ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୭ ବର୍ଷର ଅବଧିରେ ବିଭିନ୍ନ ବିଭାଗରେ ୬.୯୮ ଲକ୍ଷ ନିଯୁକ୍ତି ମିଳିଛି। କିନ୍ତୁ ଉପା ସରକାରଙ୍କ ୭ ବର୍ଷ ଅମଳରେ ଉକ୍ତ ନିଯୁକ୍ତି ସଂଖ୍ୟା ୬.୧୯ ଲକ୍ଷ ଥିଲା। ଗୁରୁବାର ସଂସଦରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ତେବେ ଚିନ୍ତାର ବିଷୟ ହେଲା କେନ୍ଦ୍ର ସରକାରଙ୍କ ଅଧୀନରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୪୦ ଲକ୍ଷ ୪ ହଜାର ୯୪୧ଟି ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରୁ ୮ ଲକ୍ଷ ୭୨ ହଜାର ୨୪୩ଟି ପଦବି ଫାଙ୍କା ପଡ଼ିଛି। କର୍ମଚାରୀଙ୍କ ଅବସର, ଇସ୍ତଫା, ମୃତ୍ୟୁ ଏବଂ ପଦୋନ୍ନତି ଆଦି କାରଣରୁ ବିଭିନ୍ନ ପଦବି ଖାଲି ପଡ଼ିଛି।
ଉପା ସରକାରଙ୍କ ଅମଳରେ ୨୦୦୭-୦୮ରୁ ୨୦୧୩-୧୪ ମଧ୍ୟରେ ୩ଟି ପ୍ରମୁଖ ନିଯୁକ୍ତି ପ୍ରଦାନକାରୀ ଏଜେନ୍ସି ଯଥା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି), ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ କମର୍ଚାରୀ ଚୟନ ଆୟୋଗ (ଏସ୍ଏସ୍ସି) ଦ୍ବାରା ମୋଟ ୬ ଲକ୍ଷ ୧୯ ହଜାର ୨୭ଟି ପଦବି ପୂରଣ କରାଯାଇଥିଲା। କିନ୍ତୁ ମୋଦୀ ସରକାରଙ୍କ ୭ ବର୍ଷର ଅବଧିରେ ନିଯୁକ୍ତି ସଂଖ୍ୟା ୬ ଲକ୍ଷ ୯୮ ହଜାର ୧୧କୁ ବୃଦ୍ଧି ପାଇଛି। ଗତ ୫ଟି ଆର୍ଥିକ ବର୍ଷରେ ଉପରୋକ୍ତ ତିନିଟି ଯାକ ନିଯୁକ୍ତି ଏଜେନ୍ସି ମାଧ୍ୟମରେ ମୋଟ ୪ ଲକ୍ଷ ୪୪ ହଜାର ୮୧୩ଟି ପଦବି ପୂରଣ ହୋଇଛି। ମୋଦୀଙ୍କ ନେତୃତ୍ବରେ ଏନଡିଏ ସରକାର ୨୦୧୪ ମେ ମାସରେ କ୍ଷମତାକୁ ଆସିଥିଲା।