ନିର୍ବାଚନ ସମୟର ଜବତ ଟଙ୍କା ଫେରାଇବା ପ୍ରସଙ୍ଗ: କେନ୍ଦ୍ର ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ୨୦୧୪ ସାଧାରଣ ନିର୍ବାଚନ ସମୟରେ ମୋଟ ୩୦୩.୮୬ କୋଟି ଟଙ୍କା ଜବତ କରାଯାଇଥିଲା। ନିର୍ବାଚନ ଶେଷ ହେବା ପରେ ଆବଶ୍ୟକ ଯାଞ୍ଚ କରି ସେହି ଟଙ୍କାଗୁଡ଼ିକୁ ଜବତ କରାଯାଇଥିବା ଲୋକମାନଙ୍କୁ ଫେରାଇ ଦିଆଯାଇଥିଲା। ସୁପ୍ରିମକୋର୍ଟରେ ସରକାର ଏଭଳି ଉତ୍ତର ଦେବା ପରେ କୋର୍ଟ ସରକାରଙ୍କ ଉପରେ ଭୀଷଣ ବିରକ୍ତ ହୋଇଛନ୍ତି। ୨୦୧୪ ନିର୍ବାଚନରେ କେତେ ପରିମାଣର ବେଆଇନ ନଗଦ ଟଙ୍କା ଜବତ ହୋଇଥିଲା ଏବଂ ତାହାକୁ ନେଇ କେତୋଟି ଅପରାଧିକ ମାମଲା ରୁଜୁ କରାଯାଇଛି ଓ ସେହି ମାମଲାଗୁଡ଼ିକର ସ୍ଥିତି କ’ଣ ତାହା ଜାଣିବାକୁ କୋର୍ଟ ଆଗ୍ରହ ପ୍ରକାଶ କରିଥିଲେ। ଏକ ସତ୍ୟପାଠ ଜରିଆରେ ସରକାର କହିଛନ୍ତି ଯେ, ଜବତ କରାଯାଇଥିବା ପ୍ରାୟ ସବୁ ଟଙ୍କା ସଂପୃକ୍ତ ବ୍ୟକ୍ତିମାନଙ୍କୁ ଫେରାଇ ଦିଆଯାଇଛି। ୧୦୦ରୁ ମାତ୍ର ୩ଟି ମାମଲାରେ ମାମଲା ରୁଜୁ କରାଯାଇଥିଲା। ଏହା ଜାଣିବା ପରେ ସୁପ୍ରିମକୋର୍ଟ ବିଚାରପତି ଏନ୍‌ ଭି ରମଣ ଓ ଏମ୍ ଏମ୍ ଶାନ୍ତାନଗୋଡରଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଥିଲେ। ସରକାରଙ୍କୁ ଖଣ୍ଡପୀଠ କହିଥିଲେ ଯେ, ଆପଣମାନେ ଜବତ କରିଥିବା ସବୁ ଟଙ୍କା ନିର୍ବାଚନ ପରେ ଫେରାଇ ଦେଲେ। ଏହାର ଅର୍ଥ ହେଉଛି ସୁରକ୍ଷିତ ଭାବେ ସେହି ସବୁ ଟଙ୍କାକୁ ନିଜ ହେପାଜତରେ ରଖିଲେ। କୋର୍ଟ କହିଥିଲେ ଯେ, ପ୍ରଶ୍ନ ହେଉଛି ନିର୍ବାଚନ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଉଛି। ସେହି ସବୁ ମାମଲାଗୁଡ଼ିକର ସ୍ଥିତି ଜାଣିବା ପାଇଁ ରାଜ୍ୟ ଓ ନିର୍ବାଚନ କମିସନ ସହିତ ସମନ୍ବୟ ରକ୍ଷା କରିବା କ’ଣ କେନ୍ଦ୍ର ସରକାରଙ୍କ କାମ ନୁହେଁ ? ଯେଉଁ ସବୁ ଟଙ୍କା ଜବତ ହେଉଛି ତାହାର କୌଣସି ସମ୍ପର୍କ ନିର୍ବାଚନ ସହିତ ନାହିଁ ବୋଲି ଆପଣମାନେ ଭାବୁଛନ୍ତି। ଯାହା ଜଣାପଡ଼ୁଛି ଆପଣମାନେ କିଛି ଜାଣନ୍ତି ନାହିଁ। ଆମକୁ ଏହି ଦାୟିତ୍ବ ନିର୍ବାଚନ କମିସନଙ୍କୁ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ନିର୍ବାଚନ ସମୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ସମସ୍ତ କ୍ଷମତା ନିର୍ବାଚନ କମିସନଙ୍କୁ ହସ୍ତାନ୍ତର କରିବାକୁ ଆମେ କହିବୁ ବୋଲି ଖଣ୍ଡପୀଠ କହିଛନ୍ତି।

ମାମଲା ଶୁଣାଣି ବେଳେ ସରକାର ଏବଂ ନିର୍ବାଚନ କମିସନ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନିର୍ବାଚନ ସମୟରେ ଜବତ ହେଉଥିବା ଟଙ୍କା ମାମଲାରେ ସରକାର ସହଯୋଗ କରୁନାହାନ୍ତି ଏବଂ ଆୟକର ବିଭାଗ ଜବତ କରୁଥିବା ଟଙ୍କା ବିଷୟରେ କୌଣସି ସୂଚନା ଦେଉନାହାନ୍ତି ବୋଲି ନିର୍ବାଚନ କମିସନ ତରଫରୁ ଅଭିଯୋଗ କରାଯାଇଥିଲା।

ଏହା ଶୁଣିବା ପରେ ସୁପ୍ରିମକୋର୍ଟ ସରକାରଙ୍କୁ କହିଥିଲେ ଯେ, ଚଢ଼ଉ କରି ଟଙ୍କା ଜବତ କରିବା ପରେ ଆପଣମାନେ ଆଉ କିଛି କରୁନାହାନ୍ତି। ନିର୍ବାଚନ କମିସନ କିମ୍ବା କୋର୍ଟ କାହାକୁ ସହଯୋଗ କରୁନାହାନ୍ତି। କମିସନଙ୍କ ଚିଠିର ଉତ୍ତର ଦେଉନାହାନ୍ତି। ଏକ ସରକାର କ’ଣ ଏଭଳି ଭାବେ ପ୍ରତିକ୍ରିୟା ପ୍ରଦାନ କରିବା ଉଚିତ କି’ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ନିର୍ବାଚନ ସମୟରେ ରୁଜୁ ହେଉଥିବା ମାମଲାଗୁଡ଼ିକର ନିରୀକ୍ଷଣ ଏବଂ ସେଗୁଡ଼ିକୁ ଯୁକ୍ତିଯୁକ୍ତ ଭାବେ ଫଇସଲା କରିବା ପାଇଁ କୋର୍ଟ ଏକ ଦିଶାନିର୍ଦେଶ ପ୍ରସ୍ତୁତ କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆର୍‌ ବାଲସୁବ୍ରମଣିନ୍ କୋର୍ଟଙ୍କୁ କହିଥିଲେ ଯେ, ନିର୍ବାଚନ ସମୟରେ ଜବତ ହୋଇଥିବା ଟଙ୍କା କିମ୍ବା ଅନ୍ୟାନ୍ୟ ସାମଗ୍ରୀ ସମ୍ପର୍କିତ କେତେ ଅପରାଧିକ ମାମଲା ଦାୟର ହୋଇଛି ତାହାର ତଥ୍ୟ ଆମ ପାଖରେ ନାହିଁ। ସେହି ସବୁ ମାମଲା ରାଜ୍ୟ ସରକାରଙ୍କ ଅଧୀନରେ ଆସୁଛି।

