‘ମୁଡିସ୍‌’ ବଢ଼ାଇଲା ରେଟିଂ, ସରକାର ଗଦ୍‌ଗଦ୍‌

ବିମୁଦ୍ରାକରଣ, ଜିଏସ୍‌ଟିକୁ ପ୍ରଶଂସା

ନୂଆଦିଲ୍ଲୀ: ଦୀର୍ଘ ୧୩ ବର୍ଷ ପରେ ଆମେରିକୀୟ ରେଟିଂ ଏଜେନ୍ସି ମୁଡିସ୍‌ ଭାରତର ରେଟିଂରେ ଉନ୍ନତି ଆଣିଛି। ଭାରତର ରେଟିଂକୁ ଏହା ବିଏଏ୩ରୁ ସାମାନ୍ୟ ଉପରକୁ ଆଣି ବିଏଏ୨ କରିଛି। ଏଥି ସହିତ ଆଉଟ୍‌ଲୁକ୍‌କୁ ‘ନକାରାତ୍ମକ’ ବଦଳରେ ‘ସ୍ଥିର’ ବୋଲି କହିଛି।

ରେଟିଂରେ ଉନ୍ନତି ହୋଇଥିବାରୁ ଉଭୟ ସରକାର ଏବଂ ଭାରତୀୟ ସଂସ୍ଥାଗୁଡ଼ିକ ସୁବିଧାରେ ସ୍ଥାନୀୟ ବଜାରରେ ଏବଂ ଆନ୍ତର୍ଜାତିକ ବଜାରରେ ପାଣ୍ଠି ହାସଲ କରିପାରିବେ। ଏହା ଦ୍ୱାରା ଦେଶକୁ ଅଧିକ ବିଦେଶୀ ପୁଞ୍ଜିନିବେଶ ଆସିବ। ରେଟିଂରେ ଉନ୍ନତି ଆଣିଥିବା ମୁଡିସ୍‌ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି), ଏନ୍‌ପିଏ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ଓ ବିମୁଦ୍ରାକରଣକୁ ବହୁତ ପ୍ରଶଂସା କରିଛି। କ୍ରେଡିଟ୍‌ ରେଟିଂ ହେଉଛି ଗୋଟିଏ ରାଷ୍ଟ୍ରର ଋଣ ଗ୍ରହଣ କ୍ଷମତା ଏବଂ ନିୟାମକ ପରିବେଶର ମାପକାଠି। କୌଣସି ନିବେଶକ ଗୋଟିଏ ରାଷ୍ଟ୍ରରେ ନିବେଶ କରିବା ବେଳେ ସେହି ରାଷ୍ଟ୍ରର ରେଟିଂ ଭଲ ଅଛି ନା ନାହିଁ ତାହାକୁୁ ସର୍ବାଧିକ ଗୁରୁତ୍ୱ ଦେଇଥାନ୍ତି। କାରଣ ଯେଉଁ ରାଷ୍ଟ୍ରର ରେଟିଂ ଯେତେ ଭଲ ସେଠାରେ ପୁଞ୍ଜିନିବେଶ ସେତେ ସୁରକ୍ଷିତ ବୋଲି ବିଚାର କରାଯାଏ। ରେଟିଂରେ ଉନ୍ନତିକୁ ନେଇ କେନ୍ଦ୍ର ସରକାର ବହୁତ ଖୁସିରେ ଗଦ୍‌ଗଦ୍‌ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରରେ ଖୁସି ଜାହିର କରି ଲେଖିଛନ୍ତି ଯେ ‘ମୁଡିସ୍‌ ବିଶ୍ୱାସ କରୁଛି ଯେ ନରେନ୍ଦ୍ର ମୋଦି ସରକାରଙ୍କ ସଂସ୍କାର ବ୍ୟବସାୟ ପରିବେଶରେ ଉନ୍ନତି ଆଣିବ, ଉତ୍ପାଦକତା ବଢ଼ାଇବ, ବିଦେଶୀ ଏବଂ ସ୍ଥାନୀୟ ନିବେଶକୁ ବଢ଼ାଇବ ଏବଂ ସର୍ବୋପରି ଅଭିବୃଦ୍ଧିକୁ ସୁଦୃଢ଼ କରିବ। ଏହାକୁ ଅସ୍ତ୍ର କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସମାଲୋଚକମାନଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି। ଜେଟ୍‌ଲି କହିଛନ୍ତି ଯେ ବିଗତ କିଛି ବର୍ଷ ଭିତରେ ଭାରତ ଯେଉଁ ସବୁ କିଛି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଥିଲା, ସେଥିପ୍ରତି ଏହି ରେଟିଂ ହେଉଛି ବିଳମ୍ବିତ ମାନ୍ୟତା। ଯେଉଁମାନେ ଭାରତର ସଂସ୍କାର ପ୍ରକ୍ରିୟାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ସେମାନେ ଆତ୍ମ ସମୀକ୍ଷା କରିବା ଦରକାର ବୋଲି ଜେଟ୍‌ଲି କହିଛନ୍ତି। ଯଦିଓ ମୁଡିସ୍‌ ଭାରତର ରେଟିଂରେ ଉନ୍ନତି ଆଣିଛି କିନ୍ତୁ ଏହା ମଧ୍ୟ ଚେତାଇ ଦେଇଛି ଯେ ଯଦି ଆର୍ଥିକ କ୍ଷେତ୍ରରେ ବିଶୃଙ୍ଖଳା ଦେଖାଦେବ ତେବେ ଏହା ରେଟିଂ କମାଇବାକୁ ସଙ୍କୋଚ କରିବ ନାହିଁ।

ସମ୍ବନ୍ଧିତ ଖବର