ସୁପ୍ରିମକୋର୍ଟରେ ମୋରା‌ଟୋରିଅମ୍ ମାମଲା

ନୂଆଦିଲ୍ଲୀ: ଲକ୍‌ଡାଉନ୍ ସମୟରେ ଋଣ ଉପରେ ଗ୍ରାହକଙ୍କ ପାଇଁ ଯେଉଁ ମୋ‌ରାଟୋରିଅମ୍ ସୁବିଧା ଘୋଷଣା କରାଯାଇଛି ସେହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ମୋରାଟୋରିଅମ୍ ଅବଧିରେ ସୁଧ ଲାଗୁ କରାଯାଉଥିବାରୁ ତାହାକୁ ବିରୋଧ କରି ଏହି ମାମଲା ରୁଜୁ ହୋଇଛି। ଏହାକୁ ବିଚାରକୁ ନେଇ କେନ୍ଦ୍ର ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଆଜି ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଜଷ୍ଟିସ୍‌ ଅଶୋକ ଭୂଷଣ ଏହି ମାମଲାର ଶୁଣାଣି କରି କେନ୍ଦ୍ର ଓ ରିଜର୍ଭ ବ୍ୟାଙ୍କକୁ ନୋଟିସ୍‌ ଜାରି କରିବା ସହ ସପ୍ତାହକ ଭିତରେ ଉତ୍ତର ରଖିବାକୁ କହିଛନ୍ତି। ମାମଲା ରୁଜୁ କରିଥିବା ପକ୍ଷ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କୋର୍ଟଙ୍କୁ ଜଣାଇଛନ୍ତି ଯେ, ମୋରାଟୋରିଅମ୍ ଅବଧି ସମୟରେ ଋଣ ରାଶି ସହିତ ସୁଧ ଯୋଡ଼ିବାର ନଥିଲା। ଏହା ଗ୍ରାହକଙ୍କୁ ଦଣ୍ଡ ଦେବା ଭଳି ବ୍ୟବସ୍ଥା। ପ୍ରଥମେ ତିନି ମାସ ପାଇଁ ମୋରାଟୋରିଅମ୍ ସୁବିଧା ଦିଆଗଲା।

ଏବେ ତାହାକୁ ଆଉ ତିନି ମାସ ବୃଦ୍ଧି କରାଯାଇଛି। ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ। ଗତ ମାର୍ଚ୍ଚ ୨୭ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମୋରାଟୋରିଅମ୍ ବି‌ଷୟରେ ଘୋଷଣା କରାଯାଇଛି। ଋଣ ନେଇଥିବା ଗ୍ରାହକମାନଙ୍କୁ ତିନି ମାସର ମୋ‌ରାଟୋରିଅମ୍ ମହଲତ ଦିଆଯାଇଥିଲା। କିନ୍ତୁ ଏହା ସ୍ପଷ୍ଟ କରିଦିଆଯାଇଥିଲା ଯେ ଗ୍ରାହକମାନେ ମୋରାଟୋରିଅମ୍ ଅବଧିରେ କେବଳ ଋଣ ପରିଶୋଧ କରିବେ ନାହିଁ। କିନ୍ତୁ ମହଲତ ଶେଷ ହେବା ପରେ ପୂର୍ବଭଳି ଋଣ ପରିଶୋଧ କରିବେ। ଏହା ବ୍ୟତୀତ ଯେଉଁ ମାସଗୁଡ଼ିକ ଲାଗି ମୋରାଟୋରିଅମ୍‌ର ସୁବିଧା ନିଆଯାଇଥିବ ତାହା ଉପରେ ଗ୍ରାହକଙ୍କୁ ସୁଧ ଗଣିବାକୁ ପଡ଼ିବ। ଏହା ପରେ କ୍ରେଡିଟ୍ କାର୍ଡ ବକେୟା ପାଇଁ ମଧ୍ୟ ମୋ‌ରାଟୋରିଅମ୍ ସୁବିଧା ଲାଗୁ କରାଯାଇଛି। ସପ୍ତାହକ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପୁଣି ଥରେ ମୋରାଟୋରିଅମ୍ ଅବଧିକୁ ଆଉ ତିନି ମାସ ବଢ଼ାଇଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପ୍ରଭାବରେ ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ସଂଖ୍ୟା ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର