ଚାଷୀଙ୍କ ପାଇଁ ସମ୍ଭାବନା ଆଣିଛି ମୋଦୀଙ୍କ କୃଷି ସଂସ୍କାର : ଧର୍ମେନ୍ଦ୍ର

ଭୁବନେଶ୍ୱର: କୃଷି କ୍ଷେତ୍ରର ବିକାଶ ପାଇଁ ମୋଦୀ ସରକାରଙ୍କ ଉଦ୍ୟମ ଏବଂ ନିକଟରେ ହୋଇଥିବା କୃଷି ସଂସ୍କାର ଓଡ଼ିଶା ତଥା ଦେଶର କୃଷକଙ୍କ ନିମନ୍ତେ ଅନେକ ସମ୍ଭାବନାର ସମ୍ଭାର ଆଣିବ। ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର ଭାରତ ନିର୍ମାଣରେ ଏହା ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ମୋଦୀ ସରକାରଙ୍କ କୃଷି ନୀତି ଓ ଏ କ୍ଷେତ୍ରରେ ହୋଇଥିବା ସଂସ୍କାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ଆତ୍ମନିର୍ଭର ଚାଷୀ ଓ ଆତ୍ମନିର୍ଭର କୃଷି କ୍ଷେତ୍ର ବିନା ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ କଳ୍ପନା କରାଯାଇପାରିବ ନାହିଁ ବୋଲି ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ଦେଶର ଚାଷୀ ମାନଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରିଛନ୍ତି। ଚାଷୀଙ୍କ କଲ୍ୟାଣ ତଥା ଆମ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏଥି ପାଇଁ ସର୍ବଦା କାର୍ଯ୍ୟରତ। ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି କେବଳ ଚାଷୀଙ୍କ ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ କରିନାହିଁ ବରଂ କଠିନ ସମୟରେ ପିଏମ୍‌ କିଷାନ ଭଳି କୃଷି ନୀତି ସେମାନଙ୍କୁ ସୁବିଧା ମଧ୍ୟ ଦେଇଛି। କରୋନା ମହାମାରୀ ସମୟରେ ଓଡ଼ିଶାର ୩୬.୫ ଲକ୍ଷରୁ ଅଧିକ ଚାଷୀ ଡିବିଟି ଜରିଆରେ ସିଧାସଳଖ ୨ ହଜାର ଟଙ୍କା ପାଇପାରିଛନ୍ତି।

ସେହିପରି ‘କୃଷକଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ବଜାର’ କେବଳ ଉତ୍ପାଦନକାରୀଙ୍କୁ ସଶକ୍ତ କରିନାହିଁ ବରଂ ଗ୍ରାହକଙ୍କୁ ମଧ୍ୟ ମଜ୍‌ବୁତ କରିଛି। ପ୍ରତିବନ୍ଧକ ମୁକ୍ତ ବାଣିଜ୍ୟ ଚାଷୀଙ୍କୁ ସଠିକ୍ ମୂଲ୍ୟ ଯୋଗାଇବ ଏବଂ ସେମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ନିଜ ପସନ୍ଦ ଅନୁସାରେ ବଜାରରେ ବିକ୍ରି କରିପାରିବେ। ମୋଦୀ ସରକାରଙ୍କ କୃଷି ନୀତି କାରଣରୁ କୁଚିଣ୍ଡା କିମ୍ବା କୋରାପୁଟର ଚାଷୀ ଦେଶର ଯେ କୌଣସି ବଜାରରେ ଲଙ୍କା ଏବଂ ଅଦା ବିକ୍ରି କରିବାକୁ ସମର୍ଥ ହେବ। ଏହି ନୀତି କାରଣରୁ ଓଡ଼ିଶାର ବହୁ ଅଞ୍ଚଳର ଚାଷୀ ମଧ୍ୟ ଲାଭ ପାଇବେ। ଅପର ପକ୍ଷରେ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ପଣ୍ୟାଗାର, ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ପରିଚାଳନାରେ ଥିବା ବିପୁଳ ସୁଯୋଗକୁ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର