ୱିପ୍ରୋ, ଓଏନ୍‌ଜିସି, ନେସ୍‌ଲେ ଇଣ୍ଡିଆଠୁ ତିରୁପତି ମନ୍ଦିର ପାଖରେ ଅଧିକ ସମ୍ପତ୍ତି

୧୦ ହଜାର ଟନ୍‌ରୁ ଅଧିକ ସୁନା, ୧୬,୦୦୦ କୋଟିର ନଗଦ ରାଶି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ମନ୍ଦିର ପାଖରେ ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି। ଦେଶର ପ୍ରମୁଖ କର୍ପୋରେଟ୍ ସଂସ୍ଥା ଯଥା ୱିପ୍ରୋ, ଓଏନ୍‌ଜିସି, ଇଣ୍ଡିଆନ ଅଏଲ୍‌ ଏବଂ ନେସ୍‌ଲେ ଇଣ୍ଡିଆଠାରୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ୱିପ୍ରୋର ବଜାର ପୁଞ୍ଜି ୨.୧୪ ଲକ୍ଷ କୋଟି ଟଙ୍କା, ନେସ୍‌ଲେ ଇଣ୍ଡିଆର ୧.୯୬ ଲକ୍ଷ କୋଟି ଥିବା ବେଳେ ତିରୁପତି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପାଖରେ ତା’ଠାରୁ ଅଧିକ ସମ୍ପତ୍ତି ରହିଛି। ମନ୍ଦିର ପରିଚାଳନା କରୁଥିବା ତିରୁପତି ତିରୁମାଳା ଦେବସ୍ଥାନମ ଅଧୀନରେ ସୁନା, ନଗଦ ରାଶି, ଫିକ୍ସଡ୍‌ ଡିପୋଜିଟ୍‌, ଜମି, କୋଠା ଆଦି ଆକାରରେ ବିଭିନ୍ନ ସମ୍ପତ୍ତିଗୁଡ଼ିକ ରହିଛି। ଏହା ଅଧିନରେ ୧୦.୨୫ ଟନ୍ ସୁନା ଏବଂ ପ୍ରାୟ ୧୬ ହଜାର କୋଟି ଟଙ୍କାର ନଗଦ ରାଶି ରହିଛି।

୨୦୧୯ରେ ମନ୍ଦିର ପାଖରେ ୭.୩ ଟନ୍ ସୁନା ଥିଲା। ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ତାହା ୧୦ ଟନ୍‌ରୁ ଅଧିକ ହୋଇଛି। ୨୦୨୨-୨୩ ପାଇଁ ମନ୍ଦିର କର୍ତ୍ତୃପକ୍ଷ ୩,୧୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ତିରୁପତି ତିରୁମାଳା ଦେବସ୍ଥାନମ ପକ୍ଷରୁ ଷ୍ଟେଟ୍‌ ବ୍ୟାଙ୍କରେ ୯.୮ ଟନ୍ ସୁନା ଜମା କରାଯାଇଥିବା ବେଳେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ବି କିଛି ରଖାଯାଇଛି। ଏହା ପାଖରେ ୯୦୦ ସ୍ଥାବର ସମ୍ପତ୍ତି ରହିଛି। ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ଓଡ଼ିଶା, ହରିୟାଣା, ମହାରାଷ୍ଟ୍ର ଓ ନୂଆଦିଲ୍ଲୀ ଆଦି ରାଜ୍ୟରେ ମନ୍ଦିର କର୍ତ୍ତୃପକ୍ଷଙ୍କ ୭୦୦୦ ଏକରରୁ ଅଧିକ ଜମି ରହିଛି। ପୁରୁଣା ଗହଣା ଏବଂ ଭକ୍ତମାନଙ୍କ ଲାଗି ଥିବା ଗେଷ୍ଟ ହାଉସ୍‌କୁ ସମ୍ପତ୍ତି ଭାବେ ବିଚାର କରାଯାଉନାହିଁ।

ସମ୍ବନ୍ଧିତ ଖବର