ଝଟ୍‌କା ଦେଇଥିଲା ବିମୁଦ୍ରୀକରଣ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଯୋଗୁ ଦେଶର ଅଭିବୃଦ୍ଧିକୁ ବଡ଼ ଧରଣର ଝଟ୍‌କା ଲାଗିଥିଲା। ସାରା ବିଶ୍ବର ଅର୍ଥନୀତି ଆଗକୁ ବଢ଼ୁଥିବା ବେଳେ ଭାରତର ଅଭିବୃଦ୍ଧି ଖସିଯାଇଥିଲା ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।
ବିମୁଦ୍ରୀକରଣ ପଦକ୍ଷେପକୁ ଅନେକ ସମୟରେ ସମାଲୋଚନା କରିଥିବା ରାଜନ କହିଛନ୍ତି ଯେ, ବିମୁଦ୍ରୀକରଣ ଯୋଗୁ ଆମର ଅଭିବୃଦ୍ଧି ପ୍ରଭାବିତ ହୋଇଛି ବୋଲି ମୁଁ କହିପାରିବି। ମୁଁ ଏଭଳି କିଛି ଅଧ୍ୟୟନ ଦେଖିଛି ଯେଉଁଥିରେ ଏହା ସ୍ପଷ୍ଟ ହେଉଛି। ୨୦୧୭ରେ ବିଶ୍ବର ଅଭିବୃଦ୍ଧି ଆଗକୁ ବଢ଼ିଥିବା ବେଳେ ଆମ ଦେଶର ଅଭିବୃଦ୍ଧି ମନ୍ଥର ହୋଇଯାଇଥିଲା। କେବଳ ବିମୁଦ୍ରୀକରଣ ନୁହେଁ ଜିଏସ୍‌ଟି ଲାଗୁ କରିବାର ପ୍ରଭାବ ମଧ୍ୟ ଅର୍ଥନୀତି ଉପରେ ପଡ଼ିଥିଲା ବୋଲି ସେ କହିଛନ୍ତି। ୨୦୭-୧୮ରେ ଭାରତର ଅଭିବୃଦ୍ଧି ହାର ୬.୭% ସ୍ତରକୁ ଖସିଯାଇଥିଲା। ବଡ଼ ନୋଟ୍‌ଗୁଡ଼ିକୁ ଅଚଳ କରିବା ବିଷୟରେ ସରକାର ମୋର ମତାମତ ମାଗିଥିଲେ ବୋଲି ରାଜନ କହିଛନ୍ତି।
ଏହି ଅବସରରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ସେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ଯଦି ସରକାର ଅତ୍ୟଧିକ ପାଣ୍ଠି ନେଇଯିବେ ତେବେ ତାହା ରିଜର୍ଭ ବ୍ୟାଙ୍କର ରେଟିଂକୁ ପ୍ରଭାବିତ କରିବ। ଯଦି ରିଜର୍ଭ ବ୍ୟାଙ୍କ ରେଟିଂ ଖରାପ ହେବ ତେବେ ଏହା ହାସଲ କରୁଥିବା ଋଣ ମହଙ୍ଗା ହେବ, ଯାହାର ପ୍ରଭାବ ସମଗ୍ର ଅର୍ଥନୀତି ଉପରେ ପଡ଼ିବ ବୋଲି ରାଜନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ବିମୁ୍ଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ଦେଶରେ ପ୍ରଚଳିତ ଥିବା ୮୬% ନୋଟ୍ ଅଚଳ ହୋଇଯାଇଥିଲା। ଏହାର ପ୍ରଭାବରେ ଏଟିଏମ୍‌ଗୁଡ଼ିକ ଟଙ୍କା ଶୂନ୍ୟ ହୋଇପଡ଼ିଥିଲା। ବ୍ୟାଙ୍କ ଓ ଏଟିଏମ୍ ସାମ୍ନାରେ ଲୋକମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଫଳରେ ଅର୍ଥନୀତିରେ ଚାହିଦା କମିଯିବା ସହିତ ଅଭିବୃଦ୍ଧିର ଗତିି ଧିମା ହୋଇଯାଇଥିଲା। ଏଥିଯୋଗୁ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାରୁ ବାହାରିବାକୁ ଭାରତ ସଂଘର୍ଷ କରିଥିଲା।

ସମ୍ବନ୍ଧିତ ଖବର