ଭୁବନେଶ୍ବର: ବଜାର ଅଛି ଓ ଗ୍ରାହକ ଅଛନ୍ତି। କିନ୍ତୁ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପାଖରେ ଆବଶ୍ୟକ ପରିମାଣର ପାଣ୍ଠି ନାହିଁ। ଓଡ଼ିଶାରେ କାରବାର କରୁଥିବା ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପାଇଁ ଆସନ୍ତା ୩-୫ ବର୍ଷ ଭିତରେ ୧୦-୧୨ ହଜାର କୋଟି ଟଙ୍କାର ପାଣ୍ଠି ଆବଶ୍ୟକ ରହିଛି। ସେଥି ମଧ୍ୟରୁ ୫୦୦୦ କୋଟି ଟଙ୍କା ତତ୍କାଳ ଭିତ୍ତିରେ ଦରକାର ବୋଲି ଏକ ଅଗ୍ରଣୀ ମାଇକ୍ରୋଫାଇନାନ୍ସ ସଂସ୍ଥାର ନିର୍ଦେଶକ କହିଛନ୍ତି। ହୋଟେଲ୍ ମେ’ ଫେୟାର କନ୍ଭେନ୍ସନ୍ଠାରେ ‘ଓଡ଼ିଶା ଷ୍ଟେଟ୍ ଆସୋସିଏସନ୍ ଅଫ୍ ଫାଇନାନ୍ସିଆଲ୍ ଇନକ୍ଲୁଜନ ଇନଷ୍ଟିଚ୍ୟୁସନ୍’(ଓଏସ୍ଏଏଫ୍ଆଇଆଇ) ତରଫରୁ ଆୟୋଜନ କରାଯାଇଥିବା ଦ୍ବିତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କନ୍କ୍ଲେଭ୍ ଅବସରରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଲେ, ରାଜ୍ୟରେ ଥିବା ୩ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ୩୫ ଲକ୍ଷ ମହିଳା ସଦସ୍ୟଙ୍କୁ ୨୧ଟି ମାଇକ୍ରୋଫାଇନାନ୍ସ ସଂସ୍ଥା ୨୦୧୮ ସେପ୍ଟେମ୍ବର ଶେଷ ସୁଦ୍ଧା ୬୭୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଏକ କୋଟି ମହିଳାଙ୍କ ପାଖରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପହଞ୍ଚିବାକୁ ଚାହୁଁଛନ୍ତି। କନ୍କ୍ଲେଭ୍କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍ଘାଟନ କରିଛନ୍ତି। ନିର୍ବାଚନ ଶେଷ ହେବା ପରେ ଏସ୍ଏଚ୍ଜି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ଏହି କନ୍କ୍ଲେଭ୍ରେ ୪୦୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପ୍ରତିନିଧି ଭାଗ ନେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମଲ ମିଶନ ଶକ୍ତି, ଓଏଲ୍ଏମ୍, ସୁଡ଼ା,ଏସବିଆଇ, ୟେସ୍ ବ୍ୟାଙ୍କ ଓ ଡିସିବି ବ୍ୟାଙ୍କର ପ୍ରତିନିଧିମାନଙ୍କୁ ସମ୍ପର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଓଏସ୍ଏଏଫ୍ଆଇଆଇର ସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକ, ନାବାର୍ଡର ସିଜିଏମ୍ ମହେନ୍ଦ୍ର ସୋରେନ୍, ସିଡ୍ବିର ଜିଏମ୍ ଋଷି ଦ୍ବିବେଦୀ, ଷ୍ଟେଟ୍ ବ୍ୟାଙ୍କର ଜିଏମ୍ ଗୌତମ ଭଟ୍ଟାଚାର୍ଯ୍ୟ ଏବଂ ଓଏସ୍ଏଏଫ୍ଆଇଆଇର ସିଇଓ ନରେନ୍ଦ୍ର ନାୟକ ଓ ସମ୍ପାଦକ ଏମ୍ ଅମିନ୍ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp