ମୁଡିସର ଆକଳନ : କରୋନା ମହାମାରୀ ଯୋଗୁଁ ଦୁର୍ବଳ ହୋଇଛି ଭାରତୀୟ ଅର୍ଥନୀତି, ଅଭିବୃଦ୍ଧି ୧୧.୫ % କମିବ

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଭାରତୀୟ ଅର୍ଥନୀତି ଉପରେ ଏକ ଗଭୀର କ୍ଷତ ସୃଷ୍ଟି କରିଛି । ଏହା ଫଳରେ ଭାରତୀୟ ଅର୍ଥନୀତି ନିଜ ଇତିହାସର ଏକ ସବୁଠାରୁ ବଡ଼ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଛି । ବିଭିନ୍ନ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ଏଜେନ୍ସିଂ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ନକାରାତ୍ମକ ସ୍ତରକୁ ଖସିଯିବା ଅଟକଳ କରିଛନ୍ତି ।

ଆଜି ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ଏଜେନ୍ସି ମୁଡିସ ପୂର୍ବାନୁମାନ କରିଛି ଯେ ୨୦୨୦-୨୧ରେ ଭାରତୀୟ ଅର୍ଥନୀତି ୧୧.୫ ପ୍ରତିଶତ ହ୍ରାସ ପାଇବ । ମୁଡିସ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଅର୍ଥନୀତି ଉପରେ କରୋନାର ପ୍ରଭାବକୁ ହ୍ରାସ କରିବାକୁ ଭାରତ ସରକାରଙ୍କ ପଦକ୍ଷେପ ପ୍ରଭାବି ହୋଇପାରିନାହିଁ । ଏହା ଫଳରେ ଭାରତୀୟ ଅର୍ଥ ବ୍ୟବସ୍ଥା ଦୂର୍ବଳ ହୋଇଛି । ତେବେ ମୁଡିସ ପୂର୍ବାନୁମାନ କରିଛି ଯେ ୨୦୨୧-୨୨ରେ ଅଭିବୃଦ୍ଧି ପୁଣି ଫେରିବ ଓ ଭାରତ ୧୦.୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ।

ଚଳିତ ସପ୍ତାହ ଆରମ୍ଭରେ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ସଂସ୍ଥା ଫିଚ ପକ୍ଷରୁ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ପ୍ରେକ୍ଷାପଟ୍ଟ ରିପୋର୍ଟରେ କୁହାଯାଇଥିଲା ଯେ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧୦.୫ ପ୍ରତିଶତ ହ୍ରାସ ପାଇବ । କେବଳ ଏତିକି ନୁହେଁ, କରୋନା ପ୍ରଭାବରେ ସାରା ବିଶ୍ୱର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଫଳରେ ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୪.୪ ପ୍ରତିଶତ କମିବ । କିନ୍ତୁ ସମଗ୍ର ବିଶ୍ୱକୁ କରୋନା ଦେଇଥିବା ଚୀନର ଅର୍ଥନୀତି ୨.୭ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ । ଅନ୍ୟପକ୍ଷରେ ଗୋଲଡ ମ୍ୟାନ ସ୍ୟାକ୍ସର ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧୪.୫ ପ୍ରତିଶତ କମିବ ।

ସମ୍ବନ୍ଧିତ ଖବର