ଦେଶର ସଞ୍ଚୟ ହାର କମିଲା, ୧୫ ବର୍ଷରେ ସବୁଠୁ କମ୍

ମୁମ୍ବାଇ : ଭାରତୀୟ ଅର୍ଥନୀତି ଲାଗି ଅଲଗା ପ୍ରକାର ସମସ୍ୟା ଦେଖାଦେଇଛି। ସଞ୍ଚୟ କରିବା‌ରେ ଅଭ୍ୟସ୍ତ ଭାରତୀୟଙ୍କ ସଞ୍ଚୟ ରାଶି କମିବାରେ ଲାଗିଛି। ଦେଶର ସଞ୍ଚୟ ହାର ବିଗତ ୧୫ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି।ଘରେ ‌ଲୋକମାନେ କରୁଥିବା ସଞ୍ଚୟ ମଧ୍ୟ କମ୍ ହେବାରେ ଲାଗିଛି। ଲୋକମାନେ ସେହି ଟଙ୍କାକୁ ଡ୍ୟୁରେବଲ୍ ସାମଗ୍ରୀ କିଣିବା ଏବଂ ଯାତାୟାତରେ ବ୍ୟବହାର କରୁଛନ୍ତି। ଦେଶର ମୋଟ ସଞ୍ଚୟ ପ୍ରତି ଲୋକମାନଙ୍କ ଘରେ ଥିବା ସଞ୍ଚୟ ରାଶିର ଅବଦାନ ପ୍ରାୟ ୬୦ ପ୍ରତିଶତ। ଅର୍ଥାତ ଅଧାରୁ ଅଧିକ ସଞ୍ଚୟ ରାଶି ଲୋକମାନେ ଘରେ ରଖିଛନ୍ତି। ଏ ଦୃଷ୍ଟିରୁ ବ୍ରାଜିଲ୍ ଭଳି ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ଅଛି।

କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଭାରତର ମୋଟ ସଞ୍ଚୟ ହାର ୨୦୧୮-୧୯ ଆର୍ଥିକ ବର୍ଷରେ ୩୦.୧ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୨ରେ ତାହା ୩୪.୬ ପ୍ରତିଶତ ଥିଲା। ଶେଷ ଥର ଲାଗି ୨୦୦୩-୦୪ରେ ଦେଶର ସଞ୍ଚୟ ହାର ୨୩% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ଏବେବି ବ୍ରିକ୍ସ ରାଷ୍ଟ୍ର ସମୂହଗୁଡ଼ିକ ମଧ୍ୟରେ ଭାରତର ସଞ୍ଚୟ ହାର ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି। ଜିଡିପିକୁ ଭାରତର ସଞ୍ଚୟ ହାର ୧୮% ଥିବା ବେଳେ ବ୍ରାଜିଲ୍‌ରେ ତାହା ୧୬%, ମେକ୍ସିକୋରେ ୨୩%, ଫିଲିପାଇନ୍ସରେ ୧୪.୨% ରହିଛି। ଚୀନ୍‌ର ସଞ୍ଚୟ ହାର ୪୬% ଭଳି ଉଚ୍ଚ ସ୍ତରରେ ରହିଛି। ଏ କ୍ଷେତ୍ରରେ ଚୀନ୍‌ ଠାରୁ ଭାରତ ବହୁ ପଛରେ ରହିଛି। ପାଞ୍ଚ ଲକ୍ଷ କୋଟି ଡଲାରର ଅର୍ଥନୀତି ହେବାକୁ ହେଲେ ଭାରତକୁ ଏଥିରେ ଉନ୍ନତି ଆଣିବାକୁ ପଡ଼ିବ।

ସମ୍ବନ୍ଧିତ ଖବର