ନୂଆଦିଲ୍ଲୀ: ଜିଏସ୍ଟି ସଂସ୍କାର ପ୍ରଭାବରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ଉପରେ ୨୦ ହଜାର ଟଙ୍କାର ସଞ୍ଚୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟକୁ ଉଦ୍ଘାଟନ କରି ମୋଦୀ କହିଥିଲେ ଯେ ବିଜେପି-ଏନ୍ଡିଏ ସରକାର ଦେଶକୁ ଉତ୍ତମ ପ୍ରଶାସନର ଏକ ନୂତନ ମଡେଲ୍ ଦେଇଛନ୍ତି। ଜିଏସ୍ଟି ସଂସ୍କାରର ଲାଭ ଯେଭଳି ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିବ ସେଦିଗରେ କାମ କରିବାକୁ ସେ ଦଳର କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦୀ କହିଥିଲେ ଯେ ୨୦୧୪ରେ ଉପା ସରକାର ଶାସନ ଗାଦିରେ ଥିବା ବେଳେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଲାଗୁଥିଲା। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ୁନି।
ସେହିପରି ୨୦୧୪ ପୂର୍ବ ସମୟରେ ଯଦି କୌଣସି ବ୍ୟକ୍ତି ବର୍ଷକୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ, ତାଙ୍କୁ ୨୫ ହଜାର ଟଙ୍କାର ଟିକସ ଦେବାକୁ ପଡ଼ୁଥିଲା ବୋଲି ମୋଦୀ କହିଥିଲେ। ଜିଏସ୍ଟି ଲାଗୁ ହେବା ପରେ ଟିକସ କମିଥିଲା। ନିକଟରେ ଜିଏସ୍ଟିରେ କରାଯାଇଥିବା ସଂସ୍କାର ପରେ ସେହି ପରିବାରଗୁଡ଼ିକୁ ମାତ୍ର ୫୦୦୦-୬୦୦୦ ଟଙ୍କାର ଟିକସ ଦେବାକୁ ପଡ଼ୁଛି। ଅର୍ଥାତ ୨୦୧୪ ତୁଳନାରେ ସେହି ପରିବାରଗୁଡ଼ିକ ଏବେ ୨୦ ହଜାର ଟଙ୍କାର ସଞ୍ଚୟ କରୁଛନ୍ତି। ଯଦି ଆୟକର ଓ ଜିଏସ୍ଟି ସଞ୍ଚୟକୁ ବିଚାରକୁ ନିଆଯିବ ତେବେ ପ୍ରତିବର୍ଷ ଦେଶବାସୀ ୨.୫ ଲକ୍ଷ କୋଟି ଟଙ୍କାର ସଞ୍ଚୟ କରିବେ ବୋଲି ମୋଦୀ କହିଥିଲେ। ଏହି ଅବସରରେ ସେ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ପ୍ରତି ଦୋକାନରେ ‘ଗର୍ବରେ କୁହ ସ୍ବଦେଶୀ’ ଲେଖିବାକୁ ସେ କହିଥିଲେ।