ଶକ୍ତିକାନ୍ତଙ୍କ ଦ୍ବିତୀୟ ଟନିକ୍, ପଶ୍ଚାତଗାମୀ ରେପୋ ହାର ୦.୨୫% ହ୍ରାସ

ରାଜ୍ୟଗୁଡ଼ିକୁ ମିଳିବ ଅଧିକ ପାଣ୍ଠି

ମୁମ୍ବାଇ: କରୋନା ଭୂତାଣୁ ଦ୍ବାରା ପ୍ରଭାବିତ ଅର୍ଥନୀତିକୁ ଦରକାର ହେଉଥିବା ଶକ୍ତି ଦେବା ଲାଗି ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦ୍ବିତୀୟ ଥର ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ୟାଙ୍କ ହାତରେ ଅଧିକ ଟଙ୍କା ପହଞ୍ଚାଇବା, ଦେଶରେ ଋଣ ପ୍ରବାହକୁ ବଢ଼ାଇବା, ଆର୍ଥିକ ଚାପ କମ କରିବା ଏବଂ ବଜାରକୁ ସୁରୁଖୁରୁରେ ଆଗକୁ ବଢ଼ାଇବା ଭଳି ନିର୍ଦିଷ୍ଟ ଲକ୍ଷ୍ୟ ନେଇ ରିଜର୍ଭ ବ୍ୟାଙ୍କ ଆଜି ଅନେକ ପଦକ୍ଷେପ ଘୋଷଣା କରିଛି। ପ୍ରଥମ ପ‌ଦକ୍ଷେପ ସ୍ବରୂପ, ପଶ୍ଚାତଗାମୀ ରେପୋ ହାରରେ (ରିଭର୍ସ ରେପୋ ରେଟ୍‌) ୦.୨୫% ହ୍ରାସ କରିଛି। ଫଳରେ ଏହି ହାର ଯାହା ପୂର୍ବରୁ ୪% ଥିଲା ତାହା ଏବେ ୩.୭୫%କୁ ଖସିଆସିଛି। ଏକ ଭିଡିଓ କନଫରେନ୍ସ ଜରିଆରେ ଶକ୍ତିକାନ୍ତ କହିଛନ୍ତି, ପଶ୍ଚାତଗାମୀ ରେପୋ ହାର ହ୍ରାସ କରାଯାଇଥିବା ବେଳେ ରେପୋ ହାରକୁ ୪.୪୦ ପ୍ରତିଶତରେ ଅପରିବର୍ତିତ ରଖାଯାଇଛି। ଯେଉଁ ହାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ ତାହାକୁ ରେପୋ ହାର କୁହାଯାଏ। ଯେଉଁ ହାରରେ ବ୍ୟାଙ୍କଗୁଡ଼ିକ ଠାରୁ ରିଜର୍ଭ ବ୍ୟାଙ୍କ ଋଣ ଆଣେ ତାହାକୁ ପଶ୍ଚାତଗାମୀ ରେପୋ ହାର କୁହାଯାଏ। ବ୍ୟାଙ୍କ ବ୍ୟବସ୍ଥାରେ ନଗଦ ରାଶିର ପ୍ରବାହ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ଦୁଇଟି ଅସ୍ତ୍ରକୁ ପରିସ୍ଥିତି ଅନୁଯାୟୀ ବ୍ୟବହାର କରିଥାଏ। ଏଥର ପଶ୍ଚାତଗାମୀ ରେପୋ ହାର କମ୍ କରାଯାଇଥିବାରୁ ବ୍ୟାଙ୍କଗୁଡ଼ିକ ପାଖରେ ବିପୁଳ ପରିମାଣର ପାଣ୍ଠି ପହଞ୍ଚିବ। ଫଳରେ ସେମାନେ ଋଣ ଆବଶ୍ୟକ କରୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ଋଣ ବାଣ୍ଟିପାରିବେ। ଲକ୍‌ଡାଉନ୍‌ ଦ୍ବାରା ପ୍ରଭାବିତ ଅର୍ଥନୈତିକ କାର୍ଯ୍ୟକଳାପକୁ ଏହିଭଳି ଭାବେ ଆଗକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି।

