ଚଳିତ ବର୍ଷ ବଜେଟ୍ରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୧୭% ଅଧିକ ପାଣ୍ଠି ପ୍ରଦାନ କରାଯାଇଛି। ବିଭାଗକୁ ମୋଟ ୨୯ ହଜାର କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯିବ ବୋଲି ବଜେଟ୍ରେ ଘୋଷଣା କରାଯାଇଛି। ଏହାର ସିଂହଭାଗ ଅର୍ଥ ଅର୍ଥାତ ୧୯,୮୩୪ କୋଟି ଟଙ୍କା ଅଙ୍ଗନବାଡ଼ି ସେବାକୁ ପ୍ରଦାନ କରାଯାଇଛି। ଗତବର୍ଷ ଏହି ବିଭାଗକୁ ୨୪,୭୫୮ କୋଟି ଟଙ୍କା ଦିଆଯାଇଥିଲା। ପୋଷଣ, ସାମାଜିକ ନିରାପତ୍ତା ଓ କଲ୍ୟାଣ ଭଳି ସାମାଜିକ କ୍ଷେତ୍ରର ବ୍ୟୟବରାଦକୁ ୨୫୫୧ କୋଟି ଟଙ୍କାରୁ ବଢ଼ାଇ ୪୧୭୮ କୋଟି ଟଙ୍କା କରାଯାଇଛି। ମାତୃତ୍ବ ସୁବିଧା ଏବଂ ଶିଶୁ ସୁରକ୍ଷା ସେବାକୁ ବଳ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ବ୍ୟୟ ଅଟ୍ଟକଳକୁ ଦ୍ବିଗୁଣିତ କରି ୨୫୦୦ କୋଟି ଟଙ୍କା କରାଯାଇଛି ଯାହା ଗତବର୍ଷ ୧୨୦୦ କୋଟି ଟଙ୍କା ଥିଲା। ଏହି ଯୋଜନାରେ ଗର୍ଭବତୀ ମହିଳା ଏବଂ ପ୍ରଥମ ସନ୍ତାନ ପ୍ରସବ କରୁଥିବା ମହିଳାଙ୍କୁ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ସମନ୍ବିତ ଶିଶୁ ବିକାଶ ସେବାର ଅଟ୍ଟକଳକୁ ୯୨୫ କୋଟି ଟଙ୍କାରୁ ବଢ଼ାଇ ୧୫୦୦ କୋଟି ଟଙ୍କା କରାଯାଇଛି। ବେଟି ବଚାଓ, ବେଟି ପଢ଼ାଓ ଯୋଜନାକୁ ୨୮୦ କୋଟି ଟଙ୍କା ଦିଆଯାଇଥିବା ବେଳେ ମହିଳା ଶକ୍ତି କେନ୍ଦ୍ରର ଆବଣ୍ଟନକୁ ୧୧୫ କୋଟି ଟଙ୍କାରୁ ବଢ଼ାଇ ୧୫୦ କୋଟି ଟଙ୍କା କରାଯାଇଛି। ଏହି ବିଭାଗର କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ପାଇଁ ଚଳିତ ବର୍ଷ ଚାରି ହଜାର କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଛି। ଏବବାଦରେ ମୋଟ ୨୮,୯୧୪ କୋଟି ଟଙ୍କା ଦିଆଯାଇଛି। ଜାତୀୟ କ୍ରେଚେ ସ୍କିମ୍ ପରଇଁ ୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ କର୍ମଜୀବୀ ମହିଳା ହଷ୍ଟେଲ୍ ସ୍କିମ୍କୁ ୧୬୫ କୋଟି ଟଙ୍କା ଦିଆଯାଇଛି। ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଜ୍ଜ୍ବୱାଲା ସ୍କିମ୍ ପାଇଁ ଏଥର ୩୦ କୋଟି ଟଙ୍କା ଅଧିକ ଦିଆଯାଇଛି ଯାହା ଗତବର୍ଷର ଆବଣ୍ଟନ ତୁଳନାରେ ୧୦ କୋଟି ଟଙ୍କା ଅଧିକ। ବିଧବା ଗୃହ ସ୍କିମ୍ ପାଇଁ ୧୫ କୋଟି ଟଙ୍କା ଦିଆଯାଇଛି। ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ପାଇଁ ୧୩୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରତି କ୍ଷେତ୍ରରେ ଏଥର ଅଧିକ ଅର୍ଥ ଆବଣ୍ଟନ କରାଯାଇଛି।
ମହିଳା ଓ ଶିଶୁ କଲ୍ୟାଣ ପାଇଁ ଅଧିକ ପାଣ୍ଠି
/sambad/media/post_attachments/wp-content/uploads/2019/07/download-14.jpg)