ଉଲ୍ଲେଖଯୋଗ୍ୟ, ୨୦୧୪ ଲୋକସଭା ନିର୍ବାଚନ ବେଳେ କର୍ଣ୍ଣାଟକର ବେଲାରି ନିର୍ବାଚନ ମଣ୍ଡଳୀରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟ ଦେଇଥିବା ରାୟକୁ କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସେହି ମାମଲାର ଶୁଣାଣି ବେଳେ କୋର୍ଟ ଏହି ସବୁ କଥା କହିଛନ୍ତି।

କିଏ କ’ଣ କହିଲେ ସୁପ୍ରିମକୋର୍ଟ
ନିର୍ବାଚନ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଉଛି। ସେହି ସବୁ ମାମଲାଗୁଡ଼ିକର ସ୍ଥିତି ଜାଣିବା ପାଇଁ ରାଜ୍ୟ ଓ ନିର୍ବାଚନ କମିସନ ସହିତ ସମନ୍ବୟ ରକ୍ଷା କରିବା କ’ଣ କେନ୍ଦ୍ର ସରକାରଙ୍କ କାମ ନୁହେଁ? ଚଢ଼ଉ କରି ଟଙ୍କା ଜବତ କରିବା ପରେ ଆପଣମାନେ ଆଉ କିଛି କରୁନାହାନ୍ତି। ନିର୍ବାଚନ କମିସନ କିମ୍ବା କୋର୍ଟ କାହାକୁ ସହଯୋଗ କରୁନାହାନ୍ତି। କମିସନଙ୍କ ଚିଠିର ଉତ୍ତର ଦେଉନାହାନ୍ତି। ଏକ ସରକାର କ’ଣ ଏଭଳି ଭାବେ ପ୍ରତିକ୍ରିୟା ପ୍ରଦାନ କରିବା ଠିକ୍?

କେନ୍ଦ୍ର ସରକାର
ଆୟକର ନିୟମ ଅନୁସାରେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଉଛି। ନିର୍ବାଚନ ଓ ଅଣ-ନିର୍ବାଚନ ସମୟର ଜବତ ଟଙ୍କାକୁ ଆୟକର ବିଭାଗ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖେନାହିଁ। ନିର୍ବାଚନ ସମୟର ଚଢ଼ଉ ଓ ଜବତ ସମ୍ପର୍କିତ ସ୍ବତନ୍ତ୍ର ତଥ୍ୟ ସିବିଡିଟି ରଖେନାହିଁ। କୌଣସି ସ୍ବତନ୍ତ୍ର ପ୍ରକାର ତଥ୍ୟକୁ ସିବିଡିଟି କେନ୍ଦ୍ରୀୟ ଭାବେ ରଖେ ନାହିଁ। ନିର୍ବାଚନ ପରେ ଜବତ ହୋଇଥିବା ଟଙ୍କାଗୁଡ଼ିକର ଯାଞ୍ଚ କରାଯିବା ପରେ କୌଣସି ପ୍ରମାଣ ନମିଳିଲେ ତାହାକୁ ଜବତ କରାଯାଇଥିବା ଲୋକଙ୍କୁ ଫେରାଇ ଦିଆଯାଏ।

ନିର୍ବାଚନ କମିସନ
କେନ୍ଦ୍ର ସରକାର ସହଯୋଗ କରୁନାହାନ୍ତି। ଆୟକର ବିଭାଗ କରିଥିବା ଚଢ଼ଉ ଓ ଜବତ କରିଥିବା ଟଙ୍କା ଓ ସାମଗ୍ରୀ ବିଷୟରେ କୌଣସି ସୂଚନା ଦେଉନାହାନ୍ତି। ଆମେ ଏବିଷୟରେ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲୁ। ସେମାନେ କିନ୍ତୁ ତାହାର କୌଣସି ଉତ୍ତର ଦେଲେ ନାହିଁ।
(ଆଇନଜୀବୀମାନେ ସଂପୃକ୍ତ ପକ୍ଷ ପାଇଁ ଦେଇଥିବା ଉତ୍ତର)

ସମ୍ବନ୍ଧିତ ଖବର