ମୋରାଟୋରିଅମ୍ ପ୍ରସଙ୍ଗ : ସୁଧ ଛାଡ଼ କରିବାକୁ କେନ୍ଦ୍ର ନାରାଜ

ଋଣ ଶୁଝିଥିବା ଗ୍ରାହକଙ୍କ ପ୍ରତି ଅନ୍ୟାୟ ହେବ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ‌ମୋରାଟୋରିଅମ୍ ଅବଧିର ସୁଧକୁ ସମ୍ପୂର୍ଣ୍ଣ ଛାଡ଼ କରିହେବ ନାହିଁ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି। କୋର୍ଟଙ୍କୁ କେନ୍ଦ୍ର କହିଛି ଯେ କରୋନା ମହାମାରୀ ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧି ୨୩ ପ୍ରତିଶତ ହ୍ରାସ ପାଇଛି। ଋଣ ନେଇଥିବା ଗ୍ରାହକଙ୍କ କଷ୍ଟ ଦୂର କରିବା ଲାଗି ମୋରାଟୋରିଅମ୍‌ର ଯେଉଁ ସୁବିଧା ଦିଆଯାଇଥିଲା ସେହି ସମୟର ସୁଧକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇପାରିବ ନାହିଁ। ମାତ୍ର ଦୀର୍ଘମିଆଦୀ ଭିତ୍ତିରେ ଋଣଗୁଡ଼ିକର ପୁନର୍ଗଠନ କରାଯାଇପାରିବ ବୋଲି କେନ୍ଦ୍ର କହିଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଯେଉଁ ଅନିଶ୍ଚିତତା ରହିଛି ତାହା ଆଉ କେତେ ଦିନ ପର୍ଯ୍ୟନ୍ତ ରହିବ ତାହାର ଅନୁମାନ ଲଗାଇ ହେଉନାହିଁ। ସମସ୍ତଙ୍କୁ ସୁହାଇବା ଭଳି କିଛି ସମାଧାନ ଦିଆଯିବା ସମ୍ଭବ ନୁହେଁ। ଉପଲବ୍ଧ ସମ୍ବଳ ଓ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ସ୍ଥିରତା ସହିତ କୌଣସି ପ୍ରକାର ସାଲିସ ନକରି କିଛିଟା ଆଶ୍ବସ୍ତି ଦିଆଯାଇପାରିବ। ‌ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ଛଅ ମାସ ପାଇଁ ମୋରାଟୋରିଅମ୍ ଘୋଷଣା କରାଯାଇଛି। ଏହି ସମୟର କିଛି ନିର୍ଦିଷ୍ଟ ବର୍ଗର ଗ୍ରାହକ ମୋରାଟୋରିଅମ୍ ସୁବିଧା ନେଇଥିବା ବେଳେ ଅନେକ ଗ୍ରାହକ ନିଜ କ୍ଷମତା ଅନୁସାରେ ଋଣ ପରିଶୋଧ କରିଛନ୍ତି। ଯଦି ମୋରାଟୋରିଅମ୍‌ ସମୟର ସୁଧ ଛାଡ଼ କରାଯିବ ତେବେ ଯେଉଁମାନେ ଋଣ ପରିଶୋଧ କରିଛନ୍ତି ସେମାନଙ୍କ ପ୍ରତି ଅନ୍ୟାୟ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କୋଭିଡ୍‌-୧୯ ମହମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଗ୍ରାହକ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ସର୍କୁଲାର ଜାରି କରିଛି ସେହି ଆଧାରରେ ସେମାନେ ସୁଧ ଛାଡ଼ କିମ୍ବା ଋଣ ପୁନର୍ଗଠନ ଲାଗି ଅ‌ାବେଦନ କରିପାରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୋରୋଟେରିଅମ୍ ଏଭଳି ଏକ ବ୍ୟବସ୍ଥା ଯାହାର ଅବଧି ନିଶ୍ଚିତ ଦିନେ ଶେଷ ହେବ। ତେଣୁ ବର୍ତମାନ ପରିସ୍ଥିତି ଗ୍ରାହକଙ୍କୁ ଦୀର୍ଘମିଆଦୀ ସମାଧାନ ଦେବା ଲାଗି ଉଦ୍ୟମ କରାଯିବା ଦରକାର ବୋଲି ‌ମନ୍ତ୍ରଣାଳୟ କହିଛି। ‌ମୋରାଟୋରିଅମ୍‌ର ଅବଧି ନବଢ଼ାଇ ରିଜର୍ଭ ବ୍ୟାଙ୍କ ଫ୍ରେମ୍‌ୱର୍କ ଅନୁସାରେ ଚାପରେ ଥିବା ଗ୍ରାହକଙ୍କ ଋଣ ପୁନର୍ଗଠନ କରିବା ଅଧିକ ଭଲ ହେବ ବୋଲି ସରକାର କୋର୍ଟଙ୍କୁ ଜଣାଇଛନ୍ତି। ଏନେଇ ସଲିସିଟର ଜେନେରାଲ୍ ତୁଷାର ମେହତା କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ମୋରାଟୋରିଅମ୍ ଅବଧି ପାଇଁ ସୁଧ ଛାଡ଼ କରିବା ଦାବିକୁ ରିଜର୍ଭ ବ୍ୟାଙ୍କ ବିରୋଧ କରୁଛି। ଏହା ବ୍ୟାଙ୍କଗୁଡ଼ିକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ରିଜର୍ଭ ବ୍ୟାଙ୍କ ଭାବୁଛି। ସରକାର ମଧ୍ୟ ସୁଧ ଛାଡ଼ କରିବା ସପକ୍ଷରେ ନାହାନ୍ତି।

ସମ୍ବନ୍ଧିତ ଖବର