ଚିନ୍ତାରେ କମ୍ପାନି: ବିଏସ୍‌-୪ ବାଇକ୍, ସ୍କୁଟରରେ ବିପୁଳ ରିହାତି

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା‌ ଅଭାବନୀୟ ସ୍ଥିତି କାରଣରୁ ଗାଡ଼ି ସୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ କମିଯାଇଛି। ଏଭଳି ପରିସ୍ଥିତିରେ ବିଏସ୍‌-୪ ଗାଡ଼ିଗୁଡ଼ିକର ଷ୍ଟକ୍ କିଭଳି ଶେଷ କରାଯିବ ତାହାକୁ ନେଇ କଂପାନିଗୁଡ଼ିକ ଚିନ୍ତାରେ ପଡ଼ିଯାଇଛନ୍ତି। ଗ୍ରାହକଙ୍କୁ ସୋ’ରୁମ୍ ପର୍ଯ୍ୟନ୍ତ ଟାଣିବା ଲାଗି ଦୁଇ ଚକିଆ ଗାଡ଼ି ନିର୍ମାଣ କରୁଥିବା କଂପାନିଗୁଡ଼ିକ ମୋଟା ଅଙ୍କର ରିହାତି ପ୍ରଦାନ କରୁଛନ୍ତି।

ହି‌ରୋ ମୋଟୋକର୍ପ ପକ୍ଷରୁ ବିଭିନ୍ନ ମଡେଲ୍‌ର ବାଇକ୍‌ ଓ ସ୍କୁଟର ଉପରେ ୫୦୦୦ ଟଙ୍କାରୁ ଆରମ୍ଭ କରି ୧୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ସେହିପରି ବଜାଜ ଅଟୋ ତରଫରୁ ବିଏସ୍‌-୪ ମୋଟରସାଇକଲ୍‌ ଉପରେ ୫୦୦୦ ଟଙ୍କାର ନଗଦ ରାଶି ରିହାତି ଦିଆଯାଉଛି। ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଗ୍ରାହକଙ୍କୁ ୨୩ ହଜାର ଟଙ୍କାର ସଞ୍ଚୟ ପ୍ରତିଶ୍ରୁତି ଦେଇଛି। କରୋନା ପ୍ରଭାବରେ ଦେଶର ବିଭିନ୍ନ ସହରରେ ୧୪୪ ଧାରା ଲାଗୁ କରାଯାଇଥିବାରୁ ସୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଅତ୍ୟଧିକ ହ୍ରାସ ପାଇଛି। ତାହାକୁ ନେଇ ଅଟୋମୋବାଇଲ୍ ଡିଲର ସଂଘର ମହାସଂଘ (ଫାଡା) ଗଭୀର ଚିନ୍ତା ପ୍ରକଟ କରିଛି। ବିଏସ୍‌-୬ ନିୟମ ଏପ୍ରିଲ୍‌ରୁ ଲାଗୁ ହେବାକୁ ଯାଉଥିବା ବେଳେ ଦୁଇଚକିଆ ଗାଡ଼ି କଂପାନିଗୁଡ଼ିକ ପାଖରେ ଏବେବି ପ୍ରାୟ ୭ ଲକ୍ଷ ବିଏସ୍‌-୪ ଗାଡ଼ି ଷ୍ଟକ୍ ରହିଛି। ଦୁଇ ସପ୍ତାହରୁ କମ୍ ସମୟ ଭିତରେ ଏତେ ଗାଡ଼ି ବିକ୍ରି କରିବା କଂପାନିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ବିଏସ୍‌-୬ ନିୟମ ଲାଗୁ କରିବାର ସମୟ ସୀମା ବଢ଼ାଇବା ଦାବି କରି ଅଟୋମୋବାଇଲ୍ ଡିଲର୍‌ଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର