ମୁଡିସ୍‌ର‌ ଶକ୍ତ ଝଟ୍‌କା, ଭାରତର ରେଟିଂ ହ୍ରାସ

ନୂଆଦିଲ୍ଲୀ: କରୋନା ସଙ୍କଟ ଦ୍ବାରା ଗୁରୁତର ପ୍ରଭାବିତ ହୋଇଥିବା ଭାରତୀୟ ଅର୍ଥନୀତିକୁ ରେଟିଂ ଏଜେନ୍ସି ମୁଡିସ୍‌ ଶକ୍ତ ଝଟ୍‌କା ଦେଇଛି। ଏହି ବିଶ୍ବ ସ୍ତରୀୟ ଏଜେନ୍ସି ଦେଶର ରେଟିଂକୁ ‘ବିଏଏ୩’କୁ ହ୍ରାସ କରିଛି। ଏହା ମଧ୍ୟ ଜଣାଇଛି ଯେ ଭବିଷ୍ୟତର ଆକଳନ ଋଣାତ୍ମକ ରହିବ। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏହା ଭାରତର ରେଟିଂ ହ୍ରାସ କରିଛି। ମୁଡିସ୍‌ ଜଣାଇଛି ଯେ ଭାରତୀୟ ଅର୍ଥନୀତି କ୍ଷମତା ଅନୁସାରେ ପ୍ରଦର୍ଶନ କରୁନାହିଁ। ଦୀର୍ଘଦିନ ଧରି ଅଭିବୃଦ୍ଧି କମ୍ ରହିଛି। ଋଣ ବୋଝ ବଢ଼ିବାରେ ଲାଗିଛି। ଫଳରେ ସୁଲଭ ମୂଲ୍ୟରେ ମିଳୁଥିବା ଋଣ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶର ଆର୍ଥିକ ବ୍ୟବସ୍ଥା ଉପରୁ ଚାପ ହଟୁନାହିଁ। ନୀତି ନିର୍ଧାରଣ କରୁଥିବା ସଂସ୍ଥାଗୁଡ଼ିକ ସାମ୍ନାରେ ଏହି ସବୁ ଆହ୍ବାନ ରହିଛି।

ଏଗୁଡ଼ିକର ସମାଧାନ ହେବା ଜରୁରୀ। ୨୦୧୭ରେ ଏହି ସଂସ୍ଥା ଭାରତର ରେଟିଂରେ ଉନ୍ନତି ଆଣିଥିଲା। ଏହା ଭାବୁଥିଲା ଯେ ସରକାର ଯେଉଁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଅର୍ଥନୀତିରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ସଂସ୍ଥାଗତ ଓ ଆର୍ଥିକ ସ୍ଥିତିକ ସୁଦୃଢ଼ କରିବ। ସେହିଦିନ ଠାରୁ କିନ୍ତୁ ସଂସ୍କାରମୂଳକ ପଦକ୍ଷେପର କାର୍ଯ୍ୟକାରିତା ଅପେକ୍ଷାକୃତ ଦୁର୍ବଳ ରହିଛି ଏବଂ ଯେଉଁଭଳି ଫଳାଫଳ ଆଶା କରାଯାଉଥିଲା ତାହା ଦେଇପାରୁନାହିଁ। ତେଣୁ ଯେଉଁ ନୀତି ପ୍ରଚଳନ କରାଯାଇଥିବା ତାହା ପ୍ରଭାବହୀନ ମନେ ହେଉଛି ବୋଲି ମୁଡିସ୍‌ ଇନଭେଷ୍ଟର ସର୍ଭିସେସ୍‌ ଜଣାଇଛି। ରେଟିଂ ହ୍ରାସ କରାଯିବାର ଅର୍ଥ ଏହାର ପ୍ରଭାବ ସିଧାସଳଖ ପୁଞ୍ଜିନିବେଶ ଉପରେ ପଡ଼ିବ। ନିବେଶକମାନେ ପୁଞ୍ଜିନିବେଶ କରିବା ପୂର୍ବରୁ କ୍ରେଡିଟ୍ ରେଟିଂକୁ ବିଚାରକୁ ନେଇଥାନ୍ତି। ଯେଉଁ ଦେଶର ରେଟିଂ ଯେତେବେଳେ ସେଠାରେ ପୁଞ୍ଜିନିବେଶ ସେତେ ସୁରକ୍ଷିତ ଏବଂ ଅଧିକ ରିଟର୍ଣ୍ଣ ଦେବାର ସମ୍ଭାବନା ଥାଏ ବୋଲି ନିବେଶକମାନେ ଭାବନ୍ତି।

ସମ୍ବନ୍ଧିତ ଖବର