ଜୀବନଯାପନ ଖର୍ଚ୍ଚ ବଢ଼ୁଥିବାରୁ ଅଧିକ ଭାରତୀୟ ସଞ୍ଚୟମୁହାଁ: ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ନେଇ ଦେଶବାସୀ ଆଶାବାଦୀ

ନୂଆଦିଲ୍ଲୀ: ଭାରତୀୟମାନେ ଆସନ୍ତାବର୍ଷକ ମଧ୍ୟରେ ସେମାନଙ୍କର ଆର୍ଥିକ ସ୍ଥିତିର ଉନ୍ନତିକୁ ନେଇ ଆଶାବାଦୀ ଅଛନ୍ତି। କିନ୍ତୁ ସାମଗ୍ରୀ ଓ ସେବା ମୂଲ୍ୟ ବୃଦ୍ଧି ପାଉଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି। ଦରଦାମ ବୃଦ୍ଧି ସେମାନଙ୍କ କ୍ରୟ ନିଷ୍ପତ୍ତିକୁ ‌ପ୍ରଭାବିତ କରୁଛି ବୋଲି ୟର୍ଣ୍ଣଷ୍ଟ୍ ଆଣ୍ଡ୍ ୟଙ୍ଗ୍‌ର ଏକ ରିପୋର୍ଟରେ କୁହାଯାଇଛି।

ଅଧିକନ୍ତୁ ବର୍ଦ୍ଧିତ ଜୀବନଯାପନ ଖର୍ଚ୍ଚ ପରିଚାଳନାକୁ ନେଇ ଲୋକମାନେ ଅନିଶ୍ଚିତତା ମଧ୍ୟରେ ରହୁଥିବାରୁ ୮୦ ପ୍ରତିଶତରୁ ଅଧିକ ଭାରତୀୟ ଖର୍ଚ୍ଚ ପରିବର୍ତ୍ତେ ସଞ୍ଚୟମୁହାଁ ହୋଇଛନ୍ତି ବୋଲି ଭାରତ ପାଇଁ ଏହି ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଫ୍ୟୁଚର କଞ୍ଜ୍ୟୁମର ଇଣ୍ଡେକ୍ସର ନବମ ସଂସ୍କରଣ‌ ରିପୋର୍ଟରେ କୁହାଯାଇଛି। ୭୭ ପ୍ରତିଶତ ଭାରତୀୟ ଆସନ୍ତା ବର୍ଷକ ମଧ୍ୟରେ ସେମାନଙ୍କ ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ଅଛନ୍ତି। କିନ୍ତୁ ବିଶ୍ବସ୍ତରରେ ଏହି ହାର ମାତ୍ର ୪୮ ପ୍ରତିଶତ ରହିଛି।
ଚଳିତବର୍ଷ ଫେବ୍ରୁଆରି ମାସରେ ୧୦୦୦ରୁ ଅଧିକ ଭାରତୀୟଙ୍କୁ ନେଇ ଉକ୍ତ ସର୍ଭେ ହୋଇଥିଲା। ସର୍ଭେରେ ଲୋକମାନେ ସାମଗ୍ରୀ ଓ ସେବାର ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଏଥିଯୋଗୁ ସେମାନଙ୍କ ସାମଗ୍ରୀ କ୍ରୟ କରିବା କ୍ଷମତା ଏବଂ କ୍ରୟ ନିଷ୍ପତ୍ତି ପ୍ରଭାବିତ ହେଉଛି ବୋଲି ରିପୋର୍ଟରୁ ଜଣାଯାଇଛି। ଭାରତ ସମେତ ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ଚୀନ ଭଳି ଉଚ୍ଚ ଅଭିବୃଦ୍ଧି ହାସଲକାରୀ ପ୍ରମୁଖ ଦେଶଗୁଡ଼ିକ ଦରଦାମ ବୃଦ୍ଧିଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ରିପୋର୍ଟରେ କୁହାଯାଇଛି।

ଭାରତରେ ନିମ୍ନ ଆୟକାରୀ ବର୍ଗର ଲୋକମାନେ ସର୍ବାଧିକ ବା ୭୨ ପ୍ରତିଶତ ପ୍ରଭାବିତ ହୋଇଥିବାବେଳେ ଉଚ୍ଚ ଆୟକାରୀ ବର୍ଗରେ ୬୦ ପ୍ରତିଶତ ଏବଂ ମଧ୍ୟମ ଆୟକାରୀ ବର୍ଗରେ ୫୮ ପ୍ରତିଶତ ଲୋକ ପ୍ରଭାବିତ ହୋଇଛନ୍ତି। ମୁଦ୍ରାସ୍ଫୀତିଜନିତ ଚାପ ସତ୍ତ୍ବେ ଭାରତୀୟମାନେ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ସ୍ବାସ୍ଥ୍ୟ ଓ ଉନ୍ନତମାନର ଖାଦ୍ୟ ବାବଦରେ ସେମାନେ ଅଧିକ ଖର୍ଚ୍ଚ କରିବାକୁ ପସନ୍ଦ କରୁଛନ୍ତି। ୟର୍ଣ୍ଣଷ୍ଟ୍ ଆଣ୍ଡ୍‌ ୟଙ୍ଗ୍‌ର ନବମ ସଂସ୍କରଣରେ ଭାରତ ସମେତ, ଆମେରିକା, କାନାଡ଼ା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆଳ ନ୍ୟୁଜିଲାଣ୍ଡ, ଜାପାନ, ଚୀନ, ବ୍ରାଜିଲ, ସାଉଦି ଆରବ, ଡେନମାର୍କ, ସ୍ବିଡେନ, ଫିନଲାଣ୍ଡ, ନରୱେ, ଇଣ୍ଡୋନେସିଆ, ଇଟାଲି, ସ୍ପେନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଚିଲି, ଆର୍ଜେଣ୍ଟିନା ଏବଂ ଥାଇଲାଣ୍ଡର ଲୋକଙ୍କୁ ସାମିଲ କରାଯାଇଛି। ଏସବୁ ଦେଶର ୧୮୦୦୦ରୁ ଅଧିକ ଗ୍ରାହକଙ୍କୁ ଉକ୍ତ ସର୍ଭେରେ ନିଆଯାଇଛି।

ସମ୍ବନ୍ଧିତ ଖବର