ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୪ ପ୍ରତିଶତ ହେବ ବୋଲି ଅର୍ଥନୈତିକ ଅନୂୁଧ୍ୟାନକାରୀ ସଂସ୍ଥା ‘ମୁଡିସ୍‌’ ଆକଳନ କରିଛି। ଏହି ସମୟରେ ଭାରତ ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଅଗ୍ରଣୀ ସ୍ଥାନରେ ରହିବ ବୋଲି ମୁଡିସ୍‌ ଏହାର ରିପୋର୍ଟରେ ଦର୍ଶାଇଛି।

Advertisment

ଦେଶ ଭିତରେ ବଜାରରେ ଚାହିଦା ବୃଦ୍ଧି ସହ ନିକଟରେ ନିଆଯାଇଥିବା କିଛି ଅର୍ଥନୈତିକ ପଦକ୍ଷେପ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସ୍ଥିରତା ଯୋଗୁ ଭାରତର ଅଭିବୃଦ୍ଧି ହାର ଉଚ୍ଚ ରହିବ ବୋଲି ଆକଳନ କରାଯାଇଛି। ବିଶେଷକରି ଲଘୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗରେ ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରିବ। ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ନିଆଯାଇଥିବା କିଛି ପଦକ୍ଷେପ ଓ ଆୟକର କ୍ଷେତ୍ରରେ କିଛି ପଦକ୍ଷେପ ଦେଶରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରି ପାରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: T20 World Cup: ଇଟାଲିର ପଦାର୍ପଣକୁ ଫିକା କଲା ସ୍କଟ୍‌ଲାଣ୍ଡ୍‌

ତେବେ ନିକଟରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଅଭିବୃଦ୍ଧି ପାଇଁ ସରକାରୀ ଆକଳନ ତୁଳନାରେ ମୁଡିସ୍‌ର ଆକଳନ କମ୍‌ ରହିଛି। ୨୦୨୬-୨୭ରେ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ହାର ୬.୮ରୁ ୭.୨ ପ୍ରତିଶତ ମଧ୍ୟରେ ରହିବ ବୋଲି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ଥିଲା ୬.୫ ପ୍ରତିଶତ। ମୁଡିସ୍‌ ଏହାର ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଇଛି ଯେ ଏବେ ଭାରତରେ ମୁଦ୍ରାସ୍ଫୀତି ହାର ନିମ୍ନ ସ୍ତରରେ ଥାଇ ଅଭିବୃଦ୍ଧି ତ୍ବରାନ୍ବିତ ହେଉଛି। ନିକଟରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ତେବେ ଆଗକୁ ଯଦି ମାନ୍ଦାବସ୍ଥାର କିଛି ସଂକେତ ମିଳେ ତେବେ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିକୁ କୋହଳ କରିବ ବୋଲି ମୁଡିସ୍‌ ଏହାର ସଦ୍ୟତମ ରିପୋର୍ଟରେ ଉଳ୍ଲେଖ କରିଛି।