ଅଧିକ ପୋର୍ଟିଂ କୋଡ୍‌ ମାଗିଲା ଏୟାରସେଲ୍‌

ଆନ୍ତଃ ସର୍କଲ୍‌ ରୋମିଂ ଚୁକ୍ତି ସ୍ୱାକ୍ଷର କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାରସେଲ୍‌ ଏହାର ଗ୍ରାହକମାନଙ୍କୁ ମୋବାଇଲ୍‌ ସେବା ପ୍ରଦାନ କରିବାକୁ ସଂଘର୍ଷ କରୁଛି। କାରବାର ଚାଲୁ ରଖିବା ପାଇଁ କଂପାନି ପାଖରେ ଆବଶ୍ୟକ ପାଣ୍ଠି ନାହିଁ। କଂପାନିକୁ ଯେଉଁମାନେ ଗଠନ କରିଥିଲେ ସେହି ପ୍ରମୋଟରମାନେ ପାଣ୍ଠି ଦେବା ବନ୍ଦ କରିଦେଇଛନ୍ତି। ତେଣୁ ଏୟାରସେଲ୍‌ ଯାହାକୁ ଯେଉଁ ପ୍ରାପ୍ୟ ପ୍ରଦାନ କରିବା କଥା ତାହା ଦେଇପାରୁନାହିଁ। ଏହି କାରଣ ଯୋଗୁଁ ଅନ୍ୟ ମୋବାଇଲ୍‌ କଂପାନିଗୁଡ଼ିକ ଏୟାରସେଲ୍‌ର ଇଣ୍ଟର୍‌କନେକ୍ସନ ସଂଯୋଗକୁ ବାତିଲ କରିଦେଇଛନ୍ତି। ତେଣୁ ଏୟାରସେଲ୍‌ର ଗ୍ରାହକମାନେ ଅନ୍ୟ ନେଟ୍‌ଓ୍ଵର୍କକୁ କଲ୍‌ କରିପାରୁନାହାନ୍ତି।
ନିଜର ନେଟଓ୍ଵର୍କକୁ ଚାଲୁ ରଖିବା ପାଇଁ ଏୟାରସେଲ୍‌ ଏବେ ଅନ୍ୟ କଂପାନିଗୁଡ଼ିକ ସହିତ ଆନ୍ତଃ-ସର୍କଲ୍‌ ରୋମିଂ ଚୁକ୍ତି ସ୍ୱାକ୍ଷର କରିବାକୁ ଉଦ୍ୟମ କରୁଛି। ଏହା ଜରିଆରେ କଂପାନି ନେଟ୍‌ଓ୍ଵର୍କ ଚାଲୁ ରହିପାରିବ ଏବଂ ଗ୍ରାହକମାନେ ସୁବିଧାରେ ଅନ୍ୟ ନେଟ୍‌ଓ୍ଵର୍କକୁ ଚାଲିଯାଇପାରିବେ। ଆବଶ୍ୟକ ପରିମାଣର ପୋର୍ଟିଂ କୋଡ୍‌ ଯୋଗାଇ ଦେବା ପାଇଁ ଏୟାରସେଲ୍‌ ପକ୍ଷରୁ ଟେଲିକମ୍‌ ବିଭାଗର ନିୟାମକ ସଂସ୍ଥା ଟ୍ରାଇକୁ କୁହାଯାଇଛି। ପୋର୍ଟିଂ କୋଡ୍‌ର ଅବଧି ୧୫ ଦିନ ପାଇଁ ବୈଧ ରହିଥାଏ। ଏୟାରସେଲ୍‌ ପାଇଁ ଏହାକୁ ୪୫ ଦିନ କରିବାକୁ କଂପାନି ଅନୁରୋଧ କରିଛି।
ଏୟାରସେଲ୍‌ର ଟାଓ୍ଵାର ପରିଚାଳନା କରୁଥିଲା ଜିଟିଏଲ୍‌ ଇନଫ୍ରାଷ୍ଟ୍ରକ୍‌ଚର୍‌। ଏହା ନିଜ ପ୍ରାପ୍ୟ ନପାଇବାରୁ ଏୟାରସେଲ୍‌ର ଏକ ତୃତୀୟାଂଶ ଟାଓ୍ଵାରକୁ ଅଚଳ କରିଦେଇଛି। ଫଳରେ ସେହି ସବୁ ଅଞ୍ଚଳର ଗ୍ରାହକମାନେ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି।
ଏତେ ପରିମାଣର ଗ୍ରାହକ ପୋର୍ଟିଂ କରିବାକୁ ଚାହୁଁଛନ୍ତି ଯେ ତାହାକୁ ପରିଚାଳନା କରିବା ପାଇଁ ଏୟାରସେଲ୍‌ର ସର୍ଭର କ୍ଷମତା ନାହିଁ। ସେଥିପାଇଁ ଅତିରିକ୍ତ କୋଡ୍‌ ଜାରି କରିବାକୁ କଂପାନି ଟ୍ରାଇକୁ ଅନୁରୋଧ କରିଛି। ଥରେ ପୋର୍ଟିଂ କଲେ ୯୦ ଦିନ ପର୍ଯ୍ୟନ୍ତ ଦ୍ୱିତୀୟ ପୋର୍ଟିଂ କରିହେବ ନାହିଁ ବୋଲି ନିୟମ ରହିଛି। ସେଭଳି ଗ୍ରାହକଙ୍କୁ ମଧ୍ୟ ପୋର୍ଟିଂ ସ୍ୱତନ୍ତ୍ର ସୁବିଧା ଦେବାକୁ କଂପାନି ଟ୍ରାଇକୁ କହିଛି।
ଟ୍ରାଇ ପକ୍ଷରୁ ସବୁ ମୋବାଇଲ୍‌ ଅପରେଟରମାନଙ୍କୁ କୁହାଯାଇଛି ଯେ ଯେଉଁ ୧୭ଟି ସର୍କଲ୍‌ରେ ଏୟାରସେଲ୍‌ର କାରବାର ରହିଛି ସେଠାରେ ସୃଷ୍ଟି ହେଉଥିବା ସ୍ୱତନ୍ତ୍ର ପୋର୍ଟିଂ କୋଡ୍‌କୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ନିଜ ପାଖରେ ରଖ। ଏୟାରସେଲ୍‌ ନମ୍ବରରୁ ଆସୁଥିବା କୌଣସି ପୋର୍ଟିଂ ଆବେଦନକୁ ବାତିଲ ନକରିବାକୁ ଟ୍ରାଇ ପକ୍ଷରୁ ସବୁ ମୋବାଇଲ୍‌ କଂପାନି ଏବଂ ପୋର୍ଟିଂ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁୁ କୁହାଯାଇଛି।
ଏୟାରସେଲ୍‌ ଉପରେ ୧୫ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। କୌଣସି ବ୍ୟାଙ୍କ ଏହାକୁ ଋଣ ଦେଉନାହାନ୍ତି। ଏଭଳି ପରିସ୍ଥିତିରେ କଂପାନି ଖୁବ୍‌ଶୀଘ୍ର ନିଜକୁ ଦେବାଳିଆ ଘୋଷଣା କରିବାକୁ ଯାଉଛି।

ସମ୍ବନ୍ଧିତ ଖବର