ମୁଡିସ୍‌ର ଆକଳନ: ୨୦୨୦ରେ ଭାରତର ଅଭିବୃଦ୍ଧି ୫.୪%କୁ କମିବ

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ୨୦୨୦ରେ ବି କମିବ। ରେଟିଂ ସଂସ୍ଥା ମୁଡିସ୍ ପକ୍ଷରୁ ଏଭଳି ଆକଳନ କରାଯାଇଛି। ୨୦୨୦ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ କମିଯିବ ବୋଲି ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ ସୋମବାର ଦର୍ଶାଇଛି। ପୂର୍ବରୁ ଏହି ସଂସ୍ଥା ଭାରତର ଜିଡିପି ଅଭିବୃଦ୍ଧି ୨୦୨୦ରେ ୬.୬ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା। ତେବେ ଅର୍ଥନୈତିକ ସୁଧାର ଆଶାନୁରୁପ ହେଉ ନଥିବାରୁ ଜିଡିପି ଆକଳନକୁ ଏହି ସଂସ୍ଥା ଖସାଇ ଦେଇଛି। କେବଳ ୨୦୨୦ ନୁହେଁ ୨୦୨୧ରେ ମଧ୍ୟ ଦେଶର ଜିଡିପି ଅଭିବୃଦ୍ଧି ୫.୮ ପ୍ରତିଶତକୁ କମିଯିବ ବୋଲି ଆଜିର ନୂଆ ଆକଳନରେ କୁହାଯାଇଛି। ପୂର୍ବରୁ ଏହି ସଂସ୍ଥା ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା। ଅର୍ଥନୀତିରେ ମାନ୍ଦାବସ୍ଥା ପ୍ରାୟତଃ ଯେତିକି ଖସିବା କଥା ଖସିଯାଇଥିଲେ ମଧ୍ୟ ସୁଧାର ଶୀଘ୍ର ଆସିବ ବୋଲି କୁହାଯାଇ ପାରିବ ନାହିଁ। ଋଣ ଅଭିବୃଦ୍ଧି ମନ୍ଥର ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି।

କେବଳ ଭାରତ ନୁହେଁ, ଜି-୨୦ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୨୦୨୦ରେ ୨.୪ ପ୍ରତିଶତ ରହିବ ଏବଂ ୨୦୨୧ରେ ଏହା ୨.୮ ପ୍ରତିଶତକୁ ବୃଦ୍ଧି ପାଇବ। ଚୀନର ଅଭିବୃଦ୍ଧି ବି କମିବ ବୋଲି ଏହି ସଂସ୍ଥା ଆକଳନ କରିଛି। ୨୦୨୦ରେ ଚୀନର ଅଭିବୃଦ୍ଧି ୫.୨ ପ୍ରତିଶତ ଏବଂ ୨୦୨୧ରେ ୫.୭ ପ୍ରତିଶତ ରହିବ ବୋଲି ଆକଳନ‌ କରାଯାଇଛି।

ସମ୍ବନ୍ଧିତ ଖବର