ବିଶ୍ବର ଧନୀ ମନ୍ଦିରରେ ଅର୍ଥାଭାବ : ମାସକୁ ୨୦୦ କୋଟି ଥିଲା ଆୟ, ଏବେ ସମ୍ପୂର୍ଣ୍ଣ ଠପ୍

ତିରୁପତି: ତିରୁମାଳାରେ ଥିବା ଭଗବାନ ଭେଙ୍କଟେଶ୍ବର ମନ୍ଦିରର ପରିଚାଳନା କରୁଥିବା ବିଶ୍ବର ସବୁଠୁ ଧନୀ ମନ୍ଦିର ଟ୍ରଷ୍ଟ ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ପାଖରେ ଅର୍ଥାଭାବ ଦେଖାଦେଇଛି। ଲକ୍‌ଡାଉନ୍ ପ୍ରଭାବରେ ଏହା ୪୦୦ କୋଟି ଟଙ୍କାର ରାଜସ୍ବ ହରାଇଛି। ମନ୍ଦିର ପରିଚାଳନାରେ ନିୟୋଜିତ ଥିବା ‌ଲୋକମାନଙ୍କୁ ବେତନ ଦେବା ଲାଗି ଟ୍ରଷ୍ଟ୍‌ ପାଖରେ ଆବଶ୍ୟକ ପରିମାଣର ନଗଦ ରାଶି ନାହିଁ। ଏହା ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ମଧ୍ୟ ସଂଘର୍ଷ କରୁଛି।

ଲକ୍‌ଡାଉନ୍ ଅବଧିରେ ବେତନ, ପେନ୍‌ସନ୍ ଏବଂ ଅନ୍ୟାନ୍ୟ ସ୍ଥାୟୀ ଖର୍ଚ୍ଚ ଉପରେ ଟ୍ରଷ୍ଟ୍‌ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଦେଇଛି। ମନ୍ଦିର ଟ୍ରଷ୍ଟ୍‌ ପାଖରେ ୮ ଟନ୍‌ର ସୁନା ଏବଂ ୧୧ ହଜାର କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍‌ (ଏଫ୍‌ଡି) ରହିଛି। ଲକ୍‌ଡାଉନ୍ ପ୍ରଭାବରେ ଗତ ୫୦ ଦିନ ହେଲାଣି ମନ୍ଦିର ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିଛି। ଲୋକମାନଙ୍କ ପୂଜାପାଠ ପାଇଁ ମନ୍ଦିର ପୁଣି କେବେ ଖୋଲିବ ତାହାକୁ ନେଇ ସଠିକ୍ ଆକଳନ କରାଯାଇପାରୁନାହିଁ। ବିଭିନ୍ନ କ୍ଷେତ୍ରରେ ମନ୍ଦିର ଟ୍ରଷ୍ଟ୍‌ ବର୍ଷକୁ ପ୍ରାୟ ୨୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ ବୋଲି ଟ୍ରଷ୍ଟ୍‌ର ଅଧ୍ୟକ୍ଷ ୱାଇ ବି ସୁବ୍ବା ରେଡ୍ଡି କହିଛନ୍ତି। ସ୍ବାଭାବିକ ଦିନଗୁଡ଼ିକରେ ଟ୍ରଷ୍ଟ୍‌ର ମାସିକ ଆୟ ୨୦୦-୨୨୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଲକ୍‌ଡାଉନ୍ ଘୋଷଣା ହେବା ପରଠାରୁ ଏହି ଆୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ସ୍ବାଭାବିକ ଦିନଗୁଡ଼ିକରେ ଦୈନିକ ଏହି ମନ୍ଦିରରେ ୮୦ ହଜାରରୁ ଏକ ଲକ୍ଷ ଲୋକ ପ୍ରବେଶ କରିଥାନ୍ତି। ଉତ୍ସବ ସମୟରେ ଭକ୍ତ ସଂଖ୍ୟା ବଢ଼ିଯାଏ। ଯଦିଓ ଭକ୍ତମାନେ ମନ୍ଦିରରେ ପ୍ରବେଶ କରୁନାହାନ୍ତି କିନ୍ତୁ ଭଗବାନଙ୍କ ନିୟମିତ ପୂଜାବିଧି ଓ ଉତ୍ସବ ପୂଜାପାଠ ଯଥାରୀତିରେ ଜାରି ରହିଛି। ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଟ୍ରଷ୍ଟ୍‌ ୩୩୦୯.୮୯ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିଲା। କେବଳ ବେତନ ଏବଂ ଭତ୍ତା ବାବଦରେ ୧୩୮୫.୦୯ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ମାର୍ଚ୍ଚ୨୦ ପରେ କେବଳ ହୁଣ୍ଡିରୁ ହେଉଥିବା ଆୟ ୧୫୦-୧୭୫ କୋଟି ଟଙ୍କା ହ୍ରାସ ପାଇଲାଣି। ଦର୍ଶନ ଟିକଟ ଓ ପ୍ରସାଦ ବିକ୍ରିରୁ ହେଉଥିବା ଆୟ ମଧ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର