ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନଗଦ ସ୍ଥିତିର ସମୀକ୍ଷା କରାଯିବ। ବଜାରରେ କେତେ ପରିମାଣର ନଗଦ ଟଙ୍କା ରହିଛି? ଆଉ ଅଧିକ ନଗଦ ଟଙ୍କା ଦରକାର ନା ନାହିଁ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ରିଜର୍ଭ ବ୍ୟାଙ୍କ ପ୍ରୟାସ କରିବ। ଆସନ୍ତା ଜୁନ୍ରେ ରିଜର୍ଭ ବ୍ୟାଙ୍କ ନଗଦ ସ୍ଥିତିର ସମୀକ୍ଷା କରିବା ଉପରେ ବିଚାର କରୁଥିବା ଜଣାପଡ଼ିଛି।
ବଜାରରେ ବିପୁଳ ପରିମାଣର ନଗଦ ଟଙ୍କା ପ୍ରବେଶ କରାଇବାକୁ ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ବାସ୍ତବରେ କେତେ ଅଧିକ ନଗଦ ରାଶିର ଆବଶ୍ୟକତା ରହିଛି ତାହା ପ୍ରଥମେ ଜାଣିବାକୁ ପ୍ରୟାସ କରାଯିବ। ଏହା ପରେ ବଜାରରେ ନୂତନ ନଗଦ ରାଶି ପ୍ରବେଶ କରାଯିବ। ମାନ୍ଦା ହୋଇଯାଇଥିବା ଦେଶର ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରୁଛି। ସେଥିମଧ୍ୟରୁ ଗୋଟିଏ ଯୋଜନା ହେଉଛି ବଜାରରେ ଅଧିକ ନଗଦ ରାଶି ପ୍ରବେଶ କରାଇବା। ଯଦି ଏହି ଯୋଜନା କାର୍ଯ୍ୟକାରୀ ହେବ ତେବେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ପାଖରେ ଅଧିକ ଟଙ୍କା ପହଞ୍ଚିବ। ସେହି ଟଙ୍କାକୁ ସେମାନେ ଋଣ ଆକାରରେ ଶିଳ୍ପ ସଂସ୍ଥା ଏବଂ ଗ୍ରାହକମାନଙ୍କୁ ପ୍ରଦାନ କରିବେ ଯାହା ଦ୍ବାରା ଦେଶର ଅଭିବୃଦ୍ଧି ତ୍ବରାନ୍ବିତ ହୋଇପାରିବ।
ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଗତ ଡିସେମ୍ବରରେ ଶେଷ ହୋଇଥିବା ତ୍ରୟମାସରେ ୬.୬ %କୁ ଖସିଆସିଛି। ଆଗାମୀ ଦିନରେ ଅଭିବୃଦ୍ଧି ଆହୁରି କମିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଅଭିବୃଦ୍ଧିକୁ ବଳ ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅତୀତରେ ରେପୋ ହାରରେ ୦.୫୦% ହ୍ରାସ ଘୋଷଣା କରାଯାଇଥିଲା। କେବଳ ସେତିକି ନୁହେଁ ଡଲାର କିଣିବା ଓ ବିକିବା (କରେନ୍ସି ସ୍ବାପ୍) ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଆଗାମୀ କିଛି ମାସ ଭିତରେ ଆଉ ଦୁଇ ଥର କରେନ୍ସି ସ୍ବାପ୍ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବଜାରର ଆବଶ୍ୟକତା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ନଗଦ ଟଙ୍କା ପ୍ରବେଶ କରାଇଥାଏ।
ଅଧିକ ନଗଦ ଛାଡ଼ିବ ରିଜର୍ଭ ବ୍ୟାଙ୍କ:ଜୁନ୍ରେ ସ୍ଥିତି ସମୀକ୍ଷା
/sambad/media/post_attachments/wp-content/uploads/2019/05/no-rift-with-reserve-bank-of-india-say-senior-government-officials.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)