ଟ୍ରାଫିକ ନିୟମ ଭାଙ୍ଗିଲେ ଅଧିକ ପ୍ରିମିୟମ୍ ଗଣିବାକୁ ପଡ଼ିବ

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକମାନଙ୍କୁ ବୀମା ପ୍ରିମିୟମ ବାବଦରେ ଅଧିକ ଟଙ୍କା ଗଣିବାକୁ ପଡ଼ିପାରେ। ଏଥିପାଇଁ ଏକ ବ୍ୟବସ୍ଥା ବିକଶିତ କରିବାକୁ କେନ୍ଦ୍ର ସରକାର ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷକୁ (ଆଇଆରଡିଏଆଇ) କହିଛନ୍ତି। ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ପ୍ରଥମେ ଦିଲ୍ଲୀରେ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଆଇଆରଡିଏଆଇ ପକ୍ଷରୁ ଏକ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି ଯାହା ଦୁଇ ମାସ ଭିତରେ ରିପୋର୍ଟ ଦାଖଲ କରିବ। ଏଥିରେ ଭାରତୀୟ ବୀମା ସୂଚନା ବ୍ୟୁରୋ (ଆଇଆଇବିଆଇ), ବିଭିନ୍ନ ଘରୋଇ ସାଧାରଣ ବୀମା କଂପାନିର ପ୍ରତିନିଧି ଏବଂ ଟ୍ରାଫିକ୍ ପୁଲିସ ଅଧିକାରୀ ସଦସ୍ୟ ରହିଛନ୍ତି। ଏହି ୱାର୍କିଂ ଗ୍ରୁପ୍ ଆନ୍ତର୍ଜାତିକ ସ୍ତରରେ ଲାଗୁ ହୋଇଥିବା ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକର ଅନୁଧ୍ୟାନ କରିବ ଏବଂ ବିଭିନ୍ନ ରାଜ୍ୟର ଟ୍ରାଫିକ୍ ନିୟମକୁ ମଧ୍ୟ ବିଚାରକୁ ନେବ। ସେହି ଅନୁସାରେ ଏଭଳି କିଛି ସୁପାରିସ ପ୍ରଦାନ କରିବ ଯାହାକୁ ସବୁ ସ୍ଥାନରେ ଲାଗୁ କରାଯାଇପାରିବ। ଟ୍ରାଫିକ୍ ନିୟମ ଉଲ୍ଲଂଘନ ସମ୍ପର୍କିତ ତଥ୍ୟ ସଂରକ୍ଷଣ ପାଇଁ ଏକ ଡାଟାବେସ୍ ମଧ୍ୟ ପ୍ରସ୍ତୁତ କରାଯିବ। ସେଥିରେ ଥିବା ତଥ୍ୟ ଅନୁସାରେ ଗାଡ଼ିର ବୀମା ପ୍ରିମିୟମ ଧାର୍ଯ୍ୟ କରାଯିବ।

ସମ୍ବନ୍ଧିତ ଖବର