ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ର ୧.୫ କୋଟି ସହାୟତା

ସାଇକଲ୍ ପିଓର୍‌ ଅଗରବତି ଦେଲା ୧.୮ କୋଟି, ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଦେଲା ୧.୫ କୋଟି

ଭୁବନେଶ୍ବର : ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ଗ୍ରୁପ୍ ପକ୍ଷରୁ କୋଭିଡ୍‌-୧୯ ବିରୋଧ ଲଢ଼େଇ ପାଇଁ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କୁ ୧.୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗ୍ରୁପ୍‌ର ୨୫୦୦ରୁ ଅଧିକ କର୍ମଚାରୀ ମଧ୍ୟ ଗୋଟିଏ ଦିନର ଦରମା ଦାନ କରିଛନ୍ତି। ଏ ସଂକ୍ରାନ୍ତରେ କଂପାନି ର ଅଧ୍ୟକ୍ଷ ଶଙ୍କର ସେନ କହିଛନ୍ତି ଯେ, କୋଭିଡ୍‌-୧୯ ବିରୋଧରେ ସାରା ବିଶ୍ବ ଏବେ ଲଢ଼େଇ କରୁଛି। ଭାରତ ସରକାରଙ୍କ ସହିତ ପଶ୍ଚିମ ବଙ୍ଗ ସରକାର ମଧ୍ୟ ଉଦାହରଣ ସୃଷ୍ଟି କରିବା ଭଳି କାର୍ଯ୍ୟ କରୁଛନ୍ତି। ଏହି ସ୍ଥିତି ବିରୋଧ ଲଢ଼େଇରେ ଆମେ ସରକାରଙ୍କ ସହିତ ଅଛୁ ବୋଲି ସେ କହିଛନ୍ତି। କଂପାନି ଏହାର ୧୦୦ରୁ ଅଧିକ ସୋ’ରୁମ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ବେତନ କାଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।

ସାଇକଲ୍ ପିଓର୍‌ ଅଗରବତି ଦେଲା ୧.୮ କୋଟି
ଭୁବନେଶ୍ବର : କରୋନା ବିରୋଧ ଲଢ଼େଇରେ ସରକାରଙ୍କୁ ସାହାଯ୍ୟ କରିବା ଲାଗି ସାଇକଲ୍‌ ପିଓର ଅଗରବତି ପକ୍ଷରୁ ପିଏମ୍ କେୟାରସ୍‌ ଫଣ୍ଡ୍‌କୁ ୧ କୋଟି ୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ମହୀଶୂରର ଏହି କଂପାନି କର୍ମଚାରୀଙ୍କୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ସହାୟତା ପ୍ରଦାନ କରୁଛି। ପ୍ରବାସୀ ଶ୍ରମିକ, କର୍ତ୍ତବ୍ୟ କରୁଥିବା ପୁଲିସ ଓ ବାସହୀନ ଲୋକମାନଙ୍କୁ ଭୋଜନ ପ୍ରଦାନ କରିବା ଲାଗି ମଧ୍ୟ କଂପାନି ପକ୍ଷରୁ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ୧ ଲକ୍ଷ ଟଙ୍କା ଦାନ କରାଯାଇଛି। ସ୍ବାସ୍ଥ୍ୟ କର୍ମୀ, ପୁଲିସ ଓ ନାଗରିକଙ୍କ ସୁରକ୍ଷା ଲାଗି ଏହା ୪୦୦ରୁ ଅଧିକ ଫେସ୍‌ ଫିଲ୍‌ଡ ପ୍ରଦାନ କରିଛି। କର୍ଣ୍ଣାଟକ ସରକାରଙ୍କୁ ଏହା ୫ ଭେଟିଂଲେଟର ପ୍ରଦାନ କରିଛି। କଂପାନିର ଏମ୍‌ଡି ଅର୍ଜୁନ ରଙ୍ଗା କହିଛନ୍ତି, ସାରା ଦେଶ ପାଇଁ ଏହା ଆହ୍ବାନପୂର୍ଣ୍ଣ ସମୟ ହୋଇଥିବାରୁ ଆମ ସମସ୍ତଙ୍କୁ ସରକାରଙ୍କ ସହିତ ଏହି ଲଢ଼େଇରେ ସାମିଲ ହେବାକୁ ପଡ଼ିବ। ସାରା ଦେଶର ଥିବା ଆମର କର୍ମଚାରୀମାନେ ମଧ୍ୟ କୋଭିଡ୍‌-୧୯ ରିଲିଫ୍‌ ଫଣ୍ଡ୍‌କୁ ସହାୟତା ପ୍ରଦାନ କରିଛନ୍ତି। ଏହି ଲକ୍‌ଡାଉନ୍ ସମୟକୁ କିଭଳି ଉତ୍ପାଦନକ୍ଷମ କରାଯାଇପାରିବ ସେ ଉପରେ ଗୁରୁତ୍ବ ଦେବାକୁ ଶ୍ରୀ ରଙ୍ଗା ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। କଂପାନି ଏହାର ସମସ୍ତ କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ପ୍ରଦାନ କରିଛି। ବ୍ୟବସାୟକୁ କିଭଳି ଜାରି ରଖାଯାଇପାରିବ ସେଥିପାଇଁ କର୍ମଚାରୀ ଓ ଭେଣ୍ଡର୍‌ମାନଙ୍କ ପାଇଁ କଂପାନି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି।

ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଦେଲା ୧.୫ କୋଟି
ଭୁବନେଶ୍ବର : କରୋନା ଭୂତାଣୁ ବିରୋଧ ଲଢ଼େଇ ପାଇଁ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ୧.୫ କୋଟି ଟଙ୍କାର ସହାୟତା ଦେଇଛି। ଉତ୍ତର ପ୍ରଦେଶର ବାରାଣାସୀରୁ ସୃଷ୍ଟି ହୋଇଥିବା ଏହି ବ୍ୟାଙ୍କ ପିଏମ୍-କେୟାରସ୍‌ ଫଣ୍ଡ୍‌କୁ ଏକ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ବ୍ୟାଙ୍କର ସିଏସ୍‌ଆର୍‌ ଶାଖା ଉତ୍କର୍ଷ ୱେଲ୍‌ଫେୟାର ଫାଉଣ୍ଡେସନ ପକ୍ଷରୁ ରେଡ୍‌ କ୍ରସ୍‌ ସୋସାଇଟି ସହଯୋଗରେ ସ୍ଥାନୀୟ ପ୍ରଶାସନକୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଏହି ଅବସରରେ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଗୋବିନ୍ଦ ସିଂହ କହିଛନ୍ତି ଯେ, ଏକ ଦାୟିତ୍ବବାନ କର୍ପୋରେଟ୍‌ ନାଗରିକ ଭାବେ ଆମେ ଭାବୁଛୁ ଯେ ଆମର ଏହି ସହାୟତା କରୋନା ବିରୋଧୀ ଲଢ଼େଇରେ ସରକାରଙ୍କ ଉଦ୍ୟମକୁ ବଳ ପ୍ରଦାନ କରିବ। କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ ଆମର କର୍ମଚାରୀମାନ‌େ ସାମାଜିକ ଦୂରତ୍ବ ନିୟମକୁ ପାଳନ କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର