ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିବା ପରେ ଭାରତୀୟ ଆଇଟି ଶିଳ୍ପର ବାସ୍ତବ ସ୍ଥିତି ପଦାକୁ ଆସିଛି। ଆଗାମୀ ମାସଗୁଡ଼ିକରେ ଆହୁରି ଅଧିକ ଛଟେଇ ଆଶଙ୍କା ରହିଥିବା ଆଇଟି ଶିଳ୍ପ ଜଗତର ସଂଘ ‘ନାସ୍‌କମ୍‌’ ପୂର୍ବାନୁମାନ କରିଛି। ନାସ୍‌କମ୍ ପକ୍ଷରୁ କୁହାଯାଇଛି ଯେ ଆଇଟି  ଶିଳ୍ପ ବର୍ତ୍ତମାନ ପରିବର୍ତ୍ତନ ସମୟ ଦେଇ ଗତି କରୁଛି। ସମଗ୍ର ବିଶ୍ବର କ୍ଲାଏଣ୍ଟ୍‌ମାନେ ଅଧିକ ଦ୍ରୁତ ଗତିରେ, ନମନୀୟ ଓ ନବସୃଜନ ଆଧାରିତ କାମ ଦାବି କରୁଛନ୍ତି। କିଭଳି ସେମାନଙ୍କ ଆବଶ୍ୟକତା ପୂରଣ କରାଯିବ ଏବଂ ସେଥିପାଇଁ କେଉଁ ଧରଣର ପ୍ରତିଭାବାନ କର୍ମଚାରୀ ଦରକାର, ତାହା ଉପରେ କମ୍ପାନିଗୁଡ଼ିକ ଭାବିବା ଆରମ୍ଭ କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଅଟୋମେସନ୍ ଏବେ ବ୍ୟବସାୟ ପରିଚାଳନାର ପ୍ରମୁଖ ଅଂଶ ପାଲଟିଛି। ସେଥିପାଇଁ ପୁରୁଣା ଦକ୍ଷତା ଆଧାରିତ ଭୂମିକାଗୁଡ଼ିରକ ଆବଶ୍ୟକତା କ’ଣ, ତାହାର ସମୀକ୍ଷା ଆରମ୍ଭ ହୋଇଛି। 

Advertisment

ଏଭଳି ଚିନ୍ତାଜନକ ସମୟରେ ନାସ୍‌କମ୍‌ ଆଶାର ବାଣୀ ମଧ୍ୟ ଶୁଣାଇଛି। ଏହା କହିଛି ଯେ ପ୍ରଯୁକ୍ତି ସଦାସର୍ବଦା ଅଭିବୃଦ୍ଧିକୁ ବଢ଼ାଇବାର କାରକ ହୋଇରହିଛି। ପ୍ରତିଥର ନୂଆ ପ୍ରଯୁକ୍ତି ଆଗମନରେ ନୂଆ ଚାକିରି ଓ ସୁଯୋଗ ସୃଷ୍ଟି ହୁଏ। ତାହାର ଲାଭ ପାଇବା ଲାଗି ପ୍ରଫେସନାଲମାନଙ୍କୁ ସେହି ଦକ୍ଷତା ଶିଖିବାକୁ ପଡ଼ିବ। ଆଇଟି ଶିଳ୍ପ ଠିକ୍ ଦିଗରେ ଅଗ୍ରସର ହେଉଛି। ୨୦୨୪-୨୫ ସୁଦ୍ଧା ୧୫ ଲକ୍ଷ ଲୋକଙ୍କୁ ଏଆଇ ଓ ଜେନେରେଟିଭ୍ ଏଆଇ ଦକ୍ଷତା ପ୍ରଦାନ କରାଯାଇଛି। ସେଥିରୁ ୯୫ ହଜାର କର୍ମଚାରୀ ବଡ଼ ବଡ଼ ଆଇଟି କମ୍ପାନିରେ କାମ କରୁଛନ୍ତି। ଅନ୍ୟପକ୍ଷରେ, ଆଉ ଏକ ଘଟଣାକ୍ରମରେ ଟିସିଏସ୍‌ ପକ୍ଷରୁ ବରିଷ୍ଠ ଭୂମିକାରେ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସେମାନଙ୍କ ଦରମା ବୃଦ୍ଧିକୁ ମଧ୍ୟ ଅଟକାଇ ଦିଆଯାଇଛି।