ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଜିଏସ୍‌ଟି ହ୍ରାସ ଲାଗୁ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି ସେମାନଙ୍କୁ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ ଆପଣମାନଙ୍କ ଘରେ ସଞ୍ଚୟ ବଢ଼ୁ, ଆପଣମାନଙ୍କ ସ୍ବପ୍ନ ପୂରଣ ହେଉ, ଆପଣମାନେ ନିଜ ପସନ୍ଦର ଜିନିଷ କିଣି ପାର୍ବଣର ଚମକ ବଢ଼ାନ୍ତୁ। ଏହା ହିଁ ମୁଁ କାମନା କରୁଛି। ପତ୍ର ଜରିଆରେ ଦୋକାନୀ ଓ ବେପାରୀମାନଙ୍କୁ ସ୍ବଦେଶୀ ଜିନିଷ ବିକ୍ରି କରିବାକୁ ସେ ଆହ୍ବାନ ଦେଇଛନ୍ତି। ଗର୍ବରେ କୁହନ୍ତୁ, ଆମେ ସ୍ବଦେଶୀ ବୋଲି ସେ ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ପତ୍ରରେ ଲେଖିଛନ୍ତି ଯେ ଜିଏସ୍‌ଟିରେ ହୋଇଥିବା ସଂସ୍କାରର ଲାଭ ଚାଷୀ, ମହିଳା, ଯୁବବର୍ଗ, ଗରିବ, ମଧ୍ୟବିତ୍ତ, ବ୍ୟବସାୟୀ, ଲଘୁ ଉଦ୍ୟାଗ, କୁଟୀର ଶିଳ୍ପ ଆଦି ସମସ୍ତଙ୍କୁ ମିଳିବ। ଏହି ସଂସ୍କାରର ବିଶେଷତା ହେଉଛି ମୁଖ୍ୟ ରୂପରେ କେବଳ ଦୁଇଟି ଜିଏସ୍‌ଟି ସ୍ଲାବ୍‌ ରହିବ। ଖାଦ୍ୟ ସାମଗ୍ରୀ, ସାବୁନ, ଔଷଧ, ଟୁଥ୍‌ପେଷ୍ଟ ଭଳି ଅନେକ ଜିନିଷ ଟିକସମୁକ୍ତ କରାଯାଇଛି କିମ୍ବା ୫% ଭଳି ନିମ୍ନ ସ୍ଲାବ୍‌ରେ ରଖାଯାଇଛି। ଘର ତିଆରି କରିବା, ଗାଡ଼ି କିଣିବା‌, ବାହାରେ ଖାଇବା ଏବଂ ପରିବାର ସହିତ ଛୁଟି ବିତାଇବା ଲାଗି ବାହାରକୁ ଯିବା ପ‌ାଇଁ ଲୋକମାନଙ୍କ ରହିଥିବା ସ୍ବପ୍ନ ଏବେ ପୂରଣ ହୋଇପାରିବ। ସ୍ବାସ୍ଥ୍ୟ ବୀମା ଉପରେ ମଧ୍ୟ ଜିଏସ୍‌ଟିକୁ ଶୂନ କରାଯାଇଛି।

Advertisment

ବହୁ ଦୋକାନୀ ଓ ବେପାରୀ ‘ପୂର୍ବ ଓ ପର ଦର ତାଲିକା’ ଲଗାଇ ଲୋକମାନଙ୍କୁ କେଉଁ ଜିନିଷର ଦାମ୍ କେତେ କମିଲା ତାହା ଜଣାଉଥିବା ଦେଖି ଖୁସି ଲାଗୁଛି। ୨୦୧୭ରେ ଜିଏସ୍‌ଟି ଯାତ୍ରା ଆରମ୍ଭ ହୋଇଥିଲା। ଅନେକ ଟିକସ ଓ ଶୁଳ୍କରୁ ମୁକ୍ତି ମିଳିଥିଲା। ପରବର୍ତ୍ତୀ ପିଢ଼ିର ଜିଏସ୍‌ଟି ସଂସ୍କାର ଦ୍ବାରା ବ୍ୟବସ୍ଥା ଆହୁରି ସରଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ୧୧ ବର୍ଷ ଭିତରେ ଆମେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିଛୁ। ଏକ ନୂଆ ମଧ୍ୟବିତ୍ତ ବର୍ଗ ସୃଷ୍ଟି ହୋଇଛନ୍ତି। ସେମାନଙ୍କୁ ସଶକ୍ତ କରାଯାଉଛି। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନିଆଯାଉନାହିଁ। ଏବେ ଜିଏସ୍‌ଟିରେ କରାଯାଇଥିବା ସଂସ୍କାର ଦ୍ବାରା ବାର୍ଷିକ ଅଢ଼େଇ ଲକ୍ଷ କୋଟି ଟଙ୍କା ସଞ୍ଚୟ ହେବ ବୋଲି ମୋଦୀ ଜଣାଇଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ନିଆଯାଇଥିବା ସଂକଳ୍ପ ପୂରା କରିବା ପାଇଁ ଆତ୍ମନିର୍ଭରଶୀଳ ରାସ୍ତାରେ ଆଗକୁ ବଢ଼ିବାକୁ ହେବ। ଆତ୍ମନିର୍ଭରଶୀଳ ହେବା ପାଇଁ ସ୍ବଦେଶୀ ଜିନିଷକୁ ଜୀବନର ଅଂଶରେ ପରିଣତ କରିବାକୁ ସେ ଆହ୍ବାନ ଦେଇଛନ୍ତି।