ନୂଆଦିଲ୍ଲୀ: ଚାଷୀଙ୍କ ସଙ୍କଟ ଦୂର କରିବୁ। ରେଳ, ସଡ଼କ ଓ ଅନ୍ୟାନ୍ୟ ଭିତ୍ତିଭୂମିରେ ବିପୁଳ ପରିମାଣର ନିବେଶ କରିବୁ। ରପ୍ତାନିକୁ ଦ୍ବିଗୁଣିତ କରିବୁ। ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। ଯଦି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରମୁଖ ଦାବିଗୁଡ଼ିକୁ ପୂରଣ କରିବାକୁ ପ୍ରୟାସ କରିବେ ତେବେ ଦେଶର ଅର୍ଥନୀତି ବେଶ ମଜବୁତ ହୋଇପାରିବ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। କିନ୍ତୁ, ଏହି ସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ଦରକାର ପଡ଼ିବ।
ମାନ୍ଦା ହୋଇଯାଇଥିବା ଅର୍ଥନୀତିକୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ନିବେଶ ପରିମାଣ କମିଥିବା ବେଳେ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଟଙ୍କା ଯୋଗାଡ଼ କରିବା ଏବେ ସହଜ ହେବନାହିଁ। ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟକୁ ୩.୪% ମଧ୍ୟରେ ରଖିବାକୁ ସରକାର ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଅର୍ଥନୀତିର ଏହି ଜଟିଳ ଗଣିତକୁ ସରକାର ବିଗାଡ଼ିବାକୁ ଚାହିବେ ନାହିଁ। କାରଣ ଏହି ନିଅଣ୍ଟ ବଢ଼ିଲେ ଦେଶର ରେଟିଂ ଖରାପ ହେବ। ସାରା ଦୁନିଆର ନିବେଶକମାନଙ୍କ ପାଖକୁ ଏକ ଭୁଲ ବାର୍ତା ଯିବ। ସେମାନେ ଭାରତକୁ ନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ବୋଲି ଭାବିବେ ନାହିଁ। ସରକାର କେବେବି ଏଭଳି ସମସ୍ୟା ସୃଷ୍ଟି କରିବାକୁ ଚାହିବେ ନାହିଁ। ସରକାରଙ୍କ ରାଜସ୍ବ ଆୟ ମଧ୍ୟ ଆଶାନୁରୂପେ ଆଗକୁ ବଢ଼ୁନାହିଁ। ତେଣୁ ଖର୍ଚ ପାଇଁ ଟଙ୍କା ଯୋଗାଡ଼ କରିବା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ନଗଦ ଭଣ୍ଡାର ଉପରେ ସରକାର ନଜର ପକାଇଛନ୍ତି। ଗତକାଲି ରେଟିଂ ଏଜେନ୍ସି ଫିଚ୍ ପକ୍ଷରୁ କୁହାଯାଇଥିଲା ଯେ, ସରକାରୀ ଆୟରେ ସୁଧାର ଆଣିବା ନୂଆ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ହେବ। ଦେଶର ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥି ମଧ୍ୟରୁ ୧.୨ ଲକ୍ଷ କୋଟି ଟଙ୍କା କେବଳ ସଡ଼କ ଓ ରେଳ ଭିତ୍ତିଭୂମି ବିକାଶରେ ଖର୍ଚ କରାଯିବ। ମୋଦୀ ସରକାରଙ୍କ ପ୍ରଥମ ପାଳିର ଅର୍ଥନୈତିକ ପ୍ରଦର୍ଶନ ମିଶ୍ରିତ ରହିଛି। ନାଲିଫିତା କଟକଣା ଦୂର କରିବା ଓ ନୂଆ ଦେବାଳିଆ ନିୟମ ଆଣିବା ଭଳି ପଦକ୍ଷେପକୁ ନିବେଶକମାନେ ବହୁତ ପସନ୍ଦ କରିଥିଲେ। କିନ୍ତୁ ବିମୁଦ୍ରୀକରଣ ଓ ଜିଏସ୍ଟି ଭଳି ପଦକ୍ଷେପକୁ ସେମାନେ ସ୍ବାଗତ କରିବାକୁ କୁଣ୍ଠା ପ୍ରକାଶ କରିଥିଲେ। ଅର୍ଥନୀତିରେ ସୁଧାର ଆଣିବା ପାଇଁ ମୋଦୀଙ୍କୁ ଆଉ ଏକ ସୁଯୋଗ ମିଳିଛି। କିନ୍ତୁ ସେହି କାମ କରିବାକୁ ହେଲେ ତାଙ୍କୁ ରାଜସ୍ବ ଆୟ ବଢ଼ାଇବା ନିମନ୍ତେ ନୂଆ ନୂଆ ବ୍ୟବସ୍ଥା ସନ୍ଧାନ କରିବାକୁ ପଡ଼ିବ।
କେବଳ ସେତିକି ନୁହେଁ ଅର୍ଥନୀତିର ଗତି ଆଗକୁ ବଢ଼ାଇବା ପାଇଁ ମୋଦୀଙ୍କୁୂ ଅନେକ ପରିଶ୍ରମ କରିବାକୁ ପଡ଼ିବ। ଦେଶର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେବ। ଘରୋଇ ନିବେଶ ପରିମାଣ ବଢ଼ାଇ ନିବେଶକମାନଙ୍କ ମନୋବଳକୁ ସୁଦୃଢ଼ କରିବାକୁ ହେବ। ଜିଏସ୍ଟିର ଆହୁରି ସରଳୀକରଣ କରିବାକୁ ପଡ଼ିବ।