କୋହଳ ହେଲା ଏନ୍‌ପିଏ ହିସାବ ନିୟମ
ବ୍ୟାଙ୍କଗୁଡ଼ିକ ଏବେ ଲାଭାଂଶ ଦେବେନି
ନାବାର୍ଡ, ସିଡ୍‌ବି ଭଳି ସଂସ୍ଥା ପାଇଁ ୫୦ ହଜାର କୋଟି
ଅଣ-ବ୍ୟାଙ୍କ ଆର୍ଥିକ ସଂସ୍ଥା ପାଇଁ ୫୦ ହଜାର କୋଟି

ଅର୍ଥନୀତି ପ୍ରତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଉଥିବା କ୍ଷେତ୍ରଗୁଡ଼ିକୁ ଋଣ ଦେବା ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଅଧିକ ପାଣ୍ଠି ବ୍ୟବହାର କରାଯାଉ ବୋଲି ରିଜର୍ଭ ବ୍ୟାଙ୍କ ଚାହୁଛି। ପଶ୍ଚାତଗାମୀ ରେପୋ ହାର ଅନୁସାରେ ରିଜର୍ଭ ବ୍ୟାଙ୍କ ପାଖରେ ବ୍ୟାଙ୍କଗୁଡ଼ିକ ୬ ଲକ୍ଷ କୋଟିରୁ ଅଧିକ ଟଙ୍କା ରଖିଛନ୍ତି। ସେହି ଟଙ୍କା ଏଭଳି ସଙ୍କଟ ସମୟରେ ବ୍ୟବହାର ନ‌ହୋଇ ପଡ଼ି ରହୁ ବୋଲି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ସେଥିପାଇଁ ପଶ୍ଚାତଗାମୀ ରେପୋ ହାର କମ୍ କରିଛି। ଅନ୍ୟାନ୍ୟ ପଦକ୍ଷେପ ସ୍ବରୂପ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକର (ଏନବିଏଫ୍‌ସି)ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଆଜି ‘ଟାର୍ଗେଟେଡ୍‌ ଲଙ୍ଗ୍‌ ଟର୍ମ ରେପୋ ଅପରେସନ’ର (ଟିଏଲ୍‌ଟିଆର୍‌ଓ) ଦ୍ବିତୀୟ ଭାଗ ବିଷୟରେ ଘୋଷଣା କରିଛି ଯାହା ଜରିଆରେ ଏଭଳି ସଂସ୍ଥାଗୁଡ଼ିକ ପାଖରେ ୫୦ ହଜାର କୋଟି ଟଙ୍କା ପହଞ୍ଚିପାରିବ। ନାବାର୍ଡ, ସିଡ୍‌ବି ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କ ଭଳି ସଂସ୍ଥାଗୁଡ଼ିକ ପାଇଁ ୫୦ ହଜାର କୋଟି ଟଙ୍କାର ପଦକ୍ଷେପ ଘୋଷଣା କରାଯାଇଛି। ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକୁ ରିଫାଇନାନ୍ସ କରିବା ଲାଗି ନାବାର୍ଡ ପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସିଡ୍‌ବିକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଥିବା ବେଳେ ନ୍ୟାସନାଲ ହାଉସିଂ ବ୍ୟାଙ୍କକୁ ୧୦ ହଜାର କୋଟି ଟଙ୍କା ଦିଆଯାଇଛି। ସମ୍ପତ୍ତି (ଋଣ) ବର୍ଗୀକରଣକୁ ନେଇ ଯେଉଁ ନିୟମ ଥିଲା ତାହାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଆଜି କୋହଳ କରିଛି। ଯେଉଁ ଗ୍ରାହକମାନେ ମୋରାଟୋରିଅମ୍ ସୁବିଧା ଗ୍ରହଣ କରିଛନ୍ତି ସେମାନଙ୍କ ଖାତା ହିସାବ ବେଳେ ମୋରାଟୋରିଅମ୍ ଅବଧିକୁ ୯୦ ଦିନର ଏନ୍‌ପିଏ ବର୍ଗୀକରଣ ନିୟମରୁ ବାଦ ଦିଆଯିବ। ତଥାପି ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ବର୍ଗୀକରଣ ଉପରେ ରିଜର୍ଭ ବ୍ୟାଙ୍କ କଡ଼ା ନଜର ରଖିବ ବୋଲି ସ୍ପଷ୍ଟ କରିଦେଇଛି। କରୋନା ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି ରାଜ୍ୟଗୁଡ଼ିକ ଅଧିକ ପାଣ୍ଠି ଦାବି କରୁଥିଲେ। ତାହାକୁ ନଜରରେ ରଖି ରାଜ୍ୟଗୁଡ଼ିକ ପାଇଁ ଥିବା ‘ୱେଜ୍ ଆଣ୍ଡ୍‌ ମିନ୍ସ ଆଡଭାନ୍‌ସେସ୍‌’ର ସୀମାକୁ ରିଜର୍ଭ ବ୍ୟାଙ୍କ ଆଜି ପୁରୁଣା ସୀମାର ୬୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ଏହା ଦ୍ବାରା ରାଜ୍ୟଙ୍କୁ ଅଧିକ ପାଣ୍ଠି ମିଳିବ ଓ ସେମାନେ ନିଜର ଋଣ ଯୋଜନାକୁ ଆହୁରି ପାରଦର୍ଶୀ ଢଙ୍ଗରେ ପ୍ରସ୍ତୁତ କରିପାରିବେ।

ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକ ପାଇଁ ରିଜର୍ଭ ବ୍ୟାଙ୍କ ଏହାର ଲିକ୍ବିଡିଟି କଭରେଜ ରେସିଓକୁ ୧୦୦ ପ୍ରତିଶତରୁ ଖସାଇ ୮୦ ପ୍ରତିଶତ କରିଛି। ୨୦୨୧ ଏପ୍ରିଲ୍‌ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହା ପୁନଃସ୍ଥାପିତ ହୋଇଯିବ। ବ୍ୟାଙ୍କଗୁଡ଼ିକୁ ପରବର୍ତୀ ସୂଚନା ପର୍ଯ୍ୟନ୍ତ ଲାଭାଂଶ ଦେବାକୁ ପଡ଼ିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। କରୋନା ମୁକାବିଲା ଲାଗି ଗତ ମାସରେ (ମାର୍ଚ୍ଚ ୨୭) ରିଜର୍ଭ ବ୍ୟାଙ୍କ ଏହାର ପ୍ରଥମ ପଦକ୍ଷେପ ଘୋଷଣା କରି ରେପୋ ହାରରେ ୦.୭୫ ପ୍ରତିଶତ ଓ ପଶ୍ଚାତଗାମୀ ରେପୋ ହାରରେ ୦.୯୦ ପ୍ରତିଶତ ହ୍ରାସ କରିଥିଲା। ଆଜି ସମସ୍ତଙ୍କୁ ଚକିତ କରି ଦ୍ବିତୀୟ ପଦକ୍ଷେପ ଘୋଷଣା କରାଯାଇଛି। ଗତ ମାର୍ଚ୍ଚ ୨୭ରେ ରିଜର୍ଭ ବ୍ୟାଙ୍କ ଯେଉଁ ପଦକ୍ଷେପ ଘୋଷଣା କରିଥିଲା ତାହାର ମୂଲ୍ୟ ପ୍ରାୟ ୩.୭୪ ଲକ୍ଷ କୋଟି ଟଙ୍କା ଥିଲା। ସେଥି ମଧ୍ୟରୁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଟିଏଲ୍‌ଟିଆର୍‌ଓ ଜରିଆରେ ଦିଆଯାଇଥିଲା।

ସମ୍ବନ୍ଧିତ ଖବର