଧିକ ଟିକସ ଭାରତ ଆଦାୟ କରୁଛି ବୋଲି କହିଥିଲେ। ଚୀନ୍ ବ୍ୟତୀତ ଭାରତ ଅନ୍ୟତମ ଦେଶ ଯିଏକି ଆମେରିକାର ସାମଗ୍ରୀ ଉପରେ ଅଧିକ ଟିକସ ଆଦାୟ କରୁଛି। ଲସ ଭେଗସଠାରେ ଉଦବୋଧନ ଦେଇ ଟ୍ରମ୍ପ ଭାରତକୁ ଏକ ମହାନ ଦେଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଡ଼ ବନ୍ଧୁ କହିଥିଲେ ମଧ୍ୟ ମୋଦୀ ଆମେରିକାଠାରୁ ଅନେକ ସାମଗ୍ରୀ ଉପରେ ୧୦୦%ରୁ ଅଧିକ ଟିକସ ଆଦାୟ କରୁଛନ୍ତି ବୋଲି କହିଛନ୍ତି। ତେବେ ସେହିସବୁ ସାମଗ୍ରୀ ଉପରେ ଭାରତଠାରୁ ଆମେରିକା କୌଣସି ଟିକସ ଆଦାୟ କରୁନାହିଁ ବୋଲି କହିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ତାଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି। ଆମେରିକା ଏଭଳି ମୂର୍ଖତାପୂର୍ଣ୍ଣ ବାଣିଜ୍ୟ କରିବା ଯୋଗୁ ବହୁ ବର୍ଷ ହେଲା ବାର୍ଷିକ ୮୦୦ ବିଲିଅନ ଡଲାର ହରାଉଛି ବୋଲି ଟ୍ରମ୍ପ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ଡେମୋକ୍ରାଟିକ୍ ଦଳକୁ ସମାଲୋଚନା କରିଛନ୍ତି। ଏପ୍ରକାର ମଧ୍ୟସ୍ଥତା ଓ ବାଣିଜ୍ୟ ଠିକ୍ ନୁହେଁ। ରିପବ୍ଲିକ୍ ଦଳର ସଦସ୍ୟମାନଙ୍କୁ ଏହି ବିଚିତ୍ର ବ୍ୟବସ୍ଥାକୁ ଠିକ୍ କରିବାକୁ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର